ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ଟିପିସିଓଡିଏଲ୍ ର ପଦକ୍ଷେପ
ଭୁବନେଶ୍ୱର: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ ଗୋଠପାଟଣା ପିଏସଏସ ଏବଂ ନୂଆଗାଁ ଛକଠାରେ ୨ଟି ଆରଏମୟୁ (ରିଙ୍ଗ ମେନ ୟୁନିଟ) ସହିତ ୪ କିଲୋମିଟର ଦୈର୍ଘ୍ୟର ଭୂତଳ କେବୁଲ ନେଟୱାର୍କ କାର୍ଯ୍ୟକ୍ଷମ କରାଯାଇଛି। ଏହି ଭିତ୍ତିଭୂମିର ଉନ୍ନତିକରଣ ଫଳରେ କଣ୍ଟାବାଡ଼, ଗୋଠପାଟଣା, ଭରତପୁର ଏବଂ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୧୨,୦୦୦ ଉପଭୋକ୍ତା ଉପକୃତ ହେବେ। ଏହାଦ୍ୱାରା ବିଦ୍ୟୁତ ସେବାର ନିର୍ଭରଯୋଗ୍ୟତା ବୃଦ୍ଧି ପାଇବା ସହ ବୈଷୟିକ ତ୍ରୁଟିକୁ ଶୀଘ୍ର ଚିହ୍ନଟ କରାଯାଇପାରିବ, ବିଦ୍ୟୁତ ବିଭ୍ରାଟ ହ୍ରାସ ପାଇବ ଏବଂ ଭୋଲଟେଜ୍ ସମସ୍ୟାରେ ମଧ୍ୟ ସୁଧାର ଆସିବ।
ଅନ୍ୟ ଏକ ପଦକ୍ଷେପ ସ୍ୱରୂପ, ଟିପିସିଓଡିଏଲ ପକ୍ଷରୁ ପଳାସପୁରଠାରେ ‘ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା’ ଅଧୀନରେ ଏକ ୬୩ କେଭିଏ ବିଦ୍ୟୁତ ବିତରଣ ସବଷ୍ଟେସନ ସ୍ଥାପନ କରାଯାଇଛି। ଏହାଦ୍ୱାରା ପଳାସପୁର ଗ୍ରାମ ଏବଂ ଭୁବନେଶ୍ୱରର ଉତ୍ତରା ଅଞ୍ଚଳର ପ୍ରାୟ ୪୦୦ ଉପଭୋକ୍ତା ଉନ୍ନତ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ପାଇପାରିବେ।
ଏହି ସମସ୍ତ ପଦକ୍ଷେପ ନିଜର ଉପଭୋକ୍ତା ମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ଗୁଣାତ୍ମକ ବିଦ୍ୟୁତ ଶକ୍ତି ଯୋଗାଇଦେବା ପାଇଁ ଟିପିସିଓଡିଏଲ ର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି।

