Business

ଚା’ରୁ ତେଲ ଏବଂ ଗ୍ୟାସ୍: ଆସାମର ହାଇଡ୍ରୋକାର୍ବନ ସମ୍ଭାବନା ପାଇଁ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ନୂତନ ଦୃଷ୍ଟିକୋଣ

ଭୁବନେଶ୍ୱର: ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଆସାମକୁ ଆମେରିକାର ହୋଷ୍ଟନ ସହ ତୁଳନା କରିଛନ୍ତି। ଆସାମରେ ୫୦,୦୦୦ କୋଟି ଟଙ୍କା ନିବେଶ କରିବା ଏବଂ ଆସନ୍ତା ଦୁଇ ବର୍ଷରେ ଦୈନିକ ୧,୦୦,୦୦୦ ବ୍ୟାରେଲ ତୈଳ ଉତ୍ପାଦନ କରିବା ଯୋଜନା ସମ୍ପର୍କରେ ସେ ଘୋଷଣା କରିଛନ୍ତି। ଗ୍ରୁପ କମ୍ପାନି କେର୍ଣ୍ଣ ଅଏଲ ଆଣ୍ଡ ଗ୍ୟାସ ପକ୍ଷରୁ ଆସାମରେ ତୈଳ ଓ ଗ୍ୟାସ ଅନୁସନ୍ଧାନ ଓ ଉତ୍ପାଦନରେ ୫୦,୦୦୦ କୋଟି ଟଙ୍କା ନିବେଶ କରାଯିବାର ପ୍ରତିବଦ୍ଧତା ପ୍ରଦାନ କରାଯାଇଛି। ଆସାମର ଆରାକଣ ଅବବାହିକାରେ କମ୍ପାନି ପାଖରେ ୭୬୫୦ ବର୍ଗ କିଲୋମିଟର ରହିଛି। ଏହା ନିଜ ପୋର୍ଟଫୋଲିଓରେ ୧୫ଟି ଅନୁସନ୍ଧାନ ବ୍ଲକ ରହିଛି। ସେଥିରୁ ୧୨ଟି ଓପନ ଆକରେଜ ଲାଇସେନ୍ସିଂ ପଲିସି ଅଧୀନରେ ଥିବା ବେଳେ ୩ଟି ହେଉଛି ସନ୍ଧାନ କରାଯାଇଥିବା ଛୋଟ ବ୍ଲକ।

ଆସାମର ରାଜଧାନୀ ଗୁଆହାଟୀରେ ଅନୁଷ୍ଠିତ ଆଡଭାଟେଂଜ ଆସାମ ୨.୦ରେ ଯୋଗ ଦେଇ ଅନୀଲ ଅଗ୍ରୱାଲ କହିଛନ୍ତି ଯେ ଆସାମର ଭବିଷ୍ୟ ହେଉଛି ଉତୋଳନ, ଉତୋଳନ ଓ ଉତୋଳନ। ଏହି ସମ୍ମିଳନୀରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଆସାମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା ଉପସ୍ଥିତ ଥିଲେ।

ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଅଗ୍ରୱାଲ କହିଥିଲେ ଯେ ଆସାମ ହେଉଛି ଆଶୀର୍ବାଦର ଭୂମି। ଏଠାରେ ବଡ଼ ଚା ବଗିଚା, ଘଂଚ ଜଙ୍ଗଲ, ବ୍ରହ୍ମପୂତ୍ର ନଦୀ ଓ ମାଟି ତଳେ ହାଇଡ୍ରୋକାର୍ବନ ଭଣ୍ଡାର ରହଛି। ୨୦୦ ବର୍ଷରୁ ଅଧିକ ସମୟ ଧରି ଆସାମ ଚା ଚାଷରେ ଭାରତର କେନ୍ଦ୍ର ହୋଇରହିଛି। ବର୍ତମାନ ଉଦ୍ୟମିତାର ଏକ ନୂତନ ଧାରା ସୃଷ୍ଟି ହୋଇଛି। ନିୟାମକ ପ୍ରତିବନ୍ଧକ ହଟିବା ଛୋଟ ଚା ଚାଷୀମାନଙ୍କ ପାଇଁ ବ୍ୟବସାୟ କରିବା ସହଜ ହୋଇଛି ଏବଂ ଏହା ସ୍ଥାନୀୟ ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି।’’

ତୈଳ ଓ ଗ୍ୟାସ ଅନୁସନ୍ଧାନ କ୍ଷେତ୍ରରେ ସେହି ଧରଣର ମଡେଲ ଉପରେ ଶ୍ରୀ ଅଗ୍ରୱାଲଙ୍କ ବିଶ୍ୱାସ ରହିଛି। ଛୋଟ ଚା ଚାଷୀମାନେ ଯେଭଳି ଆସାମର ଚା ଶିଳ୍ପରେ ରୂପାନ୍ତରଣ ଆଣିପାରିଛନ୍ତି, ତୈଳ ଓ ଗ୍ୟାସ ଅନୁସନ୍ଧାନ କ୍ଷେତ୍ରରେ ଲଘୁ ଉଦ୍ୟୋଗୀମାନେ ସେଭଳି ବିପ୍ଳବ ଆଣିପାରିବେ। ଆମେରିକାରେ ନିରବଚ୍ଛିନ୍ନ ଅନଲାଇନ ଅନୁମୋଦନ ଜରିଆରେ ଛୋଟ ଡ୍ରିଲିଂ ପାଇଁ ଅନୁମତି ଦିଆଯାଉଛି। ସ୍ୱାଧୀନ ଉଦ୍ୟୋଗୀମାନେ ଅଶୋଧିତ ତୈଳ ବାହାର କରି ରିଫାଇନାରିରେ ପହଂଚାଉଛନ୍ତି। ଆସାମ ସେହି ମଡେଲ ଆପଣାଇପାରିବ ବୋଲି ସେ କହିଛନ୍ତି।

ହୋଷ୍ଟନ ଯେଭଳି ଭୂତଳେ ଥିବା କଳା ସୁନା ପାଇଁ ସଫଳ ହୋଇଛି, ଆସାମରେ ମଧ୍ୟ ସେଭଳି ବିପୁଳ ସମ୍ଭାବନା ରହିଛି। ହଜାର ହଜାର ଲୋକ ଅନୁସନ୍ଧାନରେ ନିୟୋଜିତ ହୋଇପାରିବେ। ଆସାମରେ ଆମେ ତିନିଟି କ୍ଷେତ୍ରରୁ ତୈଳ ଉତ୍ପାଦନ କରୁଛୁ ଏବଂ ପ୍ରଥମ ଥର ପାଇଁ ଗ୍ୟାସ ଉତୋଳନ କରିଛୁ। ସେହି ଗ୍ୟାସକୁ ଟି ଗାର୍ଡେନଗୁଡ଼ିକୁ ଯୋଗାଇ ଦିଆଯାଉଛି, ଫଳରେ କୋଇଲା ଉପରେ ସେମାନଙ୍କ ନିର୍ଭରଶୀଳତା କମ୍ ହୋଇଛି ବୋଲି ସେ କହିଛନ୍ତି।

ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ଆସାମରେ ବିପୁଳ ପ୍ରାକୃତିକ ସମ୍ପଦ ରହିଛି ଏବଂ ଏହା ବିଶ୍ୱର ସପ୍ତମ ସର୍ବବୃହତ ଅବବାହିକା ହେବାର ସମ୍ଭାବନା ରହିଛି। ଆସାମର ନିରନ୍ତର ଅଭିବୃଦ୍ଧି ଓ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଆମେ ପ୍ରସ୍ତୁତ ଅଛୁ। ୫୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ସହିତ ଆମେ ଆସାମରୁ ଦୈନିକ ୧,୦୦,୦୦୦ ବ୍ୟାରେଲ ତୈଳ ଓ ଗ୍ୟାସ ଉତ୍ପାଦନ କରି ଏହାକୁ ଏକ ପ୍ରମୁଖ ହାଇଡ୍ରୋକାର୍ବନ ହବରେ ପରିଣତ କରିବା ସହ ୧ ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବୁ ବୋଲି ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

two − 2 =