ଆର୍ଥିକ ବର୍ଷ ୨୦୨୨-୨୩ରେ ଟାଟା ଷ୍ଟିଲ୍‌ର ରାଜସ୍ୱ ୨,୪୩,୩୫୩ କୋଟି ଟଙ୍କା

ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ଆର୍ଥିକବର୍ଷ ଏବଂ ଚତୁର୍ଥ ତ୍ରୈମାସିକ ର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଅସ୍ଥିର ପରିଚାଳନା ପରିବେଶ ସତ୍ୱେ ଏହି ଆର୍ଥିକ ବର୍ଷରେ କଂପାନିର ରାଜସ୍ୱ ୨,୪୩,୩୫୩ କୋଟି ଟଙ୍କା ରହିଛି ଯାହା ଗତବର୍ଷ କଂପାନିର ରାଜସ୍ୱ ସ୍ତର ସହ ପ୍ରାୟ ସମାନ । ଏହି ସମୟରେ କଂପାନିର ଟିକସ ପରବର୍ତୀ ଲାଭ ୮,୦୭୫ କୋଟି ଟଙ୍କା ହୋଇଛି ।
ଚତୁର୍ଥ ତ୍ରୈମାସିକରେ କଂପାନିର ରାଜସ୍ୱ ୬୨,୯୬୨ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୭,୨୨୫ କୋଟି ଟଙ୍କା ଏବଂ ଇବିଆଇଟିଡିଏ ମାର୍ଜିନ୍ ୧୧ ପ୍ରତିଶତ ରହିଛି । ଭାରତୀୟ କାରବାର ପ୍ରଦର୍ଶନରେ ଉନ୍ନତି ପାଇଁ କଂପାନିର ଲାଭ ବଢ଼ିଛି ।
ଆଲୋଚ୍ୟ ଆର୍ଥିକବର୍ଷ ରେ କଂପାନିର ଭାରତରେ ଅଶୋଧିତ ଇସ୍ପାତ ଉତ୍ପାଦନ ୧୯.୯ ନିୟୁତ ଟନ୍ ରହିଛି ଯାହା ଟାଟା ଷ୍ଟିଲ୍‌ର ମୋଟ ଉତ୍ପାଦନର ୬୫% । ଦେଶ ଭିତରେ ଡେଲିଭରି ୧୧ ପ୍ରତିଶତ ବଢ଼ିଥିବା ବେଳେ ତ୍ରୈମାସିକ ଡେଲିଭରି ୯ ପ୍ରତିଶତ ବୃଦ୍ଧି ପାଇ ୫.୧୫ ନିୟୁତ ଟନ୍ ହୋଇଛି । ଟାଟା ଷ୍ଟିଲ୍‌ର ନିର୍ଦେଶକ ବୋର୍ଡ, ଫୁଲି ପେଡ୍ ଅପ୍ ଇକ୍ୱିଟି ସେୟାର୍ ପିଛା ୩ ଟଙ୍କା ୬୦ ପଇସାର ଲାଭାଂଶ ଘୋଷଣା କରିଛନ୍ତି ।
ଏହି ଅବସରରେ ଟାଟା ଷ୍ଟିଲ୍‌ର ଏମ୍‌ଡି ଓ ସିଇଓ ଟି ଭି ନରେନ୍ଦ୍ରନ୍ କହିଛନ୍ତି ଯେ, “୨୦୩୦ ସୁଦ୍ଧା ୪୦ ନିୟୁତ ଟନ୍ କ୍ଷମତା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଆମର ଭାରତର ବିଭିନ୍ନ ସ୍ଥାନରେ ଏକାଧିକ ପ୍ରକଳ୍ପ ଜାରି ରହିଛି । ସିଆର୍‌ଏମ୍ ପରିସରରେ ଏଫ୍‌ଏଚ୍‌ସିଆର୍ କଏଲ୍ ଉତ୍ପାଦନ ସହିତ କଳିଙ୍ଗନଗରରେ ଆମ ପର୍ଯାୟକ୍ରମିକ ସମ୍ପ୍ରସାରଣ ଜାରି ରହିଛି । ଗତ ଦୁଇ ତ୍ରୈମାସିକରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ର ଉତ୍ପାଦନ ବୃଦ୍ଧି ପାଇଛି ଏବଂ ବର୍ତମାନ ବାର୍ଷିକ ୧ ନିୟୁତ ଟନ୍ (ଅଶୋଧିତ ଇସ୍ପାତ ସହିତ ପିଗ୍ ଆଇରନ୍‌) ହାରରେ ପରିଚାଳିତ ହେଉଛି । ଅଧିଗ୍ରହଣର ୯ ମାସ ଭିତରେ ଆମେ ସଫଳତାର ସହ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ର କ୍ଷମତାକୁ ୧ ନିୟୁତ ଟନ୍ କରିପାରିଛୁ । ପଂଜାବରେ ଆମର ପ୍ରଥମ ଇଏଏଫ୍ ମିଲ୍ ସ୍ଥାପନ କରିବା ଲାଗି ରହିଥିବା ଯୋଜନାରେ ଆମେ ଅଗ୍ରସର ହୋଇଛୁ । ଇଜମୁଇଦେନ୍‌ରେ କୋଲ୍‌ଡ ମିଲ୍ ଅପଗ୍ରେଡ୍ ଜାରି ରହିଛି ଏବଂ ଆମେ ଏପ୍ରିଲ୍ ପ୍ରାରମ୍ଭ ସୁଦ୍ଧା ବିଏଫ୍‌୬ର ରିଲାଇନିଂ ଆରମ୍ଭ କରିଛୁ ବୋଲି ଶ୍ରୀ ନରେନ୍ଦ୍ରନ୍ କହିଛନ୍ତି ।
ଟାଟା ଷ୍ଟିଲ୍‌ର ମୁଖ୍ୟ ଆର୍ଥିକ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ କୌଶିକ ଚାଟାର୍ଜୀ କହିଛନ୍ତି ଯେ, “ଆର୍ଥିକ ବର୍ଷ ପାଇଁ ଆମର ରାଜସ୍ୱ ୩୦ ବିଲିଅନ୍ ଡଲାର ହୋଇଛି । ଅସ୍ଥିର ପରିଚାଳନା ପରିବେଶ ସତ୍ୱେ ବାର୍ଷିକ ଭିତିରେ ରାଜସ୍ୱ ସ୍ଥିର ରହିଛି । ଇବିଆଇଟିଡିଏ ୩୨,୬୯୮ କୋଟି ଟଙ୍କା ଥିବାରୁ ଇବିଆଇଟିଡିଏ ମାର୍ଜିନ୍ ୧୩ ପ୍ରତିଶତ ଏବଂ ଟନ୍ ପିଛା ଇବିଆଇଟିଡିଏ ୧୧,୩୫୮ ଟଙ୍କା ରହିଛି । ଭାରତୀୟ ବ୍ୟବସାୟ ୨୦% ମାର୍ଜିନ ସୃଷ୍ଟି କରିଥିବା ବେଳେ ୟୁରୋପରେ ତାହା କଂଚାମାଲ ମୂଲ୍ୟ ବୃଦ୍ଧି ଯୋଗୁଁ ୫% ରହିଛି । ବର୍ଷ ସାରା ପାଇଁ ଆର୍‌ଓଆଇସି ୧୫% ରହିଛି । ୫ ଏମ୍‌ଟିପିଏ କଳିଙ୍ଗ ନଗର ସମ୍ପ୍ରସାରଣକୁ ଶେଷ କରିବା ଉପରେ ଆମେ ଗୁରୁତ୍ୱ ଦେବା ଯୋଗୁଁ ଆମର ପୁଂଜି ବ୍ୟୟ ୪,୩୯୬ କୋଟି ଟଙ୍କା ଥିଲା ଏବଂ ନଗଦ ପ୍ରବାହ ୪,୮୦୯ କୋଟି ଟଙ୍କା ରହିଛି । କଂପାନି ଏହି ତ୍ରୈମାସିକରେ ଋଣରେ ୩,୯୦୦ କୋଟି ଟଙ୍କା ହ୍ରାସ କରିଛି ଏବଂ ନେଟ୍ ଋଣ ଏବେ ୬୭,୮୧୦ କୋଟି ଟଙ୍କା ରହିଛି । ଖର୍ଚ୍ଚରେ ପାରଦର୍ଶିତା, କାର୍ଯ୍ୟକାରୀ ପୁଂଜି ପରିଚାଳନା ଏବଂ ପରିଚାଳନାରେ ଉନ୍ନତି ଜରିଆରେ ନଗଦ ପ୍ରବାହକୁ ବଢ଼ାଇବା ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଋଣକୁ ଆହୁରି ହ୍ରାସ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।’’

Share

Leave a Reply

Your email address will not be published. Required fields are marked *

three − 1 =