ଟାଟା ଷ୍ଟିଲ୍‌କୁ ଜୈବ ବିବିଧତା ପରିଚାଳନା ପାଇଁ ଉତ୍କର୍ଷ ପୁରସ୍କାର

– ୧୮ତମ ସିଆଇଆଇ ଆଇଟିସି ସଷ୍ଟେନେବିଲିଟି ଆୱାର୍ଡସ୍‌ରେ ପୁରସ୍କୃତ

ଭୁବନେଶ୍ୱର: କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଆଇଟିସି ସଷ୍ଟେନେବିିଲିଟି ଆୱାର୍ଡସ୍ ୨୦୨୩ରେ ଟାଟା ଷ୍ଟିଲ୍‌ର ସୁକିନ୍ଦା କ୍ରୋମାଇଟ୍ ଖଣିକୁ ‘ଜୈବବିବିଧତା ପରିଚାଳନା ଉତ୍କର୍ଷ’ ପୁରସ୍କାର ପ୍ରଦାନ କରାଯାଇଛି । କମ୍ପାନିର ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍ ଡିଭିଜନ (ଏଫ୍‌ଏଏମ୍‌ଡି) ଅଧୀନରେ ପରିଚାଳିତ ଏହି ଖଣିକୁ ଏହାର କାର୍ଯ୍ୟକ୍ଷେତ୍ରର ପାରିପାଶ୍ୱିର୍କ ଅଂଚଳରେ ଜୈବବିବିଧତାର ସଂରକ୍ଷଣ ପ୍ରତି ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଆଇଟିସି ଲିମିଟେଡ଼ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ତଥା ସିଆଇଆଇର ମନୋନୀତ ସଭାପତି ସଂଜୀବ ପୁରି ନୂଆଦିଲ୍ଲୀର ତାଜମହଲ ହୋଟେଲରେ ଆୟୋଜିତ ୧୮ତମ ସିଆଇଆଇ ଆଇଟିସି ସଷ୍ଟେନେବିଲିଟି ପୁରସ୍କାର ସମାରୋହରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି । ସୁକିନ୍ଦା କ୍ରୋମାଇଟ୍ ଖଣିର ମୁଖ୍ୟ (ଖଣି) ଦେବରାଜ ତିୱାରୀ କମ୍ପାନି ତରଫରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଏହି ଅବସରରେ ଫେରୋ ଆଲଏଜ୍ ଓ ମିନେରାଲ୍ସ ଡିଭିଜନର ଏକଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା ଖୁସି ବ୍ୟକ୍ତ କରି କହିଛନ୍ତି ଯେ, “ଉନ୍ନବିଂଶ ଶତାବ୍ଦୀର ପ୍ରଖ୍ୟାତ ଆମେରିକୀୟ ନେତା ଚିଫ୍ ସିଆଟଲ୍ କହିଥିଲେ ଯେ “ପୃଥିବୀ ମଣିଷ ମାନଙ୍କର ନୁହେଁ, ବରଂ ମଣିଷମାନେ ପୃଥିବୀର ଅଟନ୍ତି ।” ଏକ ଦାୟିତ୍ୱବାନ କର୍ପୋରେଟ୍ ଭାବେ ଆମେ ଜୈବ ବିବିଧତା ପରିଚାଳନାକୁ କ୍ରମାଗତ ଭାବେ ସୁଦୃଢ଼ କରିଆସିଛୁ ଏବଂ ପରିବେଶ ସଂରକ୍ଷଣ ପାଇଁ ଅନେକ ଦୀର୍ଘସ୍ଥାୟୀ ପଦକ୍ଷେପ ଗ୍ରହଣ କରୁଛୁ । ଜୈବ ବିବିଧତା ସଂରକ୍ଷଣ ଦିଗରେ ଆମର ନିରନ୍ତର ପ୍ରୟାସପ୍ରତି ଏହି ସମ୍ମାନ ପାଇଁ ମୁଁ ସମସ୍ତ ଜୁରୀ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି। ଏହା ନିଶ୍ଚିତ ଭାବରେ ଆମ ଟିମ୍‌କୁ ଆମର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିବାକୁ ପ୍ରେରଣା ଯୋଗାଇବ ।’’

ଉଲ୍ଲେଖଯୋଗ୍ୟ, କମ୍ପାନି ପକ୍ଷରୁ ପ୍ରଜାତୀୟ ଖାଦ୍ୟୋତ୍ସବ ( ଖାଣ୍ଟି ଆଦିବାସୀ ଖାଦ୍ୟ ଓ ସଂସ୍କୃତି ଉତ୍ସବ), ଗ୍ରିନ୍ ଥେରାପି (ଦେଶୀ ଜଡ଼ିବୁଟି ଚିକିତ୍ସା ପଦ୍ଧତି ଉତ୍ସବ), ଜୈବକଳା ବିବିଧତା (କଳା ମାଧ୍ୟମରେ ଜୈବ ବିବିଧତାକୁ ପ୍ରୋତ୍ସାହନ କାର୍ଯ୍ୟକ୍ରମ), ସରଜୋମ ବା (ଆଦିବାସୀ ସଙ୍ଗୀତ ମହୋତ୍ସବ), ସ୍ଥାନୀୟ ରେଶମ କୀଟ ପ୍ରଜାତି ସୁକିନ୍ଦା ଇକୋରେସ୍ ର ସରଂକ୍ଷଣ, ପ୍ରଜାପତି ବଗିଚା, ଔଷଧୀୟ ବୃକ୍ଷ ପାର୍କ ଭଳି ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଏହି ପୁରସ୍କାରର ଜୁରୀଙ୍କ ପ୍ରଶଂସା ସାଉଁଟିଥିଲା ।

ଜୈବ ବିବିଧତା ପରିଚାଳନା ପାଇଁ ଟାଟା ଷ୍ଟିଲର ସାମଗ୍ରିକ ଆଭିମୁଖ୍ୟ ଏହାର ଦୀର୍ଘସ୍ଥାୟୀ ଲକ୍ଷ୍ୟ ସହିତ ଯୋଡ଼ିହୋଇ ରହିଛି ଯେଉଁଥିରେ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ, ସର୍କୁଲାର ଅର୍ଥନୀତି ଏବଂ ସାମାଜିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ସାମିଲ ରହିଛି ।

Share

Leave a Reply

Your email address will not be published. Required fields are marked *

three × five =