Business

ପଶ୍ଚିମ ଓଡ଼ିଶାରେ ୫୦ ହଜାର ଟପିଲା ଟିପିଡବ୍ଲୁଓଡିଏଲ୍‌ର ରୁଫଟପ୍ ସୋଲାର ସ୍ଥାପନା

ପଶ୍ଚିମ ଓଡ଼ିଶାରେ ସୌର ଶକ୍ତି ବ୍ୟବହାରକୁ ନୂଆ ଗତି ଦେଇ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ରୁଫଟପ୍ ସୋଲାର କ୍ଷେତ୍ରରେ ଏକ ନୂଆ ମାଇଲ୍‌ଷ୍ଟୋନ୍ ହାସଲ କରିଛି । କମ୍ପାନୀର ସମସ୍ତ ୯ ଗୋଟି ବିଦ୍ୟୁତ୍ ବିତରଣ ଜିଲ୍ଲାରେ ରୁଫଟପ୍ ସୋଲାର ସ୍ଥାପନା ସଂଖ୍ୟା ୫୦ ହଜାର ଟପି ୫୭,୨୮୨ରେ ପହଞ୍ଚିଅଛି । ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ ଟିପିଡବ୍ଲୁଓଡିଏଲ୍‌ର ଉଲା ମଡେଲ୍‌ ଅଧିନରେ ଏହି ସଂଖ୍ୟା ହାସଲ ହୋଇପାରିଛି । ଏହି ସଫଳତା ପଶ୍ଚିମ ଓଡ଼ିଶାରେ ସୌର ଶକ୍ତି ପ୍ରତି ବଢ଼ୁଥିବା ଆଗ୍ରହ ସହିତ ଗ୍ରାହକଙ୍କ ପାଇଁ ସ୍ୱଚ୍ଛ ଶକ୍ତିକୁ ଅଧିକ ସହଜ ଓ ସୁଲଭ କରିବା ଦିଗରେ କମ୍ପାନୀର ପ୍ରୟାସକୁ ପ୍ରତିଫଳିତ କରୁଅଛି ।

ଗତ ଅଗଷ୍ଟ ୨୦୨୬ ଟିପିଡବ୍ଲୁଓଡିଏଲ୍‌ର ରୁଫଟପ୍ ସୋଲାର ଯାତ୍ରାରେ ଆଉ ଏକ ଉଲ୍ଲେଖନୀୟ ମାସ ଭାବେ ପରିଗଣିତ ହୋଇଛି । ଏହି ମାସରେ କମ୍ପାନୀ ପକ୍ଷରୁ ୯,୮୪୯ଟି ରୁଫଟପ୍ ସୋଲାର ସ୍ଥାପନା କରାଯାଇଅଛି, ଯାହା ଏକ ମାସରେ ଏପର୍ଯ୍ୟନ୍ତର ସର୍ବାଧିକ ସ୍ଥାପନା । ଏହା ସହିତ ଜୁଲାଇ ୨୦୨୬ରେ ହୋଇଥିବା ୮,୨୯୮ଟି ସ୍ଥାପନାର ପୂର୍ବ ରେକର୍ଡକୁ ମଧ୍ୟ ଅତିକ୍ରମ କରିଅଛି । ଏହି କ୍ରମାଗତ ବୃଦ୍ଧି ପଶ୍ଚିମ ଓଡ଼ିଶାର ଗ୍ରାହକମାନେ ରୁଫଟପ୍ ସୋଲାରକୁ ଏକ ବିଶ୍ୱସନୀୟ ଏବଂ ଦୀର୍ଘମିଆଦୀ ଶକ୍ତି ସମାଧାନ ଭାବେ ଗ୍ରହଣ କରୁଥିବାର ସୂଚନା ଦେଉଛି ।

ଏହି ସଫଳତା ନେଇ ଟିପିଡବ୍ଲୁଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “୫୦ ହଜାର ରୁଫଟପ୍ ସୋଲାର ସ୍ଥାପନା ଅତିକ୍ରମ କରିବା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଅଗଷ୍ଟର ରେକର୍ଡ ସ୍ଥାପନା ଦର୍ଶାଉଛି ଯେ ସ୍ୱଚ୍ଛ ଶକ୍ତିକୁ ସୁଲଭ ଓ ସହଜ କରାଗଲେ ଗ୍ରାହକମାନେ ଏହାକୁ ଉତ୍ସାହର ସହ ଗ୍ରହଣ କରୁଛନ୍ତି । ଆଗାମୀ ଦିନରେ ଆହୁରି ଅଧିକ ପରିବାରକୁ ସୌର ଶକ୍ତି ସହ ଯୋଡ଼ିବା ଆମର ପ୍ରାଥମିକତା ।”

ଏହି ମାଇଲ୍‌ଷ୍ଟୋନ୍ ହାସଲ କରିବାରେ ବରଗଡ଼ ଓ ନୂଆପଡ଼ା ଜିଲ୍ଲା ଆଗରେ ରହିଛନ୍ତି । ବରଗଡ଼ରେ ସର୍ବାଧିକ ୧୦,୬୩୪ଟି ଏବଂ ନୂଆପଡ଼ାରେ ୧୦,୪୫୭ଟି ରୁଫଟପ୍ ସୋଲାର ସ୍ଥାପନା ହୋଇଛି । ଏହାପରେ ସୁନ୍ଦରଗଡ଼ରେ ୭,୮୫୬, ବଲାଙ୍ଗିରରେ ୭,୫୭୭, ସମ୍ବଲପୁରରେ ୬,୫୭୪, କଳାହାଣ୍ଡିରେ ୬,୫୨୯, ସୋନପୁରରେ ୩,୫୨୯, ଝାରସୁଗୁଡ଼ାରେ ୩,୧୪୮ ଏବଂ ଦେବଗଡ଼ରେ ୯୭୮ଟି ସ୍ଥାପନା ହୋଇଛି । ଏହାକୁ ମିଶାଇ ୯ଟି ଜିଲ୍ଲାରେ ମୋଟ ସ୍ଥାପନା ସଂଖ୍ୟା ୫୭,୨୮୨ରେ ପହଞ୍ଚିଛି ।

ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ରୁଫଟପ୍ ସୋଲାର ଗ୍ରହଣକୁ ଆହୁରି ସହଜ କରିପାରିଛି । ଏହି ଯୋଜନା ଅଧୀନରେ ଯୋଗ୍ୟ ଗ୍ରାହକମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ପାଇ ପାରୁଛନ୍ତି । ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ୩ କିଲୋୱାଟ୍ ରୁଫଟପ୍ ସୋଲାର ସିଷ୍ଟମ୍ ପାଇଁ ସର୍ବାଧିକ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ପ୍ରାୟ ୧.୪୦ ଲକ୍ଷ ଟଙ୍କା ମୂଲ୍ୟର ୨ କିଲୋୱାଟ୍ ରୁଫଟପ୍ ସୋଲାର ସିଷ୍ଟମ୍ ପାଇଁ ୧.୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିପାରୁଛି । ଫଳରେ ରୁଫଟପ୍ ସୋଲାର ସ୍ଥାପନା ପାଇଁ ଗ୍ରାହକଙ୍କ ପ୍ରାରମ୍ଭିକ ଖର୍ଚ୍ଚ ଯଥେଷ୍ଟ କମିଯାଉଛି ।

ସୌର ଶକ୍ତିକୁ ଆହୁରି ଅଧିକ ପରିବାର ପାଖରେ ପହଞ୍ଚାଇବା ପାଇଁ ଟିପିଡବ୍ଲୁଓଡିଏଲ୍‌ର ୧ କିଲୋୱାଟ୍ ଉଲା ମଡେଲ୍ ମଧ୍ୟ ଏକ ଅଭିନବ ପଦକ୍ଷେପ । ଏହି ମଡେଲ୍‌ରେ ଯୋଗ୍ୟ ଘରୋଇ ଗ୍ରାହକ ମାତ୍ର ୧,୮୭୫ ଟଙ୍କା ଦେଇ ରୁଫଟପ୍ ସୋଲାର ସ୍ଥାପନା କରିପାରୁଛନ୍ତି । ସ୍ଥାପନାର ସମ୍ପୂର୍ଣ୍ଣ ଦାୟିତ୍ୱ ଟିପିଡବ୍ଲୁଓଡିଏଲ୍ ନେଉଥିବାବେଳେ, ଉପକରଣ ପାଇଁ ୫ ବର୍ଷର ୱାରେଣ୍ଟି ଏବଂ ସୋଲାର ପ୍ୟାନେଲ୍ ପାଇଁ ୨୫ ବର୍ଷର ପରଫର୍ମାନ୍ସ ୱାରେଣ୍ଟି ପ୍ରଦାନ କରାଯାଉଛି । ଏହା ଗ୍ରାହକଙ୍କୁ ଦୀର୍ଘମିଆଦୀ ବିଶ୍ୱସନୀୟତା ସହିତ ଅସୁବିଧାମୁକ୍ତ ସୌର ଶକ୍ତି ବ୍ୟବହାରର ସୁବିଧା ଦେଉଅଛି ।

ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ରୁଫଟପ୍ ସୋଲାରର ବଢ଼ୁଥିବା ଚାହିଦା ସ୍ୱଚ୍ଛ ଶକ୍ତି ପ୍ରତି ଗ୍ରାହକଙ୍କ ବିଶ୍ୱାସ ଓ ସଚେତନତା ବୃଦ୍ଧିର ପ୍ରମାଣ । ସରକାରୀ ପ୍ରୋତ୍ସାହନ ସହିତ ଉଲା ମଡେଲ୍ ଭଳି ଗ୍ରାହକ-କେନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ ଅଧିକରୁ ଅଧିକ ପରିବାରକୁ ସୌର ଶକ୍ତି ସହ ଯୋଡ଼ିବା ଏବଂ ଅକ୍ଷୟ ଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛି ।
ରୁଫଟପ୍ ସୋଲାର ସ୍ଥାପନା କରିବାକୁ ଇଚ୍ଛୁକ ଗ୍ରାହକମାନେ ନିକଟସ୍ଥ ଟିପିଡବ୍ଲୁଓଡିଏଲ୍ ସେକ୍ସନ୍ ଅଫିସ୍ କିମ୍ବା ରିନ୍ୟୁଏବଲ୍ ଏନର୍ଜି (RE) ସେଲ୍‌ – ୯୦୭୮୬୮୨୮୯୪ ନମ୍ବରରେ ଯୋଗାଯୋଗ କରି ସୂଚନା, ଯୋଗ୍ୟତା ଏବଂ ସ୍ଥାପନା ସମ୍ପର୍କିତ ସହାୟତା ପାଇ ପାରିବେ ।

୫୦ ହଜାରରୁ ଅଧିକ ରୁଫଟପ୍ ସୋଲାର ସ୍ଥାପନାର ଏହି ସଫଳତା ପଶ୍ଚିମ ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ଏକ ନୂଆ ଦିଗ ଦେଇଛି । ଅଗଷ୍ଟରେ ରେକର୍ଡ ୯,୮୪୯ଟି ସ୍ଥାପନା ଏହି ଅଭିଯାନର ଗତିକୁ ଆହୁରି ଦୃଢ଼ କରିଛି । ଆଗାମୀ ଦିନରେ ଅଧିକ ପରିବାରକୁ ସୌର ଶକ୍ତିର ଲାଭ ପହଞ୍ଚାଇ ପଶ୍ଚିମ ଓଡ଼ିଶାରେ ଏକ ସବୁଜ, ସ୍ୱଚ୍ଛ ଏବଂ ସ୍ଥାୟୀ ଶକ୍ତି ବ୍ୟବସ୍ଥା ଗଠନ ଦିଗରେ ଟିପିଡବ୍ଲୁଓଡିଏଲ୍ ତାହାର ପ୍ରୟାସ ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

two + ten =