ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣର ୧୭ତମ ସଂସ୍କରଣ ବିଜେତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଟାଟା ଷ୍ଟିଲ୍ ପକ୍ଷରୁ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ସହଯୋଗିତାରେ ଆୟୋଜିତ
 ୟାଟ୍‌ସର ୧୭ତମ ସଂସ୍କରଣରେ ୩୦ଟି ଜିଲ୍ଲାର ୮୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
 ପ୍ରତିଯୋଗିତାର ଶ୍ରେଷ୍ଠ ପାଂଚଙ୍କ ସମେତ ୨୦ ଜଣ ସମ୍ମାନିତ
ଭୁବନେଶ୍ୱର: ଟାଟା ଷ୍ଟିଲ୍ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ୨୦୨୩ର ୧୭ତମ ସଂସ୍କରଣର ଶ୍ରେଷ୍ଠ ପାଂଚ ଜଣ ବିଜେତାଙ୍କୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସମ୍ବର୍ଦ୍ଧିତ କରିଛନ୍ତି । ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ସହଯୋଗିତାରେ ଟାଟା ଷ୍ଟିଲ୍ ପକ୍ଷରୁ ଆୟୋଜିତ ୟାଟ୍‌ସର ଏହି ସଂସ୍କରଣରେ ରାଜ୍ୟର ୩୦ଟି ଜିଲ୍ଲାର ୮୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ପୁରସ୍କାର ବିତରଣ ଉତ୍ସବରେ ମାନ୍ୟବର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାର୍ବଜନୀନ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଆଇଏଏସ୍ ଶ୍ରୀମତୀ ଚିତ୍ରା ଆରୁମୁଗମ, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଯୁଗ୍ମ ସଚିବ ଆଇଏଏସ୍ ଡ. ୟେଦୁଲା ବିଜୟ ଓ ଟାଟା ଷ୍ଟିଲ କର୍ପୋରେଟ୍ ସର୍ଭିସେସ୍‌ର ଉପାଧ୍ୟକ୍ଷ ଚାଣକ୍ୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଶ୍ରେଷ୍ଠ ୨୦ ବିଜେତା ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ୟାଟସ୍ ଏହାର ଶୁଭାରମ୍ଭ ପରଠାରୁ ଲୋକପ୍ରିୟତା ହାସଲ କରିଆସୁଛି । ମୁଁ ଆନନ୍ଦିତ ଯେ ଆମ ରାଜ୍ୟର ୩୦ଟି ଜିଲ୍ଲାର ୮୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ୟାଟସ୍ ଏକ ପ୍ଲାଟଫର୍ମ ଭାବରେ ବିକଶିତ ହୋଇଛି ଯାହା ଅଭିନବ ଚିନ୍ତା କରିବାକୁ ଯୁବବର୍ଗକୁ ଉତ୍ସାହିତ କରୁଛି । ଏହି କାର୍ଯ୍ୟକ୍ରମ ଓଡ଼ିଶାର ମହାନ ପୁତ୍ର ପଠାଣୀ ସାମନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ପ୍ରତିବର୍ଷ ଏହି ଅନନ୍ୟ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରୁଥିବାରୁ ମୁଁ ଟାଟା ଷ୍ଟିଲ ଓ ପଠାଣି ସାମନ୍ତ ପ୍ଲାନେଟୋରିୟମକୁ ଅଭିନନ୍ଦନ ଜଣାଉଛି ଏବଂ ଏହି କାର୍ଯ୍ୟକ୍ରମର ଆଗାମୀ ସଂସ୍କରଣ ପାଇଁ ଶୁଭେଚ୍ଛା ଜଣାଉଛି ।’’

ଟାଟା ଷ୍ଟିଲର କର୍ପୋରେଟ୍ ସର୍ଭିସେସ୍ ଉପାଧ୍ୟକ୍ଷ ଶ୍ରୀ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, “ୟାଟ୍‌ସର ପ୍ରତ୍ୟେକ ସଂସ୍କରଣରେ ଅଂଶଗ୍ରହଣକାରୀ, ବିଶେଷ କରି ଓଡ଼ିଶାର ଯୁବବର୍ଗଙ୍କ ସଂଖ୍ୟା ବୃଦ୍ଧି ପାଇବା ଏହାର ମୂଲ୍ୟ ଏବଂ ସଫଳତାର ଏକ ଜ୍ୱଳନ୍ତ ପ୍ରମାଣ । ୟାଟ୍‌ସର ୨୦୨୩ ସଂସ୍କରଣ ମଧ୍ୟ ଭାରତର ସବୁଠାରୁ ସଫଳ ମହାକାଶ ଅଭିଯାନ ଚନ୍ଦ୍ରଯାନ-୩କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଯାହା ଆମ ଯୁବ ବୈଜ୍ଞାନିକମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ସୃଷ୍ଟି କରିଛି । ଭାରତର ଭବିଷ୍ୟତ ପାଇଁ ଅମୂଲ୍ୟ ସାବ୍ୟସ୍ତ ହେବାକୁ ଥିବା ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ଅଭିଯାନ ଏବଂ ବୈଷୟିକ ଜ୍ଞାନକୌଶଳର ଅଜ୍ଞାତ କ୍ଷେତ୍ର ପ୍ରତି ଏତେ ସଂଖ୍ୟକ ଯୁବବର୍ଗ ଆକର୍ଷିତ ହେବା ଅତ୍ୟନ୍ତ ଉତ୍ସାହଜନକ । ୟାଟ୍‌ସ ୨୦୨୩ର ବିଜେତା ଏବଂ ଏହାକୁ ସଫଳ କରିଥିବା ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ ।’’

ଏହି ପ୍ରତିଯୋଗିତାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟରେ ପ୍ରତ୍ୟକ୍ଷ ଭାବେ ପରିଚାଳିତ ଏକ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବହୁଚୟନୀୟ ପ୍ରଶ୍ନ ମୂଲ୍ୟାୟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାର ଶ୍ରେଷ୍ଠ ପାଂଚ ଜଣ ବିଜେତାଙ୍କ ସହିତ ମୋଟ ୨୦ ଜଣ ବିଜେତା ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ୨୦୨୪ ଜୁନ୍‌ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥ୍ରାର ଏକ କେନ୍ଦ୍ର ପରିଦର୍ଶନରେ ନିଆଯିବ ଯେଉଁଠାରେ ସେମାନେ ଦେଶର ବିଶିଷ୍ଟ ମହାକାଶ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ ।
୧୭ ବର୍ଷ ପୂର୍ବେ ଶୁଭାରମ୍ଭ ପରଠାରୁ ରାଜ୍ୟରେ ୩,୫୦,୦୦୦ରୁ ଅଧିକ ଯୁବ ବିଜ୍ଞାନ ପ୍ରେମୀ ୟାଟ୍‌ସରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଛନ୍ତି ଯାହା କାର୍ଯ୍ୟକ୍ରମର ସ୍ଥାୟୀ ପ୍ରଭାବ ଉପରେ ଆଲୋକପାତ କରୁଛି । ସୂଚନାଯୋଗ୍ୟ, ୧୮୦ ଜଣ ଛାତ୍ରଛାତ୍ରୀ ଭାରତରେ ଥିବା ଇସ୍ରୋର ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − 8 =