ଚେନ୍ନାଇରେ ନବୀନଙ୍କ ରୋଡ଼ ଶୋ

ନିବେଶକଙ୍କୁ ସହଯୋଗର ପ୍ରତିଶ୍ରୁତି

ଭୁବନେଶ୍ୱର () : ମୁମ୍ବାଇ ଓ ଦିଲ୍ଲୀ ପରେ ଚେନ୍ନାଇରେ ମେକ୍ ଇନ୍ ଓଡିଶା କନକ୍ଲେଭ କରିଛନ୍ତି ରାଜ୍ୟ ସରକାର । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସାମିଲ ହୋଇଛନ୍ତି । ଓଡିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଠ କରିବା ଏହି କନକ୍ଲେଭର ମୁଖ୍ୟ ଲକ୍ଷ୍ୟ । ନିବେଶକଙ୍କୁ ଆକୃଷ୍ଠ କରିବା ପାଇଁ ଚେନାଇରେ ବିଭିନ୍ନ ଉଦ୍ୟୋଗପତିଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ଫିକି ପକ୍ଷରୁ ଆୟୋଜିତ ରୋଡ଼ ଶୋରେ ମୁଖ୍ୟମନ୍ତ୍ରୀ ବହୁ ପୁଞ୍ଜିନିବେଶକାରୀଙ୍କୁ ଭେଟିଥିଲେ । ରାମକୋ ଗ୍ରୁପର ଅଧ୍ୟକ୍ଷ, ଶ୍ରୀରାମ ଗ୍ରୁପର ଅଧ୍ୟକ୍ଷ, ମୁରୁଗାପ୍ପା ଗ୍ରୁପର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ, ସିଟେକ୍ସ ପେଟ୍ରୋକେମିକଲସର ପରିଚାଳନା ନିର୍ଦେଶକ ଏମିତି ବହୁ ନାମିଦାମୀ ପୁଞ୍ଜିନିବେଶକାରୀଙ୍କ ସହ ନବୀନ ଆଲୋଚନା କରିଥିଲେ । ତାମିଲନାଡୁର 350ରୁ ଅଧିକ କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶର ସୁଯୋଗ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀ ସବୁ ଶିଳ୍ପପତିଙ୍କୁ ମେକଇନ ଓଡିଶାରେ ଭାଗ ନେବାକୁ ଆମନ୍ତ୍ରଣ କରିଥିଲେ । ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ବନ୍ଦର ପରିବହନ କ୍ଷମତା ପ୍ରାୟ 10 ଗୁଣ ବୃଦ୍ଧିପାଇ 190 ନିୟୁତ ଟନରେ ପହଂଚିଛି । ସେହିଭଳି ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ତିନିଗୁଣ ବଢିଥିବା ବେଳେ ପରିବହନ କ୍ଷମତା ମଧ୍ୟ 50 ପ୍ରତିଶତ ବଢିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ପୁଞ୍ଜିନିବେଶ ପାଇଁ ଥିବା ଗୋ-ସ୍ୱିଫ୍ଟ ପୋଟାଲରେ 400 ତମ ପୁଞ୍ଜିନିବେଶ ପ୍ରସ୍ତାବ ଘୋଷଣା କରିଥିଲେ । ଟାଟା ଷ୍ଟିଲ ପକ୍ଷରୁ ରାଜ୍ୟରେ ବାର୍ଷିକ 1.80 ଲକ୍ଷ ଷ୍ଟିଲ କବାଟ ଓ ଝରକା ୟୁନିଟ ନିର୍ମାଣ କ୍ଷମତା ବିଶିଷ୍ଟ କାରଖାନା ଖୋଲିବାକୁ ଏହି ପ୍ରସ୍ତାବ ଦିଆଯାଇଛି । ଯାଜପୁର ଜିଲ୍ଲା କଳିଙ୍ଗନଗରରେ ପ୍ରସ୍ତାବିତ ଏହି ପ୍ରକଳ୍ପରେ 92 କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ ।

ଗୋ-ସ୍ୱିଫ୍ଟରେ ମାତ୍ର 10 ମାସ ମଧ୍ୟରେ 400 ପ୍ରସ୍ତାବ ଆସିଛି । ଏହା ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହର ସଂକେତ ଦେଉଛି । ସେ ଯୁବ ଉଦ୍ୟୋଗୀଙ୍କୁ ପବ୍ଲିକ ସର୍ଭିସ ବ୍ୟବସ୍ଥାରେ ରହିଥିବା ସମସ୍ୟାର ସମାଧାନ ପାଇଁ ଅଭିନବ ଜ୍ଞାନକୌଶଳ ଆଣିବାକୁ ଆହ୍ୱାନ ଦେଇଥିଲେ । ଏଦିଗରେ ସର୍ଟଲିଷ୍ଟ ହୋଇଥିବା ପ୍ରକଳ୍ପକୁ ପାଇଲଟ ପ୍ରକଳ୍ପ ଭାବେ ଗ୍ରହଣ କରାଯିବ ଏବଂ ବିଜେତାଙ୍କୁ ପୁରଷ୍କୃତ କରାଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ରହିଥିବା ସୁଯୋଗ ଯେପରିକି କମ ବ୍ୟବସାୟିକ ଖର୍ଚ୍ଚ, ଶିଳ୍ପ ପାଇଁ କ୍ଲଷ୍ଟର, ଶିଳ୍ପ ପାଇଁ ଲାଣ୍ଡ ବ୍ୟାଙ୍କ ଆଦିର ସୁବିଧା ସମ୍ପର୍କରେ ଜଣାଇଥିଲେ ।

Share

Leave a Reply

Your email address will not be published. Required fields are marked *

six − 2 =