Business

ଓଡ଼ିଶାରେ ୧୦୦ ଜଣ ସ୍ଥାନୀୟ ବ୍ୟାଙ୍କ ଅଧିକାରୀ ନିଯୁକ୍ତ କରିବ ବ୍ୟାଙ୍କ ଅଫ୍ ବରୋଦା

ଭୁବନେଶ୍ୱର: ଭାରତର ଅଗ୍ରଣୀ ସରକାରୀ ବ୍ୟାଙ୍କମାନଙ୍କ ମଧ୍ୟରୁ ଅନ୍ୟତମ ବ୍ୟାଙ୍କ ଅଫ୍ ବରୋଦା ଓଡ଼ିଶାରେ ଜୁନିୟର ମ୍ୟାନେଜମେଣ୍ଟ ଗ୍ରେଡ୍‌/ସ୍କେଲ୍‌–୧ (ଜେଏମ୍‌‌ଜି/ଏସ୍‌–୧) ନିୟମିତ ପଦବୀରେ ୧୦୦ ଜଣ ସ୍ଥାନୀୟ ବ୍ୟାଙ୍କ ଅଧିକାରୀ ନିଯୁକ୍ତ କରିବାକୁ ଘୋଷଣା କରିଛି। ରାଜ୍ୟରେ ସ୍ଥାନୀୟ ଯୁବକ ଓ ଯୁବତୀଙ୍କ ପାଇଁ ଚାକିରିର ସୁଯୋଗ ବଢ଼ାଇବା ସହ ବ୍ୟାଙ୍କର ସେବାକୁ ଆହୁରି ସୁଦୃଢ଼ କରିବା ଏହି ନିଯୁକ୍ତି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ନିଯୁକ୍ତି ବ୍ୟାଙ୍କର ଦେଶବ୍ୟାପୀ ବୃହତ୍ ନିଯୁକ୍ତି ଅଭିଯାନର ଏକ ଅଂଶ । ଏହା ଅଧୀନରେ ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୨,୪୮୨ ଜଣ ସ୍ଥାନୀୟ ବ୍ୟାଙ୍କ ଅଧିକାରୀ ନିଯୁକ୍ତ ହେବେ । ଯୁବ ବ୍ୟାଙ୍କିଙ୍ଗ ପେଶାଦାରଙ୍କ ପାଇଁ ଭଲ କ୍ୟାରିୟରର ସୁଯୋଗ ସୃଷ୍ଟି କରିବା, ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହନ ଦେବା ଏବଂ ଗାଁ ଓ ସହର ସ୍ତରରେ ଗ୍ରାହକଙ୍କୁ ଉନ୍ନତ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା ଏହି ଅଭିଯାନର ଲକ୍ଷ୍ୟ।
ଏହି ନିଯୁକ୍ତିର ଏକ ବିଶେଷ ଦିଗ ହେଉଛି, ମନୋନୀତ ଅଧିକାରୀ ମାନେ ଯେଉଁ ରାଜ୍ୟ ପାଇଁ ଆବେଦନ କରିଛନ୍ତି, ସେହି ରାଜ୍ୟରେ ପ୍ରଥମ ୧୨ ବର୍ଷ ପର୍ଯ୍ୟନ୍ତ କିମ୍ବା ଏସ୍‌‌ଏମ୍‌‌ଜିଏସ୍‌–୪ ପଦକୁ ପଦୋନ୍ନତି ପାଇବା ପର୍ଯ୍ୟନ୍ତ (ଯେଉଁଟି ପ୍ରଥମେ ହେବ) କାର୍ଯ୍ୟ କରିବେ । ଏହାଦ୍ୱାରା ବ୍ୟାଙ୍କ ଏପରି ଏକ କର୍ମଚାରୀ ଦଳ ଗଢ଼ିପାରିବ, ଯେଉଁମାନେ ସ୍ଥାନୀୟ ଭାଷାରେ ପାରଙ୍ଗମ, ସ୍ଥାନୀୟ ସଂସ୍କୃତି ସହ ପରିଚିତ ଏବଂ ସ୍ଥାନୀୟ ବଜାର ସମ୍ପର୍କରେ ଭଲ ଜ୍ଞାନ ରଖିଥିବେ । ଫଳରେ ଗ୍ରାହକଙ୍କ ସହ ବ୍ୟାଙ୍କର ସମ୍ପର୍କ ଆହୁରି ଦୃଢ଼ ହେବ, ସେବାର ମାନ ବଢ଼ିବ ଏବଂ ପ୍ରତ୍ୟେକ ଅଞ୍ଚଳର ଗ୍ରାହକଙ୍କ ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ ଅଧିକ ଭଲ ଭାବରେ ପୂରଣ କରାଯାଇପାରିବ ।
ସ୍ଥାନୀୟ ପ୍ରତିଭାଙ୍କୁ ନିଜ ରାଜ୍ୟରେ ରହି ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିୟର ଗଢ଼ିବାର ସୁଯୋଗ ଦେବା ସହିତ, ଏହି ପଦକ୍ଷେପ ରାଜ୍ୟର ବିକାଶ ସହ ବ୍ୟାଙ୍କର ଅଗ୍ରଗତିକୁ ଯୋଡ଼ିବାକୁ ମଧ୍ୟ ଲକ୍ଷ୍ୟ ରଖିଛି। ଏହା ସ୍ଥାନୀୟ ବଜାରରେ ବ୍ୟାଙ୍କର ସେବା ଓ ଉପସ୍ଥିତିକୁ ଆହୁରି ମଜବୁତ କରିବ । ଦେଶବ୍ୟାପୀ ବ୍ୟାପକ ସେବା ପହଞ୍ଚ ଥିବା ଏକ ସରକାରୀ ବ୍ୟାଙ୍କ ଭାବେ, ବ୍ୟାଙ୍କ ଅଫ୍ ବରୋଦା ସମସ୍ତଙ୍କୁ ସାମିଲ କରି ବିକାଶ, ନିଯୁକ୍ତି ସୃଷ୍ଟି ଏବଂ ଦେଶର ଆର୍ôଥକ ଉନ୍ନତିରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଜାରି ରଖିଛି।

ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଲାଲ ସିଂହ କହିଛନ୍ତି:“ଏହି ନିଯୁକ୍ତି ଅଭିଯାନ କେବଳ ଆମ କର୍ମଚାରୀ ଦଳକୁ ବଢ଼ାଇବା ପାଇଁ ନୁହେଁ, ବରଂ ଆମେ ସେବା ପ୍ରଦାନ କରୁଥିବା ସମାଜ ଓ ଅର୍ଥନୀତିର ବିକାଶ ପାଇଁ ମଧ୍ୟ ଏକ ବଡ଼ ପଦକ୍ଷେପ । ସ୍ଥାନୀୟ ଭାଷା ଓ ପରିବେଶ ସମ୍ପର୍କରେ ଭଲ ବୁଝାମଣା ଥିବା ଯୁବ ବ୍ୟାଙ୍କିଙ୍ଗପେଶାଦାରଙ୍କୁ ସାମିଲ କରି ଆମେ ବିଭିନ୍ନ ଅଞ୍ଚଳର ଗ୍ରାହକଙ୍କ ବଦଳୁଥିବା ଆବଶ୍ୟକତାକୁ ଅଧିକ ଭଲ ଭାବରେ ପୂରଣ କରିପାରିବୁ।
ତାହା ସହିତ, ଏହି ପଦକ୍ଷେପ ସ୍ଥାନୀୟ ପ୍ରତିଭାଙ୍କୁ ନିଜ ରାଜ୍ୟରେ ରହି ଏକ ଭଲ କ୍ୟାରିୟର ଗଢ଼ିବା ଏବଂ ରାଜ୍ୟର ଆର୍ôଥକ ବିକାଶରେ ସହଯୋଗ କରିବାର ସୁଯୋଗ ଦେଉଛି। ସମସ୍ତଙ୍କୁ ସାମିଲ କରି ବିକାଶ ଓ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏକ ସରକାରୀ ବ୍ୟାଙ୍କ ଭାବେ ଆମର ଭୂମିକା ସହ ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଭାବେ ମେଳ ଖାଉଛି।”

ନିଯୁକ୍ତି ସମ୍ପର୍କିତ ପ୍ରମୁଖ ସୂଚନା
– ପଦବୀ: ସ୍ଥାନୀୟ ବ୍ୟାଙ୍କ ଅଧିକାରୀ (ଜୁନିୟର ମ୍ୟାନେଜମେଣ୍ଟ ଗ୍ରେଡ୍‌/ସ୍କେଲ୍‌–୧(ଜେଏମ୍‌‌ଜି/ଏସ୍‌–୧))
– ଦେଶବ୍ୟାପୀ ମୋଟ ଖାଲି ପଦ: ୨,୪୮୨
– ବୟସ ସୀମା: ୨୧ରୁ ୩୦ ବର୍ଷ (୧ ଅଗଷ୍ଟ ୨୦୨୬ ସୁଦ୍ଧା; ନିୟମ ଅନୁଯାୟୀ ବୟସରେ ଛାଡ଼ ମିଳିବ)
– ଶିକ୍ଷାଗତ ଯୋଗ୍ୟତା: ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ।
– କାର୍ଯ୍ୟ ଅଭିଜ୍ଞତା: ଶିକ୍ଷା ସମାପ୍ତ କରିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଦ୍ୱିତୀୟ ସୂଚୀରେ ଥିବା ଯେକୌଣସି ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କରେ ଅଧିକାରୀ ଭାବେ ଅତି କମରେ ୧ ବର୍ଷର ଅଭିଜ୍ଞତା।
– ସ୍ଥାନୀୟ ଭାଷାରେ ଦକ୍ଷତା: ପ୍ରାର୍ଥୀ ଯେଉଁ ରାଜ୍ୟ ପାଇଁ ଆବେଦନ କରୁଛନ୍ତି, ସେହି ରାଜ୍ୟର ସ୍ଥାନୀୟ ଭାଷା ପଢ଼ିବା, ଲେଖିବା, କହିବା ଓ ବୁଝିବାରେ ପାରଙ୍ଗମ ହେବା ଆବଶ୍ୟକ।
– ନିଯୁକ୍ତି ସର୍ତ୍ତ: ପ୍ରଥମ ୧୨ ବର୍ଷ ପର୍ଯ୍ୟନ୍ତ କିମ୍ବା ଏସ୍‌‌ଏମ୍‌‌ଜିଏସ୍‌–୪ ପଦକୁ ପଦୋନ୍ନତି ହେବା ପର୍ଯ୍ୟନ୍ତ (ଯେଉଁଟି ପ୍ରଥମେ ହେବ) ପ୍ରାର୍ଥୀ ଆବେଦନ କରିଥିବା ରାଜ୍ୟରେ ହିଁ କାର୍ଯ୍ୟରତ ରହିବେ।
– ଆବେଦନର ଶେଷ ତାରିଖ: ୭ ସେପ୍ଟମ୍ବର ୨୦୨୬
ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ ସମୟ ସୀମା ମଧ୍ୟରେ ବ୍ୟାଙ୍କ ଅଫ୍ ବରୋଦାର ୱେବସାଇଟ୍‌‌ ମାଧ୍ୟମରେ ଅନଲାଇନ୍‌‌ରେ ଏହି ପଦ ପାଇଁ ଆବେଦନ କରିପାରିବେ।

Share

Leave a Reply

Your email address will not be published. Required fields are marked *

fourteen − 9 =