ଟିପିଏନଓଡିଏଲ୍ ଦ୍ଵାରା ପିଏମ୍ ସୂର୍ଯ୍ୟ ଘର ଯୋଜନା ନେଇ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଜାରି
ଉତ୍ତର ଓଡ଼ିଶାରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ତୃଣମୂଳ ସ୍ତରରେ ସଚେତନତା ଓ ଉପଭୋକ୍ତାଙ୍କ ସହ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ ସେବା ସେତୁ ଶିବିର ଏବଂ ସୋଲାର ରଥ ମାଧ୍ୟମରେ ବ୍ୟାପକ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ।
ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲାର ଉଦଳା, ବାଲେଶ୍ୱର ଜିଲ୍ଲାର ଭୋଗରାଇ, କେନ୍ଦୁଝର ଜିଲ୍ଲାର ଢେଙ୍କିକୋଟ ଏବଂ ଯାଜପୁର ଜିଲ୍ଲାର ଧର୍ମଶାଳା ଠାରେ ସେବା ସେତୁ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଉପଭୋକ୍ତାମାନେ ଟିପିଏନଓଡିଏଲ୍ର ସୋଲାର ସେଲ୍ କର୍ତ୍ତୃପକ୍ଷ, ଗ୍ରାହକ ସେବା ଅଧିକାରୀ ଏବଂ ବ୍ୟବସାୟିକ ସହଯୋଗୀମାନଙ୍କ ସହ ସିଧାସଳଖ ଯୋଗାଯୋଗ କରି ରୁଫ୍ଟପ୍ ସୋଲାର ପଞ୍ଜୀକରଣ, ଯୋଗ୍ୟତା, ସରକାରୀ ସବସିଡି ଏବଂ ଆବେଦନ ପ୍ରକ୍ରିୟା ସମ୍ପର୍କରେ ସୂଚନା ଓ ଆବଶ୍ୟକ ସହାୟତା ପ୍ରଦାନ କରଯାଇଥିଲା I ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ତଥା ସେବା ସେତୁ ଶିବିର ମାଧ୍ୟମରେ ପାଞ୍ଚଟି ଜିଲ୍ଲାରେ ପ୍ରାୟତଃ ୪୭୫ଜଣ ଉପଭୋକ୍ତା ପଞ୍ଜୀକରଣ କରିଥିଲେ I
ଉଦଳାରେ ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ହେମକାନ୍ତ ସୟ୍ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିବାବେଳେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଢେଙ୍କିକୋଟରେ ବିଡିଓ ଶ୍ରୀ ଖଗେଶ୍ୱର ବରାଳ ଏବଂ ଭୋଗରାଇରେ ବିଡିଓ ଶ୍ରୀ ପ୍ରଶାନ୍ତ ମହାରଣାଙ୍କ ସମେତ ସ୍ଥାନୀୟ ଅଂଶୀଦାରମାନେ ସଚେତନତା ଶିବିରରେ ସାମିଲ ହୋଇ ଉପଭୋକ୍ତାମାନଙ୍କୁ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ତଥା ରୁଫ-ଟପ ସୋଲାରର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ।
ଧର୍ମଶାଳା କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅମ୍ବର କୁମାର କର ଯାଜପୁର ଜିଲ୍ଲା ପାଇଁ ସୋଲାର ରଥ ସଚେତନତା ଅଭିଯାନକୁ ସବୁଜପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଯାଜପୁର ଏଡିଏମ୍ ଶ୍ରୀ ଯୁଧିଷ୍ଠିର ନାଏକ, ଟିପିଏନଓଡିଏଲ୍ ଅଧିକାରୀବୃନ୍ଦ ଓ ସ୍ଥାନୀୟ ଅଂଶୀଦାରମାନେ ଉପସ୍ଥିତ ଥିଲେ।
ଏହି ପଦକ୍ଷେପ ସମ୍ପର୍କରେ ଟିପିଏନଓଡିଏଲ୍ର ସିଇଓ ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି, “ସେବା ସେତୁ ଶିବିର ଓ ସୋଲାର ରଥ ମାଧ୍ୟମରେ ପିଏମ୍ ସୂର୍ଯ୍ୟ ଘର ଯୋଜନାକୁ ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବା ସହ ରୁଫ୍ଟପ୍ ସୋଲାର ପାଇଁ ଆବଶ୍ୟକ ସୂଚନା, ମାର୍ଗଦର୍ଶନ ଓ ସହାୟତା ଯୋଗାଇ ଦିଆଯାଉଛି I ଉତ୍ତର ଓଡ଼ିଶାରେ ସ୍ୱଚ୍ଛ ଶକ୍ତି ବ୍ୟବହାରରେ ବୃଦ୍ଧି ସହ ଗୁଣାତ୍ମକ ବିଦ୍ୟୁତ ସେବା ନେଇ ଜିଲ୍ଲା ପ୍ରଶାସନ ଓ ଅଞ୍ଚଳବାସୀଙ୍କ ସହଯୋଗରେ ଟିପିଏନଓଡିଏଲ୍ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜାରି ରଖିଛି I”
ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜ୍ଲି ଯୋଜନା, ଘରୋଇ ଉପଭୋକ୍ତାଙ୍କୁ ରୁଫ୍ଟପ୍ ସୋଲାର ଲଗାଇବା ପାଇଁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେଉଛି । ଏହା ମାଧ୍ୟମରେ ସବୁଜ ଶକ୍ତି ବ୍ୟବହାରରେ ବୃଦ୍ଧି ହେବା ସହ ଉପଭୋକ୍ତାମାନେ ନିଜର ବିଦ୍ୟୁତ୍ ଖର୍ଚ୍ଚରେ ହ୍ରାସ କରିପାରୁଛନ୍ତି । ଗ୍ରାହକଙ୍କ ପାଖରେ ଯୋଜନାର ସୂଚନା ଓ ଆବେଦନ ସହାୟତା ପହଞ୍ଚାଇବା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଆଗାମୀ ଦିନରେ ସେବା ସେତୁ ଶିବିର ଆୟୋଜନ କରାଯିବାର ଯୋଜନା ରହିଛି ବୋଲି ଟିପିଏନଓଡିଏଲ୍ ପକ୍ଷରୁ ସୂଚନା ଦିଆଯାଇଛି I

