ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ର AEE ଶିଶିର କୁମାର ଦାଶଙ୍କ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ । ତାଙ୍କ ଜଣାଶୁଣା ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଛି ।
ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ୬ଟି ସ୍ଥାନରେ ଏହି ଚଢ଼ାଉ କରୁଛି । ଚଢ଼ାଉରେ ଜଣେ ଅତିରିକ୍ତ ଏସ୍ ପି, ୫ ଜଣ ଡିଏସ୍ ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି । ଭୁବନେଶ୍ୱରର ବରମୁଣ୍ଡାସ୍ଥିତ ଚାରି ମହଲା କୋଠା, ବ୍ରହ୍ମପୁରର ନୀଳାଚଳ ନଗରସ୍ଥିତ ଦୁଇ ମହଲା କୋଠା, ଗଞ୍ଜାମ ଜିଲ୍ଲା ବାସୁଦେବପୁର ଗୋବରାସ୍ଥିତ ଏକ ଘର, ବ୍ରହ୍ମପୁରର ଗଜପତି ନଗରସ୍ଥିତ ପୈତୃକ ଘର, ମାଲକାନଗିରିରେ ଥିବା ଭଡ଼ା ଘର ଓ ମାଲକାନଗିରି ଡିଆର୍ ଡିଏ କାର୍ଯ୍ୟାଳୟରେ ଥିବା ତାଙ୍କ ଚାମ୍ବରରେ ଚଢ଼ାଉ ଜାରି ରହିଛି ।
ଶିଶିର କୁମାର ଦାଶ ମାଥିଲି ବ୍ଲକ୍ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବାବେଳେ ମାଲକାନଗିରି ଡିଆରଡିଏ ଦାୟିତ୍ୱରେ ମଧ୍ୟ ଅଛନ୍ତି । ତାଙ୍କ ସମ୍ପତ୍ତିର ଆକଳନ ଓ ଯାଞ୍ଚ ପାଇଁ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଜାରି ରହିଛି । ଚଢ଼ାଉ ଶେଷ ହେବା ପରେ ସମ୍ପତ୍ତିର ସବିଶେଷ ବିବରଣୀ ଜଣାପଡ଼ିବ ।

