ଟିପିଡବ୍ଲୁଓଡିଏଲର ବୃତ୍ତିଗତ ପ୍ରଶିକ୍ଷଣ କେନ୍ଦ୍ର ୮୦ ପ୍ରତିଶତରୁ ଅଧିକ ନିଯୁକ୍ତି ସୁଯୋଗ ସୁନିଶ୍ଚିତ କରୁଛି
ପଶ୍ଚିମ ଓଡ଼ିଶାର ପ୍ରାୟ ୧୦୦୦ ଯୁବକ-ଯୁବତୀଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ସୁଯୋଗ ଏବଂ ଆର୍ଥିକ ସ୍ୱାଧୀନତା ସୃଷ୍ଟି କରିବା ଦିଗରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍)ର ପ୍ରଥମ ପଦକ୍ଷେପ ସମ୍ପୂର୍ଣ୍ଣ ରୂପେ ସଫଳ ସାବ୍ୟସ୍ତ ହୋଇପାରିଛି । ୨୦୨୫-୨୬ ଆର୍ଥିକ ବର୍ଷରେ କମ୍ପାନୀର ସାମାଜିକ ଦାୟିତ୍ୱବୋଧ (CSR) ବିଭାଗ ପକ୍ଷରୁ ପ୍ରତିଷ୍ଠିତ ବୃତ୍ତିଗତ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ମାଧ୍ୟମରେ ୯୯୫ ଜଣ ଯୁବକ-ଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦୩ ଜଣ ନିଯୁକ୍ତି ପାଇପାରିଛନ୍ତି । ଯାହା ୮୦%ରୁ ଅଧିକ ନିଯୁକ୍ତି ହାର (ପ୍ଲେସମେଣ୍ଟ ରେଟ୍) ଦର୍ଶାଉଛି । ଏହି ଯାତ୍ରାରେ ମହିଳାମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି; ଏହି ବର୍ଷ ମଧ୍ୟରେ ୪୮୨ ଜଣ ମହିଳା ପ୍ରଶିକ୍ଷଣ ନେଇଥିବାବେଳେ ୩୯୭ ଜଣ ନିଯୁକ୍ତି ପାଇପାରିଛନ୍ତି ।
ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଟିପିଡବ୍ଲୁଓଡିଏଲର ସାମାଜିକ ଦାୟିତ୍ୱବୋଧ (CSR) ପ୍ରୟାସର ଅଂଶବିଶେଷ ଭାବେ ୨୦୨୨-୨୩ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ, ଯୁବକ-ଯୁବତୀମାନଙ୍କୁ ବ୍ୟାବହାରିକ ଓ କାର୍ଯ୍ୟକ୍ଷେତ୍ର-ଉପଯୋଗୀ ଦକ୍ଷତା ପ୍ରଦାନ କରି ପ୍ରଶିକ୍ଷଣ ଓ ନିଯୁକ୍ତି ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଉପରେ ଗୁରୁତ୍ୱ ଦେଉଅଛି । ବର୍ତ୍ତମାନ ଟିପିଡବ୍ଲୁଓଡିଏଲର ବୃତ୍ତିଗତ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ଛଅଟି ଜିଲ୍ଲା ଯଥା – ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ସୁନ୍ଦରଗଡ଼, ସମ୍ବଲପୁର ଏବଂ ସୋନପୁରରେ କାର୍ଯ୍ୟ କରୁଅଛି । ଏହି କେନ୍ଦ୍ରଗୁଡ଼ିକରେ ଜେନେରାଲ ଡ୍ୟୁଟି ଆସିଷ୍ଟାଣ୍ଟ, ଇଲେକ୍ଟ୍ରିକାଲ, ପ୍ଲମ୍ବିଂ, ସୋଲାର ଇନ୍ଷ୍ଟଲର, କଷ୍ଟମର କେୟାର ଏବଂ ଖାଦ୍ୟ ଏବଂ ପାନୀୟ—ଏହି ୬ଟି ଟ୍ରେଡ୍ରେ ତାଲିମ ପ୍ରଦାନ କରାଯାଉଛି । ଏହି ଟ୍ରେନିଂ ସେଣ୍ଟରଗୁଡ଼ିକୁ ଏନଜିଓ ସହଯୋଗୀ ‘ପ୍ରଥମ’ (Pratham) ଓ ଓରିଅନ୍ (Orion) ସମର୍ଥନ ଯୋଗାଉଛନ୍ତି ।
ତେବେ ଏହି ପଦକ୍ଷେପର ପ୍ରଭାବ କେବଳ ସଂଖ୍ୟାରେ ସୀମିତ ନୁହେଁ । ଅନେକ ଯୁବକ-ଯୁବତୀଙ୍କ ପାଇଁ ଏହି ତାଲିମ ପ୍ରଥମ ଚାକିରି, ନିୟମିତ ଆୟ ଏବଂ ନିଜ ପାଇଁ ଓ ପରିବାର ପାଇଁ ଅଧିକ ଆର୍ଥିକ ସ୍ୱାବଲମ୍ବନର ଏକ ମାର୍ଗ ସୃଷ୍ଟି କରିଛି ।
ବଲାଙ୍ଗିର ନିକଟସ୍ଥ ଅଞ୍ଚଳରୁ ଦିନ ମଜୁରିଆ ପରିବାରରୁ ଆସିଥିବା ଶ୍ରାବଣୀ ସାଇ ଦୀର୍ଘଦିନ ଧରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାର ପାଇଁ ଏକ ଭଲ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଥିଲେ । ‘ପ୍ରଥମ’ (Pratham) ସଂସ୍ଥାର ସହଯୋଗରେ ପରିଚାଳିତ ଟିପିଡବ୍ଲୁଓଡିଏଲର ବୃତ୍ତିଗତ ପ୍ରଶିକ୍ଷଣ କେନ୍ଦ୍ରରେ ‘ଜେନେରାଲ୍ ଡ୍ୟୁଟି ଆସିଷ୍ଟାଣ୍ଟ’ ପାଠ୍ୟକ୍ରମରେ ସେ ନାମ ଲେଖାଇଥିଲେ । ପ୍ରଶିକ୍ଷଣ ସମାପ୍ତ କରିବା ପରେ ଏବେ ସେ ବଲାଙ୍ଗୀର ସହରର ଏକ ଡାକ୍ତରଖାନାରେ ଚାକିରି ପାଇଛନ୍ତି ।
“ଦୈନିକ ମଜୁରୀ ଖଟୁଥିବା ଏକ ପରିବାରରୁ ଆସିଥିବାରୁ, ମୁଁ ସର୍ବଦା ମୋ ପରିବାର ପାଇଁ ଏକ ଉନ୍ନତ ଭବିଷ୍ୟତ ଗଠନ କରିବାକୁ ଚାହୁଁଥିଲି । ଟିପିଡବ୍ଲୁଓଡିଏଲ୍ ଦ୍ୱାରା ପ୍ରଦତ୍ତ ବୃତ୍ତିଗତ ପ୍ରଶିକ୍ଷଣ ମୋତେ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଆବଶ୍ୟକ ଦକ୍ଷତା ଓ ଆତ୍ମବିଶ୍ୱାସ ଯୋଗାଇଦେଲା । ଏହି ପାଠ୍ୟକ୍ରମ ସମାପ୍ତ କରିବା ଫଳରେ ମୁଁ ଏକ ଡାକ୍ତରଖାନାରେ ଚାକିରି ପାଇପାରିଲି ଏବଂ ଆର୍ଥିକ ଭାବେ ସ୍ୱାଧୀନ ହୋଇପାରିଲି । ଆଜି ମୁଁ ମୋ ପରିବାରର ଭରଣପୋଷଣ କରିପାରୁଛି ଏବଂ ଅଧିକ ଆତ୍ମବିଶ୍ୱାସର ସହ ଭବିଷ୍ୟତ ଆଡ଼କୁ ଅନାଇପାରୁଛି। ଏହି ସୁଯୋଗ ପାଇଁ ମୁଁ ପ୍ରକୃତରେ କୃତଜ୍ଞ,” ବୋଲି ଶ୍ରାବଣୀ କହିଥିଲେ ।
ସୁରଜ ଓରାମଙ୍କ କ୍ଷେତ୍ରରେ ମଧ୍ୟ ଏକ ସମାନ କାହାଣୀ ଦେଖିବାକୁ ମିଳିଥିଲା । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବା ତାଙ୍କ ବାପାଙ୍କ ଦେହାନ୍ତ ପରେ ତାଙ୍କ ପରିସ୍ଥିତି ବଦଳି ଯାଇଥିଲା । କାନ୍ଧରେ ପରିବାରର ଦାୟିତ୍ୱ ପଡ଼ିବା ପରେ, ସୁରଜ ‘କଷ୍ଟମର୍ କେୟାର୍’ ପାଠ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ତାଙ୍କୁ ଯୋଗାଯୋଗ, ଗ୍ରାହକ ସେବା ଏବଂ ବ୍ୟକ୍ତିଗତ ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥିଲା । ବର୍ତ୍ତମାନ ସୁରଜ ସମ୍ବଲପୁରସ୍ଥିତ ‘ରିଲାଏନ୍ସ ଟ୍ରେଣ୍ଡସ୍’ରେ ଜଣେ ସେଲ୍ସ ଏକ୍ଜିକ୍ୟୁଟିଭ୍ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ମାସିକ ୧୩,୦୦୦ ଟଙ୍କା ସହିତ ଅତିରିକ୍ତ ସୁବିଧା ମଧ୍ୟ ପାଉଛନ୍ତି ।
“ଯେତେବେଳେ ମୋ ବାପାଙ୍କ ଦେହାନ୍ତ ହେଲା, ମୋତେ ପରିବାରର ଦାୟିତ୍ୱ ବହନ କରିବାକୁ ପଡ଼ିଲା, କିନ୍ତୁ ଏକ ସ୍ଥାୟୀ ଚାକିରି ପାଇବା ପାଇଁ ଆବଶ୍ୟକ ଦକ୍ଷତା ଓ ଆତ୍ମବିଶ୍ୱାସ ମୋ ପାଖରେ ନଥିଲା। ଟିପିଡବ୍ଲୁଓଡିଏଲ୍ ସିଏସ୍ଆରର ବୃତ୍ତିଗତ ପ୍ରଶିକ୍ଷଣ କେନ୍ଦ୍ରରେ ‘କଷ୍ଟମର୍ କେୟାର୍ ଏକ୍ଜିକ୍ୟୁଟିଭ୍’ ପାଠ୍ୟକ୍ରମରେ ଯୋଗଦେବା ମୋର ବୈଷୟିକ ଜ୍ଞାନ ଏବଂ ଯୋଗାଯୋଗ ଦକ୍ଷତାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲା । ଆଜି ମୁଁ ‘ରିଲାଏନ୍ସ ଟ୍ରେଣ୍ଡସ୍’ରେ ସେଲ୍ସ ଏକ୍ଜିକ୍ୟୁଟିଭ୍ ଭାବେ କାମ କରି ମାସିକ ୧୩,୦୦୦ ଟଙ୍କା ରୋଜଗାର କରୁଛି, ଯାହା ମୋ ପରିବାରରେ ଆର୍ଥିକ ସ୍ଥିରତା ଆଣିଛି ଏବଂ ମୋ ଗାଁର ଯୁବକମାନଙ୍କୁ ଅନୁପ୍ରାଣିତ କରିଛି,” ବୋଲି ସୁରଜ କହିଥିଲେ ।
ଏହି ପଦକ୍ଷେପ ଉପରେ ମତାମତ ଦେଇ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “ଯେକୌଣସି ଅଞ୍ଚଳର ଭବିଷ୍ୟତ ସେଠାକାର ଯୁବବର୍ଗଙ୍କ ଆଶା-ଆକାଂକ୍ଷା ଏବଂ ସାମର୍ଥ୍ୟ ସହିତ ଘନିଷ୍ଠ ଭାବେ ଜଡ଼ିତ । ଆମର ସିଏସ୍ଆର୍ କାର୍ଯ୍ୟକ୍ରମ ମାଧ୍ୟମରେ, ଆମେ କେବଳ ପ୍ରଶିକ୍ଷଣ ପ୍ରଦାନ କରିବା ମଧ୍ୟରେ ସୀମିତ ନ ରହି ଏପରି ପଥ ପ୍ରସ୍ତୁତ କରିବାକୁ ଚାହୁଁଛୁ ଯାହା ଯୁବକଯୁବତୀମାନଙ୍କୁ ଅର୍ଥନୀତିରେ ଅର୍ଥପୂର୍ଣ୍ଣ ଅଂଶଗ୍ରହଣ କରିବା ଏବଂ ସ୍ଥାୟୀ ଜୀବିକା ଗଠନ କରିବାରେ ସକ୍ଷମ କରିବ। ଆମର ବୃତ୍ତିଗତ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ସେହି ଭବିଷ୍ୟତ ପାଇଁ ଏକ ନିବେଶ ସଦୃଶ — ଯାହା ଯୁବବର୍ଗଙ୍କୁ ନିଜ ଜୀବନ ଗଢ଼ିବା ଏବଂ ନିଜ ସମ୍ପ୍ରଦାୟର ବିକାଶରେ ଯୋଗଦାନ ଦେବା ପାଇଁ ଆବଶ୍ୟକ ଦକ୍ଷତା, ଆତ୍ମବିଶ୍ୱାସ ଓ ସୁଯୋଗ ହାସଲ କରିବାରେ ସହାୟତା କରୁଛି ।”
ଟିପିଡବ୍ଲୁଓଡିଏଲ ପାଇଁ, ଏହି ପଦକ୍ଷେପଟି ଶିକ୍ଷା ଏବଂ ରୋଜଗାର ମଧ୍ୟରେ ଏକ ସେତୁ ନିର୍ମାଣ କରିବା ସହ ଜଡ଼ିତ । ଦକ୍ଷତା ବିକାଶ ସହିତ ନିଯୁକ୍ତି-ଭିତ୍ତିକ ପ୍ରଶିକ୍ଷଣ ଏବଂ ନିଯୁକ୍ତି ସହାୟତାର ସମନ୍ୱୟ ଘଟାଇ, ଏହି କାର୍ଯ୍ୟକ୍ରମ ଯୁବବର୍ଗଙ୍କୁ କର୍ମକ୍ଷେତ୍ରରେ ପ୍ରବେଶ କରିବାର ପ୍ରଥମ ପଦକ୍ଷେପ ନେବାରେ ଏବଂ ଅଧିକ ଆର୍ଥିକ ସ୍ୱାଧୀନତା ଆଡ଼କୁ ଅଗ୍ରସର ହେବାରେ ସାହାଯ୍ୟ କରୁଛି ।
ଶ୍ରାବଣୀ ଏବଂ ସୁରଜଙ୍କ କାହାଣୀ ଏକ ବୃହତ୍ତର ଯାତ୍ରାର ଦୁଇଟି ଉଦାହରଣ-ଯେଉଁଠାରେ ଦକ୍ଷତା ବିକାଶ ସୁଯୋଗ, ସ୍ୱାଧୀନତା ଏବଂ ଏକ ନୂତନ ଆରମ୍ଭର ମାର୍ଗ ପାଲଟିଛି ।

