ରାଜ୍ୟ

କୁଆଖାଇ ଜମି ବିବାଦରେ ବଡ଼ ରାୟ

କୁଆଖାଇ ଜମି ବିବାଦରେ ବଡ଼ ରାୟ । ୪୪ ବର୍ଷର ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ପ୍ରାୟ ୫ ଏକର ଜମିର ମୂଲ୍ୟ ୧୦୦ କୋଟିରୁ ଅଧିକ । ସାଧାରଣ ପ୍ରଶାସନ ବିଭାଗ ନାମରେ ରେକର୍ଡ ପାଇଁ ନିର୍ଦ୍ଦେଶ । ଦୀର୍ଘ ୪୪ ବର୍ଷ ଧରି ଚାଲିଥିବା କୁଆଖାଇ ନଦୀ ପଠା ଜମି ବିବାଦରେ ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ । ପ୍ରାୟ ୫ ଏକର ନଦୀ ପଠା ଜମିର ବ୍ୟକ୍ତିଗତ ରେକର୍ଡକୁ ବାତିଲ କରିଛନ୍ତି ଓଡ଼ିଶା ରାଜସ୍ୱ ପର୍ଷଦ । ଏହି ଜମିର ବର୍ତ୍ତମାନ ବଜାର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦାଖଲ ରିଭିଜନ ମାମଲାର ବିଚାର କରି ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁ ଏହି ରାୟ ଦେଇଛନ୍ତି । ସାବିକ ଓ ହାଲ ରେକର୍ଡ, ସେଟେଲମେଣ୍ଟ ରେକର୍ଡ, ବିକ୍ରୟ ଦଲିଲ, ମାନଚିତ୍ର ଏବଂ ତହସିଲଦାରଙ୍କ ରିପୋର୍ଟ ସମେତ ବିଭିନ୍ନ ଦସ୍ତାବିଜ ଯାଞ୍ଚ ପରେ ଏହି ନିଷ୍ପତ୍ତି ହୋଇଛି। କୁଆଖାଇ ନଦୀପଠାର ଏହି ଜମି କିପରି ବ୍ୟକ୍ତିଗତ ମାଲିକାନାକୁ ଗଲା ? ପୁରୁଣା ରେକର୍ଡରେ ପ୍ରାୟ ୫ ଏକର ଜମି ‘ଅନାବାଦୀ’ ଏବଂ ଏହାର କିସମ ‘ନଦୀ’ ଭାବେ ଉଲ୍ଲେଖ ରହିଥିଲା ।

ପୂର୍ବତନ ଜମିଦାରୀ ବ୍ୟବସ୍ଥା ଉଚ୍ଛେଦ ପରେ ଓଡ଼ିଶା ଇଷ୍ଟେଟ୍ ଆବୋଲିସନ ଆଇନ ଅନୁଯାୟୀ ଏହି ଜମି ରାଜ୍ୟ ସରକାରଙ୍କ ନିକଟରେ ନିହିତ ହୋଇଥିବା ରେକର୍ଡରୁ ଜଣାପଡ଼ିଥିଲା । ଅନ୍ୟପକ୍ଷରେ ବ୍ୟକ୍ତିଗତ ମାଲିକାନା ଦାବି ପାଇଁ ୧୯୪୪ର ଲିଜ୍ ଦଲିଲ ଓ ପରବର୍ତ୍ତୀ ବିକ୍ରୟ ଦଲିଲକୁ ଆଧାର କରାଯାଇଥିଲା। ଜମି ସରକାରଙ୍କ ନିକଟରେ ନିହିତ ହେବା ପରେ ବ୍ୟକ୍ତିଗତ ଅଧିକାର ଜାରି ରହିଥିବା ନେଇ ଆବଶ୍ୟକ ବୈଧ ସରକାରୀ ଆଦେଶ ବା ଅନୁମୋଦନ ଦାଖଲ ହୋଇପାରିନଥିବା ରାୟରେ ଦର୍ଶାଯାଇଛି । ରାଜସ୍ୱ ପର୍ଷଦ ସ୍ପଷ୍ଟ କରିଛନ୍ତି ଯେ, କେବଳ ରେଭେନ୍ୟୁ ରେକର୍ଡରେ ନାମ ରହିବା, ମ୍ୟୁଟେସନ ହେବା କିମ୍ବା ବିକ୍ରୟ ଦଲିଲ ପଞ୍ଜୀକୃତ ହେବା ମାତ୍ରେ ମାଲିକାନା ଅଧିକାର ସୃଷ୍ଟି ହୁଏ ନାହିଁ ।

ବିକ୍ରେତାଙ୍କ ନିକଟରେ ଯେତିକି ବୈଧ ଅଧିକାର ରହିଛି, କ୍ରେତା ତାହାଠାରୁ ଅଧିକ ଅଧିକାର ପାଇପାରିବେ ନାହିଁ । ତହସିଲଦାରଙ୍କ କ୍ଷେତ୍ର ପରିଦର୍ଶନ ରିପୋର୍ଟରେ ମଧ୍ୟ ବିବାଦୀୟ ଜମି କୁଆଖାଇ ନଦୀ ଦ୍ୱାରା ପ୍ରଭାବିତ ହେଉଥିବା ଦର୍ଶାଯାଇଥିଲା । ଏହା ପୁରୁଣା ରେକର୍ଡରେ ଥିବା ‘ନଦୀ’ କିସମକୁ ଆହୁରି ଗୁରୁତ୍ୱ ଦେଇଥିଲା । ସମସ୍ତ ରେକର୍ଡ ଓ ଯୁକ୍ତିର ବିଚାର ପରେ ବିବାଦୀୟ ଜମିର ବ୍ୟକ୍ତିଗତ ରେକର୍ଡ ବାତିଲ କରାଯାଇଛି । ଭୁବନେଶ୍ୱର ତହସିଲଦାରଙ୍କୁ ସାବିକ ଓ ହାଲ ରେକର୍ଡ, ମାନଚିତ୍ର ଏବଂ ଜମିର ବର୍ତ୍ତମାନ ସ୍ଥିତି ଯାଞ୍ଚ କରି ଆଇନ ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ନାମରେ ଆବଶ୍ୟକ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

three × 5 =