ଟିପିଏନ୍ଓଡିଏଲ୍ ବିଦ୍ୟୁତ ବିତରଣ ଅଞ୍ଚଳରେ ୨ ମେଗାୱାଟ୍ର ସୌର ପ୍ରକଳ୍ପ କାର୍ଯ୍ୟକ୍ଷମ: ସ୍ଥାନୀୟ କୃଷକ ସାଜିଲେ ସୌର ଉଦ୍ୟୋଗୀ
ଗ୍ରାମାଞ୍ଚଳ ବିଦ୍ୟୁତ୍ ଭିତ୍ତିଭୂମିକୁ ଅଧିକ ମଜବୁତ୍ କରିବା ଏବଂ ସବୁଜ ଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା ଆଜି ଏକ ବଡ଼ ସଫଳତା ହାସଲ କରିଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବୈଦ୍ୟୁତିକ ଡିଭିଜନ୍ ଅନ୍ତର୍ଗତ ବହଳଦା ସେକ୍ସନ୍ରେ ଥିବା ୩୩/୧୧ କେଭି ପ୍ରାଥମିକ ସବ୍ଷ୍ଟେସନ୍ (ପିଏସ୍ଏସ୍) ଠାରେ ଟିପି ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍)ର ବିଦ୍ୟୁତ୍ ନେଟୱର୍କ ସହିତ ଏକ ନୂଆ ୨ ମେଗାୱାଟ୍ ସୌର ବିଦ୍ୟୁତ୍ ପ୍ରକଳ୍ପକୁ ସଫଳତାର ସହ ସାମିଲ କରାଯାଇଛି।
ଆୟୋଜିତ ସମାରୋହରେ ଶ୍ରୀ କୃଷ୍ଣଚନ୍ଦ୍ର ମଣ୍ଡଳ, ସ୍ଲିଙ୍କୋ ପ୍ରାଇଭେଟ୍ ଲିମିଟେଡ୍ ର ଅଧିକାରୀ ଶ୍ରୀ ମନୀଷ ଦୁବେ, ଟିପିଏନ୍ଓଡିଏଲ୍ର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଟିପିଏନ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ ଏହି ସୌର ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି।
ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍ର ବାସିଙ୍ଗି ଗ୍ରାମର ସ୍ଥାନୀୟ ଜମିମାଲିକ ଶ୍ରୀ କୃଷ୍ଣଚନ୍ଦ୍ର ମଣ୍ଡଳ ନିଜର ଛଅ ଏକର ଜମିରେ ଭାରତ ସରକାରଙ୍କ ‘ପିଏମ୍-କୁସୁମ୍ – ଏ’ ଯୋଜନା ଅଧୀନରେ ଏହି ସୌର ପ୍ରକଳ୍ପ ସ୍ଥାପନ କରିଛନ୍ତି । ମେସର୍ସ ସ୍ଲିଙ୍କୋ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ବିଲ୍ଡ-ଓନ୍-ଅପରେଟ୍ (ବିଓଓ) ମଡେଲ ମାଧ୍ୟମରେ ଏହି ପ୍ରକଳ୍ପର ନିର୍ମାଣ କରାଯାଇଛି। ଏହି ଯୋଜନା ଅଧୀନରେ ଶ୍ରୀ ମଣ୍ଡଳ ଗ୍ରୀଡ୍କୋ ଏବଂ ଟିପିଏନ୍ଓଡିଏଲ୍ ସହିତ ଏକ ଦୀର୍ଘକାଳୀନ ବିଦ୍ୟୁତ୍ କ୍ରୟ ଚୁକ୍ତି ସ୍ଵାକ୍ଷର କରିଛନ୍ତି ଯାହାକି ତାଙ୍କପାଇଁ ଏହା ବହୁ-ବର୍ଷର ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ସହ ତାଙ୍କୁ ଜଣେ ‘ସୌର ଉଦ୍ୟୋଗୀ’ ଭାବେ ଅଞ୍ଚଳରେ ସୁପ୍ରତିଷ୍ଠିତ କରିପାରିଛି ।
ଅନୁକୂଳ ପରିବେଶରେ ଏହି ବ୍ୟବସ୍ଥାରୁ ଦୈନିକ ପ୍ରାୟ ୮,୦୦୦ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ ହେବା ସହ ସମ୍ପୂର୍ଣ୍ଣ ଉତ୍ପାଦିତ ବିଦ୍ୟୁତ୍କୁ ଏକ ସ୍ୱତନ୍ତ୍ର ୧୧ କେଭି ଲାଇନ୍ ମାଧ୍ୟମରେ ଟିପିଏନ୍ଓଡିଏଲ୍ ବିଦ୍ୟୁତ ନେଟୱର୍କକୁ ପଠାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ପ୍ରକଳ୍ପଟି ରାଜ୍ୟର ସ୍ୱଚ୍ଛ ଓ ସବୁଜ ଶକ୍ତି ଲକ୍ଷ୍ୟକୁ ପୂରଣ କରିବା ସହ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ପ୍ରାୟ ୫,୦୦୦ରୁ ଉର୍ଦ୍ଧ୍ଵ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଗୁଣବତ୍ତା ସୁଧାରିବାରେ ଏବଂ ଗ୍ରୀଡ୍ ସ୍ଥିରତାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅବସରରେ ଅତ୍ୟନ୍ତ ଆନନ୍ଦର ସହ ଶ୍ରୀ ମଣ୍ଡଳ କହିଛନ୍ତି ଯେ, ଏହି ପ୍ରକଳ୍ପ ତାଙ୍କ ପରିବାରକୁ ଦୀର୍ଘଦିନ ପାଇଁ ଏକ ସ୍ଥାୟୀ ରୋଜଗାରର ପନ୍ଥା ଯୋଗାଇବା ସହିତ ସ୍ଥାନୀୟ ଲୋକଙ୍କୁ ଭରସାଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଇବାରେ ମଧ୍ୟ ବେଶ୍ ସହାୟକ ହୋଇପାରିବ ।
ସେହିଭଳି ଟିପିଏନ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି ଯେ, “ଭାରତରେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ଆହୁରି ମଜବୁତ୍ ଓ ଦୀର୍ଘସ୍ଥାୟୀ କରିବା ପାଇଁ ବିକେନ୍ଦ୍ରୀକୃତ ଅକ୍ଷୟ ଶକ୍ତି ଉତ୍ପାଦନ ଅତ୍ୟନ୍ତ ଜରୁରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସିଧାସଳଖ ବିତରଣ ସ୍ତରରେ ସୌର ପ୍ରକଳ୍ପ ସଂଯୋଗ କରିବା ଦ୍ୱାରା ପାରମ୍ପରିକ ଇନ୍ଧନ ଉପରେ ନିର୍ଭରଶୀଳତା କମିଥାଏ, ସ୍ୱଚ୍ଛ ଶକ୍ତିର ବ୍ୟବହାର ବଢ଼ିଥାଏ, ସଞ୍ଚାରଣ ଜନିତ ବିଦ୍ୟୁତ୍ କ୍ଷତିର ମାତ୍ରା ହ୍ରାସ ପାଏ ଏବଂ ସ୍ଥାନୀୟ ଗ୍ରୀଡ୍ର କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଇଥାଏ । ପିଏମ୍-କୁସୁମ୍ -ଏ ଯୋଜନାରେ ଏହି ପ୍ରକଳ୍ପ ସାରା ରାଜ୍ୟରେ ସ୍ୱଚ୍ଛ ଶକ୍ତିର ବିକାଶ ପାଇଁ ଏକ ଆଦର୍ଶ ମୋଡେଲ୍ ସାଜିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।“
ଭାରତ ସରକାରଙ୍କ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମ୍ଏନ୍ଆର୍ଇ) ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ କିସାନ୍ ଉର୍ଜା ସୁରକ୍ଷା ଏବଂ ଉତ୍ଥାନ ମହାଭିଯାନ (ପିଏମ୍-କୁସୁମ୍) – ଏ ଯୋଜନା, ଚାଷୀ ଏବଂ ଜମିମାଲିକମାନଙ୍କୁ ନିଜର ଅବ୍ୟବହୃତ ଜମି କିମ୍ବା ଚାଷ ଜମିରେ ୫୦୦ କିଲୋୱାଟ୍ରୁ ୨ ମେଗାୱାଟ୍ ପର୍ଯ୍ୟନ୍ତ ଗ୍ରୀଡ୍-ସଂଯୁକ୍ତ ସୌର ପ୍ରକଳ୍ପ ସ୍ଥାପିତ କରିବା ନେଇ ସୁଯୋଗ ଏବଂ ସହାୟତା ପ୍ରଦାନ କରିଥାଏ । ଏହି ଯୋଜନା, ଦୀର୍ଘକାଳୀନ ବିଦ୍ୟୁତ୍ ବିକ୍ରି ବ୍ୟବସ୍ଥା ଦ୍ଵାରା ଜମିମାଲିକଙ୍କୁ ଆର୍ଥିକ ସୁରକ୍ଷା ଦେବା ସହ, ସଞ୍ଚାରଣ ଜନିତ ବିଦ୍ୟୁତ୍ ନଷ୍ଟ ହ୍ରାସ, ଅଞ୍ଚଳରେ ବିଦ୍ୟୁତ ଗୁଣବତ୍ତାର ସୁଦୃଢୀକରଣ ଏବଂ ସବୁଜ ଶକ୍ତିର ବହୁଳ ବ୍ୟବହାରକୁ ମଧ୍ୟ ପ୍ରୋସ୍ଚାହିତ କରିଥାଏ ।

