ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଟମକା ଜୈବ ବିବିଧତା ଉଦ୍ୟାନ ନିକଟରେ ବନ ମହୋତ୍ସବ ୨୦୨୬ ଅନୁଷ୍ଠିତ

କଳିଙ୍ଗନଗର, ଜୁଲାଇ ୧୨, ୨୦୨୬: ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଟମକା ବନାଞ୍ଚଳ ବିଭାଗର ସହଯୋଗରେ ସ୍ଥାନୀୟ ଜୈବ ବିବିଧତା ଉଦ୍ୟାନ ନିକଟରେ ବନ ମହୋତ୍ସବ ୨୦୨୬ ସଫଳତାର ସହ ପାଳିତ ହୋଇଯାଇଛି । ପରିବେଶ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦ ଜଣ ସ୍ଵେଚ୍ଛାସେବୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସୁଭ୍ରାଂଶୁ ଶେଖର ରାଉତ ଟାଟା ଷ୍ଟିଲ କଳିଙ୍ଗନଗରର ଲଜିଷ୍ଟିକ୍ସ ଅପରେସନ ଚିଫ ଏବଂ ଶ୍ରୀଯୁକ୍ତ କିଶୋର କୁମାର ପାଣିଗ୍ରାହୀ ଟମକା ରେଞ୍ଜ ର ଦାୟିତ୍ୱରେ ଥିବା ଏସିଏଫ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ସ୍ଵେଚ୍ଛାସେବୀମାନଙ୍କ ଦ୍ୱାରା ଏକ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହା ସହିତ ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ସଫେଇ ଅଭିଯାନ ଚଲାଯାଇ ସେଠାରୁ ବହୁ ପରିମାଣର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍ଵେଚ୍ଛାସେବୀମାନେ ସକ୍ରିୟ ସହଯୋଗ କରିଥିଲେ ।
ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଏକ ପରିବେଶ ସଚେତନତା ଅଭିଯାନ ମଧ୍ୟ ଚଲାଯାଇଥିଲା । ଏଥିରେ ଜଙ୍ଗଲ ସୁରକ୍ଷା ଏବଂ ପରିବେଶର ଯତ୍ନ ନେବା ପାଇଁ ପ୍ରେରଣାଦାୟୀ ସ୍ଲୋଗାନ ଥିବା ପୋଷ୍ଟରଗୁଡ଼ିକୁ ଗଛରେ ପ୍ରଦର୍ଶିତ କରାଯାଇ ସ୍ଥାନୀୟ ଲୋକମାନଙ୍କୁ ଦାୟିତ୍ୱବାନ ହେବା ପାଇଁ ଉତ୍ସାହିତ କରାଯାଇଥିଲା ।

