ଆଜି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି
ଆଜି ଓ ଆସନ୍ତାକାଲି ମୟୂରଭଞ୍ଜ ଲାଗି ଏକ ଐତିହାସିକ ଦିନ। ପ୍ରଥମଥର ଲାଗି ଦେଶର ଦୁଇ ରାଷ୍ଟ୍ରମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକା ସାଙ୍ଗରେ ମୟୂରଭଞ୍ଜ ମାଟିରେ ପାଦ ଦେବେ। ଜୁନ ୨୦ ତାରିଖ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜନ୍ମମାଟି ପାହାଡପୁରକୁ ଆସୁଛନ୍ତି। ତତସହିତ ଓଡ଼ିଶାରେ ନୂତନ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ସମାରୋହରେ ଉଭୟ ଯୋଗଦେବାକୁ ଥିବାବେଳେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳ ସାମିଲ ହେଉଥିବାରୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ ପ୍ରଶାସନିକ ତତ୍ପରତା ସହିତ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇପଡ଼ିଛି। ଏହି କାର୍ଯ୍ୟକ୍ରମ ଲାଗି ପାହଡପୁରଠାରୁ ନେଇ ରାଇରଙ୍ଗପୁର ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରଦାର ଚାଲିଛି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲଗି ପୂରା ପାହାଡପୁର ସଜେଇ ହୋଇଛି।
ଆଜି ଅପରାହ୍ନ ୩.୧୫ ମିନିଟ ସମୟରେ ପ୍ରଥମେ ରାଷ୍ଟ୍ରପତି ଦାଣ୍ଡବୋଷ ଏୟାର ଷ୍ଟ୍ରିପରେ ଓହ୍ଲାଇ ସଡ଼କ ପଥରେ ଯାଇ ୩.୩୦ ମିନିଟରେ ତାଙ୍କ ରାଇରଙ୍ଗପୁର ବାସଭବନକୁ ଯାଇ ବିଶ୍ରାମ ନେବେ। ସନ୍ଧ୍ୟା ୬ଟାରୁ ୬ଟା ୩୦ମିନିଟ ପର୍ଯ୍ୟନ୍ତ ପୂର୍ବରୁ ଅନୁମତିପ୍ରାପ୍ତ ବ୍ୟକ୍ତି ବିଶେଷଜ୍ଞ ସହିତ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ୨୦ ତାରିଖରେ ତାଙ୍କ ଜନ୍ମଦିନ ଅବସରରେ ପୂର୍ବାହ୍ନ ୧୦.୨୦ ମିନିଟରେ ବାହାରି ଦାଣ୍ଡବୋଷ ଏୟାରଷ୍ଟ୍ରିଫରୁ ହେଲିକପ୍ଟରରେ ଯାଇ ସଡ଼କ ପଥରେ ଦିଘିଆବେଡା ହେଲିପ୍ୟାଡରେ ୧୦ଟା ୪୫ ମିନିଟରେ ପହଞ୍ଚି ସଡ଼କ ପଥରେ ପାହାଡପୁର ଯିବେ। ପୂର୍ବାହ୍ନ ୧୧.୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରି ସାଙ୍ଗରେ ନେଇ ପ୍ରଥମେ ଗାଁର ଆଦିବାସୀଙ୍କ ସାମାଜିକ ଓ ଧାର୍ମିକ କେନ୍ଦ୍ର ପାରମ୍ପରିକ ଗୋଷାଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିବେ।
ସେଠାରୁ ଦୁହେଁ ସାନ୍ତାଳୀ ଜାହିରା ଦର୍ଶନ କରିବା ପରେ ହୋ-ମୁଣ୍ଡା ଜାହିରାକୁ ମଧ୍ୟ ଯିବେ। ସେଠାରୁ ଦିନ ୧୧ଟା ୨୫ ମିନିଟରେ ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ପ୍ରଶିକ୍ଷଣ ପରେ ଚାକିରି ପାଇଥିବା ଯୁବକ/ଯୁବତୀଙ୍କ ସହିତ ଆଲୋଚନା କରିବେ। ଶେଷରେ ରାଷ୍ଟ୍ରପତିଙ୍କ ସ୍ୱର୍ଗତ ସ୍ୱାମୀ ଓ ଦୁଇ ପୁତ୍ରଙ୍କ ସ୍ମୃତିରେ ପାହାଡପୁରଠାରେ ପ୍ରତିଷ୍ଠିତ ଏସଏଲଏସ ମେମୋରିଆଲ ସ୍କୁଲକୁ ଯାଇ ସେମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ପରେ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ସ୍ଥାନୀୟ ଲୋକଙ୍କ ସହିତ ଭାବବିନିମୟ କରିବେ। ସ୍କୁଲ ପଡ଼ିଆରେ ଆୟୋଜିତ ଏକ ଆଞ୍ଚଳିକ ହସ୍ତଶିଳ୍ପ ମେଳାକୁ ପରିଦର୍ଶନ କରିବେ ବୋଲି କହିଛନ୍ତି ଏସଏଲଏସ ସ୍କୁଲର ଉପାଧ୍ୟକ୍ଷ ମୁନା ପ୍ରତିହାରୀ। ପରେ ଦୁଇ ରାଷ୍ଟ୍ରମୁଖ୍ୟ ଦିନ ୧ଟାରେ ହେଲିକପ୍ଟର ଯୋଗେ ଦାଣ୍ଡବୋଷ ଏୟାର ଷ୍ଟ୍ରିପଠାରେ ପହଞ୍ଚିବେ। ସେଠାରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାରେ ପ୍ରାୟ ୫୦ ହଜାର ଉପସ୍ଥିତ ସାଧାରଣ ଜନତାଙ୍କୁ ଉଦବୋଧନ ଦେବା ସହିତ ଏହି ମଞ୍ଚରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଓଡ଼ିଶା ଓ ମୟୂରଭଞ୍ଜ ଜିଲ୍ଲାରେ ୫୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୪୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିମଧ୍ୟରେ ବହୁ ପ୍ରତୀକ୍ଷିତ ରେଳବାଇ ପ୍ରକଳ୍ପ, ମେଗା କୋଲ ଗ୍ୟାସିଫିକେସନ ପ୍ରକଳ୍ପର ଶୁଭ ଉଦଘାଟନ ରହିଛି।
ସେହିପରି କୁସୁମୀ ବ୍ଲକଠାରେ ଆଇଆଇଏଫଏମ ଦ୍ୱିତୀୟ କ୍ୟାମ୍ପସର ଶିଳାନ୍ୟାସ ଓ ରାଇରଙ୍ଗପୁର ବାଇଦାପୋଷିସ୍ଥ ନୂତନ ସ୍ପୋର୍ଟ୍ସ କମ୍ପେ୍ଲକ୍ସର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଇଟି ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର, ଭାରତୀୟ ସୂଚନା ପ୍ରଯୁକ୍ତି ପ୍ରତିଷ୍ଠାନ, ଆଦିବାସୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓୟୁଏଟି କ୍ୟାମ୍ପସ ଓ ଏକ ଆୟୁର୍ବେଦିକ ମେଡିକାଲ କଲେଜ ଓ ହସ୍ପିଟାଲର ଶିଳାନ୍ୟାସର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୨ଟା ସମୟରେ ପ୍ରଧାନମନ୍ତ୍ରୀ ସେଠାରୁ ଫେରିଯିବାକୁ ଥିବାବେଳେ ରାଷ୍ଟ୍ରପତି ନିଜ ରାଇରଙ୍ଗପୁର ବାସଭବନରେ ମଧ୍ୟାହ୍ନଭୋଜନ କରି ଦିନ ୩ଟା ୩୦ ମିନିଟରେ ଫେରିଯିବାର କାର୍ଯ୍ୟସୂଚୀ ରହିଛି।
ବାଦାମପାହାଡ ନିକଟ ପାହାଡ଼ପୁର ଓ ଦିଘିଆବେଡା ଠାରେ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ ହୋଇଛି। ପାହାଡ଼ପୁର ଗ୍ରାମ ସହିତ ରାଇରଙ୍ଗପୁର ସହରର ସାଜସଜ୍ଜା, ଦାଣ୍ଡବୋଷସ୍ଥ ଏୟାରଷ୍ଟ୍ରିପରେ ହେଲିପ୍ୟାଡ ନିର୍ମାଣ ସହ ସେଠାରେ ସଭାସ୍ଥଳର ନିର୍ମାଣ ଓ ସାଜସଜ୍ଜା ଆଦି କାର୍ଯ୍ୟ ପ୍ରଶାସନ ପକ୍ଷରୁ ଜୋରଦାର କରାଯାଉଛି। ସେହିପରି ଗ୍ରାମବାସୀ ମଧ୍ୟ ନିଜ ଘର କାନ୍ଥକୁ ପାରମ୍ପରିକ ଆଦିବାସୀ ଚିତ୍ରରେ ସଜାଇ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ଆଗମନକୁ ଉତ୍ସାହର ସହ ବାଟ ଚାହିଁ ବସିଛନ୍ତି।

