Business

ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ଅନଲାଇନ୍ ଦାନ ସୁବିଧାର ଶୁଭାରମ୍ଭ ସହ ନୂତନ ଫିଜିଟାଲ୍ ଶାଖା ଉଦ୍‌‌ଘାଟିିତ

ଭୁବନେଶ୍ୱର: ଭାରତର ଅନ୍ତର୍ଜାତୀୟ ବ୍ୟାଙ୍କ୍‌, ବ୍ୟାଙ୍କ୍ ଅଫ୍ ବରୋଦା ଦୁଇଟି ପ୍ରମୁଖ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ନିଜର ସେବାକୁ ଅଧିକ ସୁଦୃଢ଼ କରିଛି – ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀର ୱେବସାଇଟ୍ ସହିତ ଏହାର ଇଣ୍ଟରନେଟ୍ ପେମେଣ୍ଟ ଗେଟୱେ’ର ସଂଯୋଗୀକରଣ, ଯାହା ଭକ୍ତମାନଙ୍କୁ ସହଜରେ ଅନଲାଇନ୍ ଦାନ କରିବାକୁ ସକ୍ଷମ କରିବ ଏବଂ ଭୁବନେଶ୍ୱର ଜୋନ୍‌‌ରେ ଏହାର ପ୍ରଥମ ଫିଜିଟାଲ୍ ଶାଖାର ଉଦ୍‌‌ଘାଟନ। ଏହି ଫିଜିଟାଲ୍ ଶାଖା ସହିତ ବ୍ୟାଙ୍କ୍ ସାରା ଦେଶରେ ମୋଟ ୩୦ଟି ଫିଜିଟାଲ ଶାଖା ପ୍ରତିଷ୍ଠା କରିଛି।
ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ସରକାରୀ ୱେବସାଇଟ୍ ସହିତ ବ୍ୟାଙ୍କ୍ ର ସୁରକ୍ଷିତ ପେମେଣ୍ଟ ଗେଟୱେ’ର ସଂଯୋଗୀକରଣ ଦ୍ୱାରା ଭାରତ ତଥା ସାରା ବିଶ୍ୱର ଭକ୍ତମାନେ ଏକ ସରଳ, ସୁରକ୍ଷିତ ଏବଂ ସୁବିଧାଜନକ ଉପାୟରେ ଅନଲାଇନରେ ଦାନ କରିପାରିବେ। ଭକ୍ତମାନେ ବର୍ତ୍ତମାନ କର୍ପସ ଫଣ୍ଡ ଦାନ ଯୋଜନା, ସାଧାରଣ ଦାନ ଏବଂ ମନ୍ଦିରର ମରାମତି ଓ ନବୀକରଣ ଭଳି ବିଭିନ୍ନ ଉଦ୍ଦେଶ୍ୟ ପାଇଁ ଅନଲାଇନ୍ ଅର୍ଥ ପ୍ରଦାନ କରିପାରିବେ। ଏହି ନୂତନ ସୁବିଧା ଭକ୍ତମାନଙ୍କୁ ସହଜରେ ମନ୍ଦିରକୁ ଭେଟି ପ୍ରଦାନ କରିବାକୁ ସକ୍ଷମ କରିବ, ଯାହା ଶତାବ୍ଦୀ ପୁରାତନ ଏହି ପବିତ୍ର ପୀଠ ସହିତ ସେମାନଙ୍କର ସମ୍ପର୍କକୁ ଆହୁରି ମଜବୁତ କରିବ।
ବ୍ୟାଙ୍କ୍ ଅଫ୍ ବରୋଦା ଭୁବନେଶ୍ୱର ଜୋନ୍‌‌ରେ ଏହାର ପ୍ରଥମ ଫିଜିଟାଲ୍ ଶାଖାର ମଧ୍ୟ ଶୁଭାରମ୍ଭ କରିଛି। ଭୁବନେଶ୍ୱରର ଜନପଥଠାରେ ଅବସ୍ଥିତ ଏହି ଫିଜିଟାଲ୍ ଶାଖାକୁ ବ୍ୟାଙ୍କ୍ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଡ଼. ଦେବଦତ୍ତ ଚାନ୍ଦ, ଭୁବନେଶ୍ୱର ଜୋନ୍‌‌ର ଜିଏମ୍ ଏବଂ ଜୋନାଲ ମୁଖ୍ୟ ଶ୍ରୀ ଶରତ କୁମାର ପାଣିଗ୍ରାହୀଙ୍କ ସହ ବ୍ୟାଙ୍କ୍ ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଦ୍‌‌ଘାଟନ କରିଛନ୍ତି।
ଏହି ନୂତନ ଭାବେ ଉଦ୍‌‌ଘାଟିତ ହୋଇଥିବା ଫିଜିଟାଲ୍ ଶାଖାଟି ଗ୍ରାହକମାନଙ୍କୁ ଡିଜିଟାଲ୍ ସୁବିଧା ଏବଂ ବ୍ୟକ୍ତିଗତ ବ୍ୟାଙ୍କିଙ୍ଗ୍ ସହାୟତାର ଏକ ସହଜ ସମନ୍ୱୟ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି। ଉନ୍ନତ ସେଲ୍ଫ ସର୍ଭିସ୍ ବ୍ୟାଙ୍କିଙ୍ଗ୍ ସୁବିଧା ସହିତ ସମର୍ପିତ ଗ୍ରାହକ ସେବା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏହି ଶାଖା ଏକ ଆଧୁନିକ, ଦକ୍ଷ ଏବଂ ଗ୍ରାହକ-ଅନୁକୂଳ ବ୍ୟାଙ୍କିଙ୍ଗ୍ ଅନୁଭୂତି ପ୍ରଦାନ କରିବ।
ଏହି ଅବସରରେ ବ୍ୟାଙ୍କ୍ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଡ଼. ଦେବଦତ୍ତ ଚାନ୍ଦ କହିଛନ୍ତି, “ବ୍ୟାଙ୍କ୍ ଅଫ୍ ବରୋଦା ପାଇଁ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଆମେ ରାଜ୍ୟରେ ଆମର ସେବା ସମ୍ପ୍ରସାରଣ ଏବଂ ଆମର ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ। ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ଆମର ଭାଗିଦାରୀ ମାଧ୍ୟମରେ, ଆମେ ଭକ୍ତମାନଙ୍କୁ ଏକ ସୁରକ୍ଷିତ ଏବଂ ସହଜ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ପ୍ରଦାନ କରି ସେବା କରିବାର ସୌଭାଗ୍ୟ ପାଇଛୁ, ଯାହା ଦ୍ୱାରା ସେମାନେ ମନ୍ଦିରକୁ ନିଜର ଦାନ ଅର୍ପଣ କରିପାରିବେ। ଏଥି ସହିତ, ଭୁବନେଶ୍ୱରରେ ଆମର ନୂତନ ଫିଜିଟାଲ୍ ଶାଖା ଆମର ଗ୍ରାହକମାନଙ୍କୁ ଏକ ଉନ୍ନତ ବ୍ୟାଙ୍କିଙ୍ଗ୍ ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟକ୍ତିଗତ ସେବାକୁ ଏକତ୍ରିତ କରିବା ଉପରେ ଆମର ନିରନ୍ତର ଧ୍ୟାନକୁ ପ୍ରତିଫଳିତ କରୁଛି।”
ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ, ବ୍ୟାଙ୍କ୍ ଅଫ୍ ବରୋଦା ନିଜର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ କ୍ଷମତାକୁ ବୃଦ୍ଧି କରିବା ଏବଂ ଓଡ଼ିଶା ସାରା ଗ୍ରାହକଙ୍କ ସହ ସମ୍ପର୍କକୁ ଆହୁରି ଗଭୀର କରିବା ଦିଗରେ ପଦକ୍ଷେପ ଜାରି ରଖିଛି।

Share

Leave a Reply

Your email address will not be published. Required fields are marked *

twenty − 12 =