Business

ଟିପିସିଓଡିଏଲ ର ସିଇଓ ଭାବେ ଦାୟିତ୍ୱ ନେଲେ ଗଜାନନ ଏସ. କାଲେ

ଭୁବନେଶ୍ୱର, ଜୁନ୍ ୨, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌)ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବେ ଶ୍ରୀ ଗଜାନନ ଏସ. କାଲେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ସହିତ ସେ ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଭାବରେ ମଧ୍ୟ ନିଜର ସେବା ଜାରି ରଖିବେ।

ବିଦ୍ୟୁତ ସେକ୍ଟରରେ ୩୪ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ଥିବା ଶ୍ରୀ କାଲେ ଜଣେ ଅଭିଜ୍ଞ ବ୍ୟକ୍ତିତ୍ୱ, ଯିଏ ବିଦ୍ୟୁତ ବିତରଣ ଓ ୟୁଟିଲିଟି ପରିଚାଳନା କ୍ଷେତ୍ରରେ ଗଭୀର ଦକ୍ଷତା ରଖନ୍ତି। ସେ ଏନଆଇଟି ନାଗପୁରରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର (ମାଷ୍ଟର୍ସ) ଏବଂ ଆଇଆଇଏମ ଅହମ୍ମଦାବାଦରୁ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରିଛନ୍ତି।

ନିଜ କାର୍ଯ୍ୟକାଳ ମଧ୍ୟରେ ଶ୍ରୀ କାଲେ ଟାଟା ପାୱାରର ଡିଷ୍ଟ୍ରିବ୍ୟୁସନ୍ ବିଜନେସ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଛନ୍ତି। ପରିଚାଳନା ଓ ରକ୍ଷଣାବେକ୍ଷଣ, ଗ୍ରାହକ ସେବା, ବାଣିଜ୍ୟିକ କାର୍ଯ୍ୟକଳାପ, ନେଟୱର୍କ ଇଞ୍ଜିନିୟରିଂ, ଇନଭେଣ୍ଟ୍ରି ପରିଚାଳନା ଏବଂ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଭଳି ବିଭିନ୍ନ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ଏହି ନୂଆ ଦାୟିତ୍ୱ ନେବା ପୂର୍ବରୁ ସେ ଟିପିଏନଓଡିଏଲ, ଟିପିଡିଡିଏଲ, ଟିପିଏଡିଏଲ ଏବଂ ଟିପିଡବ୍ଲୁଓଡିଏଲ ର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଭାବେ କାର୍ଯ୍ୟ କରିସାରିଛନ୍ତି।

ନିଜର ନିଯୁକ୍ତି ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ କାଲେ କହିଛନ୍ତି ଯେ, “ଏହି ଦାୟିତ୍ୱ ପାଇ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି। ଆମର ସମସ୍ତ କର୍ମଚାରୀ ଓ ଅଂଶୀଦାରମାନଙ୍କ ସହଯୋଗରେ ଆମେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ସହ ଗ୍ରାହକମାନଙ୍କୁ ଉନ୍ନତ ସେବା ଯୋଗାଇଦେବୁ ଏବଂ ଓଡ଼ିଶାର ବିକାଶ ଯାତ୍ରାରେ ଯୋଗଦାନ ଦେବା ଜାରି ରଖିବୁ।”

ଶ୍ରୀ କାଲେ, ଅରଭିନ୍ଦ ସିଂହଙ୍କ ସ୍ଥାନ ନେଇଛନ୍ତି, ଯାହାଙ୍କ ମାର୍ଗଦର୍ଶନରେ ଟିପିସିଓଡିଏଲ୍ କାର୍ଯ୍ୟଦକ୍ଷତା ବଢ଼ାଇବା, ଗ୍ରାହକ ସେବାରେ ସୁଧାର ଆଣିବା ଏବଂ ନେଟୱର୍କକୁ ଅଧିକ ଭରସାଯୋଗ୍ୟ କରିବା ଦିଗରେ ଉଲ୍ଲେଖନୀୟ ସଫଳତା ପାଇଥିଲା।

୨୯,୩୫୪ ବର୍ଗ କିଲୋମିଟର ପରିମିତ ବିଦ୍ୟୁତ ବିତରଣ ନେଟୱର୍କ ମାଧ୍ୟମରେ ଟିପିସିଓଡିଏଲ୍ ପ୍ରାୟ ୧.୩୬ କୋଟି ଜନସଂଖ୍ୟାକୁ ସେବା ଯୋଗାଉଛି ଏବଂ ଏହାର ଉପଭୋକ୍ତା ସଂଖ୍ୟା ପ୍ରାୟ ୩୨.୯୬ ଲକ୍ଷ। ଏହାର ସେବା ଯୋଗାଣ ଅଞ୍ଚଳ ମଧ୍ୟରେ ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଯାଜପୁରର କିଛି ଅଂଶ ସାମିଲ ରହିଛି।

Share

Leave a Reply

Your email address will not be published. Required fields are marked *

six − one =