କ୍ରୀଡା

ଆଜି ହାରିଲେ ପ୍ଲେ ଅଫରୁ ବାଦ ପଡିବ ଦିଲ୍ଲୀ

ଚଳିତ ଆଇପିଏଲ୍‌ର ୫୫ତମ ଲିଗ୍ ମୁକାବିଲାରେ ଆଜି ପଞ୍ଜାବ ଓ ଦିଲ୍ଲୀ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପଞ୍ଜାବର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ୍ ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଉଭୟ ଦଳ ଏହି ମ୍ୟାଚ୍ ଜରିଆରେ ବିଜୟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଦିଲ୍ଲୀ ଘରୋଇ ପଞ୍ଜାବଠୁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି । ଫଳରେ ମ୍ୟାଚ୍‌ଟି କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।

ଗତ ୨୫ ତାରିଖରେ ଉଭୟ ଦଳ ସାମ୍ନାସାମ୍ନି ହୋଇଥିଲେ ଏବଂ ପଞ୍ଜାବ ୬ ୱିକେଟରେ ଏହି ମ୍ୟାଚ୍ ଜିତିଥିଲା । ଏହାପରେ ଦଳ କ୍ରମାନ୍ୱୟରେ ୩ଟି ମ୍ୟାଚ୍ ପରାଜିତ ହୋଇସାରିଛି । ପଞ୍ଜାବ ୧୦ଟି ମ୍ୟାଚ୍ ଖେଳି ମୋଟ ୧୩ପଏଣ୍ଟ ପାଇଛି । ଅନ୍ୟ ପଟରେ ଦିଲ୍ଲୀ ୧୧ଟି ମ୍ୟାଚ୍ ଖେଳି ୮ପଏଣ୍ଟ ପାଇଛି । ଏଣିକି ପ୍ରତି ମ୍ୟାଚ୍ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି । ଗୋଟିଏ ମ୍ୟାଚ୍ ପରାଜିତ ହେଲେ ପ୍ଲେ- ଅଫ୍ ଆଶା ମଉଳି ଯିବ ।

ପଞ୍ଜାବ ଶେଷ ୩ଟି ମ୍ୟାଚ୍‌ରେ ଦୁର୍ବଳ ଫିଲ୍ଡିଂ ପାଇଁ ପରାଜୟର ସାମ୍ନା କରିଥିଲା । ଇତିମଧ୍ୟରେ ଦଳ ୧୬ଟି କ୍ୟାଚ୍ ହାତଛଡ଼ା କରିସାରିଛି । ଚଳିତ ସିଜନରେ ଚେନ୍ନାଇ ସର୍ବାଧିକ ୧୭ଟି କ୍ୟାଚ୍ ହାତଛଡ଼ା କରିଛି । ପଞ୍ଜାବକୁ ଫିଲ୍ଡିଂରେ ସୁଧାର ଆଣିବା ଜରୁରି । ଆସନ୍ତାକାଲି ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ରହିଛି । ଅଲରାଉଣ୍ଡର ଅଜମତୁଲ୍ଲା ଓମାରଜାଇ ଦଳରେ ଯୋଗ ଦେଇସାରିଛନ୍ତି ଏବଂ ଦିଲ୍ଲୀ ବିପକ୍ଷରେ ଖେଳିବା ଆଶା କରାଯାଉଛି । ସେହିପରି ହରପ୍ରୀତ ବ୍ରାର ଦ୍ୱିତୀୟ ସ୍ପିନର ଭାବେ ଖେଳିପାରନ୍ତି । ଆଜି ପଞ୍ଜାବ ବ୍ୟାଟର ଓ ଦିଲ୍ଲୀ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ଦିଲ୍ଲୀ ଦଳ ଶେଷ ୨ଟି ମ୍ୟାଚ୍ରେ ଯଥାକ୍ରମେ ଚେନ୍ନାଇ ଓ କୋଲକାତା ଠାରୁ ପରାଜିତ ହୋଇଛି । ପ୍ଲେ-ଅଫ୍ ଦୌଡ଼ରେ ରହିବାକୁ ହେଲେ ବିଜୟ ଜରୁରି ହୋଇପଡ଼ିଛି । ଆଜି ଅଭିଜ୍ଞ ୱିକେଟ୍ କିପର ବ୍ୟାଟର କେଏଲ୍ ରାହୁଲଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେ ୧୮୦ ଷ୍ଟ୍ରାଇକ୍ ରେଟ୍‌ରେ ମୋଟ ୪୬୮ରନ୍ ସଂଗ୍ରହ କରି ସାରିଛନ୍ତି । ପଞ୍ଜାବ ବିପକ୍ଷ ପୂର୍ବ ମ୍ୟାଚ୍‌ରେ ସେ ଅପରାଜିତ ୧୫୨ରନ୍‌ରେ ବିସ୍ଫୋରକ ପାଳି ଖେଳିଥିଲେ । ଧର୍ମଶାଳାରେ ୨୦୨୩ରୁ ଏପର୍ଯ୍ୟନ୍ତ ୫ଟି ଆଇପିଏଲ୍ ମ୍ୟାଚ୍ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରିଥିବା ଦଳ ୪ଟି ମ୍ୟାଚ୍ ଜିତିଛନ୍ତି । ଆଜି ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

9 + 7 =