ଟିପିସିଓଡିଏଲ୍ ପକ୍ଷରୁ ସେଫ୍ଟି ଆୱାର୍ଡ ପ୍ରଦାନ ସହ ଜାତୀୟ ସୁରକ୍ଷା ମାସ ୨୦୨୬ ପାଳିତ
ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଜାତୀୟ ସୁରକ୍ଷା ମାସ ୨୦୨୬ ସଫଳତାର ସହ ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନୀ ନିଜର ପରିଚାଳନାକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି। ମାର୍ଚ୍ଚ ୪ ରୁ ଏପ୍ରିଲ୍ ୩, ୨୦୨୬ ପର୍ଯ୍ୟନ୍ତ ମାସେ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଓ ଅଂଶୀଦାରମାନଙ୍କ ମଧ୍ୟରେ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି, ବିପଦର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ନିରାପଦ କାର୍ଯ୍ୟଶୈଳୀକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଉଦ୍ଯାପନୀ ସମାରୋହରେ ବରିଷ୍ଠ ନେତୃବୃନ୍ଦ, ସମସ୍ତ କର୍ମଚାରୀ ଏବଂ ଫ୍ରଣ୍ଟଲାଇନ୍ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଏହି ଅଧିବେଶନରେ ଅଧିକାରୀମାନେ ଦୈନନ୍ଦିନ କାର୍ଯ୍ୟରେ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଟିପିସିଓଡିଏଲ୍ର ପରିଚାଳନାକ୍ଷେତ୍ରରେ ଶୂନ୍ୟ କ୍ଷତି ଏବଂ ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ହାସଲ କରିବା ଉପରେ ପୁନର୍ବାର ଗୁରୁତ୍ୱାରୋପ କରିଥିଲେ।
କର୍ମଚାରୀମାନଙ୍କୁ ସୁରକ୍ଷା କାର୍ଯ୍ୟ ପ୍ରଣାଳୀ ସହ ଜଡ଼ିତ କରିବା ପାଇଁ ମାସସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସୁରକ୍ଷା ସଚେତନତା ଅଭିଯାନ, କୁଇଜ୍ ପ୍ରତିଯୋଗିତା, ସୁରକ୍ଷା ଶପଥ ପାଠ, ପିପିଇ ସଚେତନତା ଅଧିବେଶନ, ମକ୍ ଡ୍ରିଲ୍, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ କ୍ଷେତ୍ରସ୍ତରୀୟ ସୁରକ୍ଷା ଯାଞ୍ଚ ଅନ୍ତର୍ଭୁକ୍ତ ଥିଲା। ବିଶେଷ କରି କ୍ଷେତ୍ର କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା, ବିପଦ ଚିହ୍ନଟ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ସଚେତନ କରାଯାଇଥିଲା।
ଉଦ୍ଯାପନୀ ଅଧିବେଶନର ଏକ ଅଂଶ ଭାବରେ, ସୁରକ୍ଷା ମାନଦଣ୍ଡ ବଜାୟ ରଖିବାରେ ଉଲ୍ଲେଖନୀୟ ଅବଦାନ ପାଇଁ କର୍ମଚାରୀ ଏବଂ ଟିମ୍ଗୁଡ଼ିକୁ ସେଫ୍ଟି ଆୱାର୍ଡ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପିଲାମାନଙ୍କ ଦ୍ୱାରା ସୁରକ୍ଷା ଉପରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା।
ଏହି ଅବସରରେ ଟିପିସିଓଡିଏଲ୍ର ସିଇଓ ଶ୍ରୀ ଅରଭିନ୍ଦ ସିଂ କହିଛନ୍ତି ଯେ, “ସୁରକ୍ଷା ହେଉଛି ଆମର ମୁଖ୍ୟ ମୂଲ୍ୟବୋଧ ଯାହା ଆମ କାର୍ଯ୍ୟକୁ ପରିଚାଳିତ କରେ। ଆମେ ଏପରି ଏକ ସଂସ୍କୃତି ଗଠନ କରିବା ପାଇଁ ପ୍ରତିବଦ୍ଧ ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ନିଜର, ନିଜ ସହକର୍ମୀଙ୍କର ଏବଂ ଆମେ ସେବା ଯୋଗଉଥିବା ସମାଜର ସୁରକ୍ଷା ପାଇଁ ଦାୟିତ୍ୱ ଗ୍ରହଣ କରିବେ। ନିରନ୍ତର ସଚେତନତା ଏବଂ ପ୍ରଶିକ୍ଷଣ ମାଧ୍ୟମରେ ଆମେ ଶୂନ୍ୟ କ୍ଷତି ଏବଂ ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛୁ।”
ଓଡ଼ିଶାରେ ନିର୍ଭରଯୋଗ୍ୟ ବିଦ୍ୟୁତ୍ ବିତରଣ ସେବା ପ୍ରଦାନ କରିବା ସହିତ ନିଜର କର୍ମଚାରୀ, ଅଂଶୀଦାର ଏବଂ ଉପଭୋକ୍ତାମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ ନିୟମିତ ପ୍ରଶିକ୍ଷଣ, ସଚେତନତା ଏବଂ ସର୍ବୋତ୍ତମ କାର୍ଯ୍ୟପନ୍ଥା ମାଧ୍ୟମରେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇଆସୁଛି।

