Business

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡ଼ିସକମ ଗୁଡ଼ିକ ପକ୍ଷରୁ ଓଡ଼ିଶାରେ ସ୍ମାର୍ଟ ଏବଂ ଭରସାଯୋଗ୍ୟ ବିଦ୍ୟୁତ ବିତରଣ ପଛରେ ଥିବା ମହିଳା ଶକ୍ତିଙ୍କୁ ସମ୍ମାନ

ଭୁବନେଶ୍ୱର, ୧୧ ଫେବୃଆରୀ ୨୦୨୬: ସମାବେଶୀ ଅଭିବୃଦ୍ଧି ଏବଂ କାର୍ଯ୍ୟ କ୍ଷେତ୍ରରେ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ପକ୍ଷରୁ ‘ଅନ୍ତର୍ଜାତୀୟ ବିଜ୍ଞାନ କ୍ଷେତ୍ରରେ ମହିଳା ଓ ବାଳିକା ଦିବସ-୨୦୨୬’ ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟୁତ ବିତରଣ କ୍ଷେତ୍ରରେ କାର୍ଯ୍ୟରତ ମହିଳା ବୃତ୍ତିଧାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନିତ କରାଯାଇଛି। ମିଟରିଂ ଏବଂ ନେଟୱାର୍କ ପରିଚାଳନାଠାରୁ ଆରମ୍ଭ କରି ତାଲିମ ଏବଂ ଗୁଣବତ୍ତା ନିଶ୍ଚିତ କରିବା ପର୍ଯ୍ୟନ୍ତ, ମହିଳା ଇଞ୍ଜିନିୟର ଏବଂ ଟେକ୍ନିସିଆନ ମାନେ ଓଡ଼ିଶାର ବିଦ୍ୟୁତ ସେବାକୁ ଅଧିକ ଭରସାଯୋଗ୍ୟ, ସ୍ୱଚ୍ଛ ଏବଂ ଗ୍ରାହକମାନଙ୍କ ପାଇଁ ସହଜ କରିବାରେ ବଡ଼ ଭୂମିକା ନେଉଛନ୍ତି ।

ଏକ ଅଗ୍ରଣୀ ବିଦ୍ୟୁତ ବିତରଣ ସଂସ୍ଥା ଭାବରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ବିଶ୍ୱାସ କରେ ଯେ, ଦକ୍ଷ କର୍ମଚାରୀ ମାନଙ୍କ ଦ୍ୱାରା ହିଁ ଶ୍ରେଷ୍ଠ ପ୍ରଦର୍ଶନ କରାଯାଇପାରିବ। ଏକ ସମାବେଶୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଜୀବୀ ଗଠନ କରିବା ଲକ୍ଷ୍ୟରେ, କମ୍ପାନୀ ନିଜର ଚାରୋଟି ଡିସକମ୍ ଯଥା ଟିପିସିଓଡିଏଲ୍ ଟିପିଏସ୍ଓଡିଏଲ୍, ଟିପିଡବ୍ଲ୍ୟୁଓଡିଏଲ୍ ଏବଂ ଟିପିଏନ୍ଓଡିଏଲ୍ ରେ ମହିଳାମାନଙ୍କୁ ପ୍ରମୁଖ କାର୍ଯ୍ୟରେ ନିୟୋଜିତ କରୁଛି। ସ୍ୱତନ୍ତ୍ର ପ୍ରଶିକ୍ଷଣ, ଫିଲ୍ଡ କାମର ଅଭିଜ୍ଞତା ଏବଂ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ସଠିକ୍ ସୁଯୋଗ ଦେଇ କମ୍ପାନୀ କ୍ରମାଗତ ଭାବେ ମହିଳାମାନଙ୍କୁ ବିଦ୍ୟୁତ ବିତରଣ କ୍ଷେତ୍ରରେ ସଶକ୍ତ କରୁଛି।

ବିଜ୍ଞାନ କ୍ଷେତ୍ରରେ ମହିଳା ଓ ବାଳିକା ମାନଙ୍କ ସମାନ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ଡିସକମ୍ ଗୁଡ଼ିକ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ବ (ସିଏସଆର) ଅଧୀନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।  ଏହି ଅଭିଯାନ ମଧ୍ୟରେ ଓଡ଼ିଶାର ମହିଳା ଆଇଟିଆଇ ଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ, ନିଯୁକ୍ତି ଦକ୍ଷତା ବୃଦ୍ଧି ପାଇଁ ‘ରୋଶନୀ’ ବୃତ୍ତିଗତ ତାଲିମ କାର୍ଯ୍ୟକ୍ରମ ଏବଂ କ୍ୟାରିୟରରେ ବିରତି ନେଇଥିବା ମହିଳାମାନଙ୍କୁ ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରାଇ ଆଣିବା ପାଇଁ ‘ନୂଆ ଆରମ୍ଭ’ ଭଳି ଅଭିନବ ପ୍ରୟାସ ଅନ୍ତର୍ଭୁକ୍ତ। ଏହାବ୍ୟତୀତ, ଟିପିଡବ୍ଲ୍ୟୁଓଡିଏଲ୍ ର ସମ୍ପୂର୍ଣ୍ଣ ମହିଳା ମାନଙ୍କ ଦ୍ଵାରା ପରିଚାଳିତ ସବ-ଡିଭିଜନ ବିଦ୍ୟୁତ ବିତରଣ କାର୍ଯ୍ୟରେ ମହିଳାଙ୍କ ନେତୃତ୍ୱ ଓ ସଫଳତାକୁ ପ୍ରମାଣିତ କରୁଛି।

ଡ଼ିସକମର ପରିଚାଳନା କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ

ଏହି ସଫଳ ଯାତ୍ରାର ଏକ ପ୍ରମୁଖ ମାଇଲଖୁଣ୍ଟ ହେଉଛି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ର ସେବା ଯୋଗାଣ ଅଞ୍ଚଳରେ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ମହିଳା ମାନଙ୍କ ଦ୍ଵାରା ପରିଚାଳିତ ମିଟର ପରୀକ୍ଷଣ ଲାବୋରେଟୋରୀର ପ୍ରତିଷ୍ଠା। ସମ୍ପୂର୍ଣ୍ଣ ଭାବେ ପ୍ରଶିକ୍ଷିତ ମହିଳା ଇଞ୍ଜିନିୟର ଏବଂ ଟେକ୍ନିସିଆନ ମାନଙ୍କ ଦ୍ୱାରା ପରିଚାଳିତ ଏହି କେନ୍ଦ୍ରଗୁଡ଼ିକ ସ୍ମାର୍ଟ ମିଟରର ସଠିକତା ଏବଂ ନିର୍ଭରଯୋଗ୍ୟତା ସୁନିଶ୍ଚିତ କରୁଛନ୍ତି। ନିୟମାବଳୀର ପାଳନ ସହିତ ଉପଭୋକ୍ତାଙ୍କ ବିଶ୍ୱାସ ବୃଦ୍ଧି କରିବାରେ ଏହି ଲାବୋରେଟୋରୀଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଏକ ସ୍ୱଚ୍ଛ ଓ ଦକ୍ଷ ବିଦ୍ୟୁତ ବିତରଣ ବ୍ୟବସ୍ଥାର ମୂଳଦୁଆ ଅଟେ।

ଏହାବ୍ୟତୀତ, ‘ପାୱାର ଡିଷ୍ଟ୍ରିବ୍ୟୁସନ ଟ୍ରେନିଂ ସେଣ୍ଟର’ (ପିଡିଟିସି) ଏବଂ ଏନଏବିଏଲ – ସ୍ୱୀକୃତିପ୍ରାପ୍ତ ମିଟର ପରୀକ୍ଷଣ ଲାବୋରେଟୋରୀ ଭଳି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକରେ ମଧ୍ୟ ମହିଳା ବୃତ୍ତିଧାରୀମାନେ ପ୍ରମୁଖ ଅବଦାନ ରଖୁଛନ୍ତି। ଏହି ପ୍ଲାଟଫର୍ମଗୁଡ଼ିକ ମହିଳା ଇଞ୍ଜିନିୟରମାନଙ୍କୁ ବିତରଣ ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ବ୍ୟବସ୍ଥା, ସ୍ମାର୍ଟ ମିଟରିଂ ଏବଂ ଗୁଣବତ୍ତା ନିଶ୍ଚିତ କରିବା କ୍ଷେତ୍ରରେ ବ୍ୟବହାରିକ ଅଭିଜ୍ଞତା ପ୍ରଦାନ କରୁଛି। ଏହାଦ୍ୱାରା ସେମାନେ ନେଟୱାର୍କର ନିର୍ଭରଯୋଗ୍ୟତା ବଢ଼ାଇବା, କ୍ଷତି ହ୍ରାସ କରିବା ଏବଂ ଗ୍ରାହକ ସେବାରେ ଉନ୍ନତି ଆଣିବାରେ ସିଧାସଳଖ ସହାୟକ ହେଉଛନ୍ତି।

ଏଭଳି ପଦକ୍ଷେପ ମାଧ୍ୟମରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ନିଜର ବୈଷୟିକ ଭିତ୍ତିଭୂମିକୁ ମଜବୁତ କରିବା ସହ ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ନେତୃତ୍ୱ ନେବାର ନୂଆ ସୁଯୋଗ ସୃଷ୍ଟି କରୁଛନ୍ତି, ଯାହା ଦୈନିକ ବିଦ୍ୟୁତ ଯୋଗାଣ ଏବଂ ଗ୍ରାହକଙ୍କ ସନ୍ତୋଷ ଉପରେ ସକରାତ୍ମକ ପ୍ରଭାବ ପକାଉଛି।

ମହିଳା ବୃତ୍ତିଧାରୀଙ୍କ ଅନୁଭୂତି

ନିଜର ନେତୃତ୍ୱଗତ ଅଭିଜ୍ଞତା ବାଣ୍ଟି ସୁଶ୍ରୀ ନେହା ପାଣ୍ଡେ, ଏଚଓଜି, ବିଜନେସ୍ ଏକ୍ସଲେନ୍ସ ଏବଂ ଗ୍ରାହକ ସେବା, ଟିପିଏନଓଡିଏଲ କହିଛନ୍ତି ଯେ, “ଜଣେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ଭାବରେ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସହିତ ଗ୍ରାହକ-କୈନ୍ଦ୍ରିକ ଆଭିମୁଖ୍ୟ କିପରି ଶିଳ୍ପ ଏବଂ ସମାଜରେ ପରିବର୍ତ୍ତନ ଆଣିପାରେ, ତାହା ମୁଁ ନିକଟରୁ ଦେଖିଛି। ଜଣେ ଗ୍ରାଜୁଏଟ୍ ଟ୍ରେନିରୁ ଆରମ୍ଭ କରି ଆଜି ଟିପିଏନଓଡିଏଲରେ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର ନେତୃତ୍ୱ ନେବା ପର୍ଯ୍ୟନ୍ତ ମୋର ସଫଳତା ମୋର ବିଶ୍ୱାସକୁ ଆହୁରି ଦୃଢ଼ କରିଛି। ଇଞ୍ଜିନିୟରିଂ କୌଶଳ ସହ ଗ୍ରାହକଙ୍କ ସୁବିଧା ଓ ଦେଶର ବିକାଶର ଦୃଷ୍ଟିକୋଣକୁ ମିଶାଇଲେ ହିଁ ପ୍ରକୃତ ଉନ୍ନତି ସମ୍ଭବ ହୁଏ। ଓଡ଼ିଶାର ବିଦ୍ୟୁତ ସେବାରେ ନିର୍ଭରଯୋଗ୍ୟତା ବଢ଼ାଇବା ଏବଂ ଗ୍ରାହକଙ୍କ ବିଶ୍ୱାସ ବୃଦ୍ଧି କରୁଥିବା ବିଭିନ୍ନ ପଦକ୍ଷେପଗୁଡ଼ିକର ନେତୃତ୍ୱ ନେଇ ମୁଁ ଗର୍ବିତ”।

ନିଜର ଅନୁଭୂତି ବାଣ୍ଟି ଟିପିଏସଓଡିଏଲ ମିଟର ପରୀକ୍ଷଣ ଲାବୋରେଟୋରୀର ନିର୍ବାହୀ ଯନ୍ତ୍ରୀ ଲୀନା ପଟେଲ କହିଛନ୍ତି ଯେ, “ଏକ ସମ୍ପୂର୍ଣ୍ଣ ମହିଳା ମାନଙ୍କ ଦ୍ଵାରା ପରିଚାଳିତ ମିଟର ଟେଷ୍ଟିଂ ଲ୍ୟାବରେ କାର୍ଯ୍ୟ କରିବା ମୋ ପାଇଁ ଏକ ସ୍ମରଣୀୟ ଅଭିଜ୍ଞତା। ଆମେ ମିଟରର ସୂକ୍ଷ୍ମ ପରୀକ୍ଷଣ ଏବଂ ଗୁଣବତ୍ତା ନିଶ୍ଚିତ କରୁଛୁ, ଯାହା ସିଧାସଳଖ ଉପଭୋକ୍ତାଙ୍କ ବିଶ୍ୱାସ ସହ ଜଡ଼ିତ। ଏହି ଦାୟିତ୍ୱ ଯେତିକି ବୃହତ, ଏହାକୁ ସଫଳତାର ସହ ସମ୍ପାଦନ କରି ଆମେ ସେତିକି ଗର୍ବିତ ମଧ୍ୟ। ଟିପିଏସଓଡିଏଲ ଏପରି ଏକ କର୍ମକ୍ଷେତ୍ର ସୃଷ୍ଟି କରିଛି ଯେଉଁଠାରେ ମହିଳା ଇଞ୍ଜିନିୟରମାନେ ଆତ୍ମବିଶ୍ୱାସର ସହ ନେତୃତ୍ୱ ନେଇପାରୁଛନ୍ତି, ନିଜର ବୈଷୟିକ ଜ୍ଞାନକୁ ବୃଦ୍ଧି କରିପାରୁଛନ୍ତି ଏବଂ ଶକ୍ତି କ୍ଷେତ୍ରରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିପାରୁଛନ୍ତି”।

ନିଜର ଅନୁଭୂତି ବାଣ୍ଟି ଟିପିସିଓଡିଏଲ ର ସୁପରିଟେଣ୍ଡିଂ ଇଞ୍ଜିନିୟର, ଏମଏମଜି, ତନୁଜା ବେହେରା କହିଛନ୍ତି ଯେ, “ବିଦ୍ୟୁତ କ୍ଷେତ୍ରରେ ଜଣେ ମହିଳା ଇଞ୍ଜିନିୟର ଭାବରେ କାର୍ଯ୍ୟ କରିବା ଷ୍ଟେମ ର ପରିବର୍ତ୍ତନକାରୀ ଶକ୍ତି ଉପରେ ମୋର ବିଶ୍ୱାସକୁ ଆହୁରି ଦୃଢ଼ କରିଛି। ବୈଷୟିକ ଜ୍ଞାନ, ରଣନୀତିକ ଚିନ୍ତାଧାରା ଏବଂ ନିର୍ଣ୍ଣାୟକ ନେତୃତ୍ୱ ଆବଶ୍ୟକ କରୁଥିବା ଏହି ଭୂମିକାରେ ପ୍ରତିଟି ଆହ୍ୱାନକୁ ମୁଁ ନୂଆ ଶିଖିବାର ଏକ ସୁଯୋଗ ଭାବେ ଗ୍ରହଣ କରେ। ଟିପିସିଓଡିଏଲରେ ମହିଳାମାନଙ୍କୁ ଆଗରେ ରହି ନେତୃତ୍ୱ ନେବାକୁ ଏବଂ ଆଗାମୀ ପିଢ଼ିର ଝିଅମାନଙ୍କୁ ଆତ୍ମବିଶ୍ୱାସର ସହ ଷ୍ଟେମ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଉତ୍ସାହିତ କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମର ପ୍ରତିଟି ନିଷ୍ପତ୍ତି ଉପଭୋକ୍ତାମାନଙ୍କୁ ସର୍ବଦା ପ୍ରାଥମିକତା ଦେଇ ସେମାନଙ୍କୁ ଭରସାଯୋଗ୍ୟ, ସୁରକ୍ଷିତ ଏବଂ ଦକ୍ଷ ବିଦ୍ୟୁତ ସେବା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ”।

ଟିପିଡବ୍ଲ୍ୟୁଓଡିଏଲ୍ ର ରାଉରକେଲା, ଉଦିତନଗର ସ୍ଥିତ ସମ୍ପୂର୍ଣ୍ଣ ମହିଳା ପରିଚାଳିତ ବିଦ୍ୟୁତ ସବ୍-ଡିଭିଜନର ଏସଡିଓ  ଅନାମିକା ବୋହିଦାର କହିଛନ୍ତି ଯେ, “ବୈଷୟିକ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଏକ ସମାବେଶୀ ପରିବେଶ ସୃଷ୍ଟି କରିବା ଯେକୌଣସି ସଂସ୍ଥା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ସମାନତା ଆଣିନଥାଏ, ବରଂ ବିଦ୍ୟୁତ ବିତରଣ ବ୍ୟବସ୍ଥାର ଦକ୍ଷତା ଏବଂ ସ୍ଥାୟୀତ୍ୱକୁ ମଧ୍ୟ ବୃଦ୍ଧି କରିଥାଏ। ସମାଜର ରକ୍ଷଣଶୀଳ ଚିନ୍ତାଧାରା ସତ୍ତ୍ୱେ, କ୍ରମାଗତ ଶିକ୍ଷା ଏବଂ ମିଳିତ ପ୍ରୟାସ ମାଧ୍ୟମରେ ଆମେ ଏକ ସୁଦୃଢ଼ ନେଟୱାର୍କ ପରିଚାଳନା କରିପାରୁଛୁ। ଟିପିଡବ୍ଲ୍ୟୁଓଡିଏଲ ମହିଳାମାନଙ୍କୁ ନେତୃତ୍ୱ ନେବା ପାଇଁ ସଦାବେଳେ ପ୍ରୋତ୍ସାହିତ କରିଆସିଛି। ସଠିକ୍ ସମୟ ପରିଚାଳନା ଏବଂ କ୍ଷେତ୍ରସ୍ତରରେ ମହିଳା ନେତୃତ୍ୱଙ୍କୁ ଦେଖିଲେ ଆଗାମୀ ପିଢ଼ିର ଝିଅମାନେ ଶକ୍ତି କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବା ପାଇଁ ପ୍ରେରଣା ପାଇବେ।”

ବିଜ୍ଞାନ କ୍ଷେତ୍ରରେ ମହିଳାମାନଙ୍କ ଉପରେ ଓଡ଼ିଶା ଡିସକମ୍ଗୁଡ଼ିକର ଗୁରୁତ୍ଵ କେବଳ ପ୍ରତିନିଧିତ୍ୱ ବଢାଇବା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସେମାନଙ୍କ କାର୍ଯ୍ୟକ୍ଷମତା ମଧ୍ୟରେ ସ୍ଥାୟୀ ସାମର୍ଥ୍ୟ ଗଠନ କରିବା ଦିଗରେ ଉଦ୍ଦିଷ୍ଟ। ମହିଳା ଇଞ୍ଜିନିୟରମାନେ ସ୍ମାର୍ଟ ମିଟରିଂ କାର୍ଯ୍ୟକାରୀ କରିବା, ନେଟୱାର୍କ ରକ୍ଷଣାବେକ୍ଷଣ, ପରୀକ୍ଷଣ ଏବଂ କାଲିବ୍ରେସନ୍, ସୁରକ୍ଷା ପଦକ୍ଷେପ ଏବଂ ଗ୍ରାହକ ସମ୍ପର୍କିତ କାର୍ଯ୍ୟରେ ସକ୍ରିୟ ଭାବେ ନିୟୋଜିତ ଅଛନ୍ତି। ସୁନିୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ନେତୃତ୍ୱ ବିକାଶ ପଦକ୍ଷେପ ଏବଂ ସହାୟକ କର୍ମକ୍ଷେତ୍ର ନୀତି ମାଧ୍ୟମରେ ମହିଳା ବୃତ୍ତିଧାରୀମାନେ ବୈଷୟିକ ଭାବେ ଚ୍ୟାଲେଞ୍ଜିଂ ବିଦ୍ୟୁତ ବିତରଣ କାର୍ଯ୍ୟରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିପାରୁଛନ୍ତି।

ବିବିଧତା ଏବଂ କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ମଧ୍ୟରେ ସମନ୍ୱୟ ରକ୍ଷା କରି, ଓଡ଼ିଶା ଡିସକମ୍ ଗୁଡ଼ିକ ପ୍ରମାଣିତ କରିଛନ୍ତି ଯେ ଏକ ସମାବେଶୀ ସଂସ୍ଥା କିପରି ଉପଭୋକ୍ତା ଏବଂ ସମାଜ ପାଇଁ ଉନ୍ନତ ସେବା ପ୍ରଦାନ କରିପାରିବ। ଏହି ସମସ୍ତ ପଦକ୍ଷେପ ଓଡ଼ିଶା ସାରା ଏକ ଦକ୍ଷ, ପ୍ରଯୁକ୍ତିବିଦ୍ୟା-ଚାଳିତ ଏବଂ ସୁଦୃଢ଼ ବିଦ୍ୟୁତ ବିତରଣ ବ୍ୟବସ୍ଥା ଗଠନ କରିବାରେ କମ୍ପାନୀର ବ୍ୟାପକ ଲକ୍ଷ୍ୟକୁ ସାକାର କରୁଛି। ଦକ୍ଷତା ବୃଦ୍ଧି, ଭିତ୍ତିଭୂମିର ବିକାଶ ଏବଂ ସମାବେଶୀ କାର୍ଯ୍ୟଧାରା ଉପରେ କ୍ରମାଗତ ପୁଞ୍ଜିନିବେଶ କରି କମ୍ପାନୀ ମହିଳାମାନଙ୍କୁ ନେତୃତ୍ୱ ନେବା ଓ ନୂତନ ଜ୍ଞାନକୌଶଳର ପ୍ରୟୋଗ କରିବା ପାଇଁ ସୁଯୋଗ ଦେଉଛି, ଯାହା ସମଗ୍ର ରାଜ୍ୟର ପ୍ରଗତି ପାଇଁ ଏକ ଶକ୍ତିଶାଳୀ ପଦକ୍ଷେପ।

Share

Leave a Reply

Your email address will not be published. Required fields are marked *

eighteen + three =