ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ସାରା ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଉଛି । ରାଜଧାନୀ ଦିଲ୍ଲୀର ଜାତୀୟ ପଥରେ ଆଜି ପରେଡ୍ ପାଇଁ ପ୍ରସ୍ତୁତି କରାଯାଇଛି । ଏଥିସହିତ ଅପରେସନ୍ ସିନ୍ଦୂର ଥିମ୍ ଉପରେ ଏକ ବିଶେଷ ପରେଡ୍ ପାଇଁ ପ୍ରସ୍ତୁତି ଚାଲିଛି । ଯାହାର ଝଲକ ଦେଖିବାକୁ ମିଳିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସରକାରୀ X ହ୍ୟାଣ୍ଡେଲରେ ଟ୍ୱିଟ୍ କରି କହିଛନ୍ତି ଯେ,”ଗଣତନ୍ତ୍ର ଦିବସର ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ । ଏହି ଦିବସ ଭାରତର ଗର୍ବ ଏବଂ ଗୌରବର ପ୍ରତୀକ । ଏହି ଜାତୀୟ ପର୍ବ ଆପଣମାନଙ୍କ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଏବଂ ଉତ୍ସାହ ସଞ୍ଚାର କରୁ । ମୁଁ କାମନା କରୁଛି ଯେ ଏକ ବିକଶିତ ଭାରତ ପାଇଁ ସଂକଳ୍ପ ଆହୁରି ଦୃଢ଼ ହେଉ ।’’ ସେ ଆହୁରି କହିଛନ୍ତି, “ଗଣତନ୍ତ୍ର ଦିବସ ଆମର ସ୍ୱାଧୀନତା, ସମ୍ବିଧାନ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ଶକ୍ତିଶାଳୀ ପ୍ରତୀକ । ଏହି ପର୍ବ ଆମକୁ ଏକ ରାଷ୍ଟ୍ର ଗଠନର ସଂକଳ୍ପ ସହିତ ଏକତ୍ରିତ ହୋଇ ଆଗକୁ ବଢ଼ିବା ପାଇଁ ନୂତନ ଶକ୍ତି ଏବଂ ପ୍ରେରଣା ଦିଏ ।”
ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଜାତୀୟ ରାଜପଥରେ ତ୍ରିରଙ୍ଗା ଉତ୍ତୋଳନ କରିବେ । ପତାକା ଉତ୍ତୋଳନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସହିଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଆଜିର ଉତ୍ସବ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ଦିଲ୍ଲୀରୁ କାଶ୍ମୀର ଏବଂ କନ୍ୟାକୁମାରୀ ଏବଂ ଗୁଜରାଟରୁ ଉତ୍ତର-ପୂର୍ବ ରାଜ୍ୟ ପର୍ଯ୍ୟନ୍ତ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେବଳ ଦିଲ୍ଲୀରେ ୧୦ ହଜାରରୁ ଅଧିକ ସୈନିକଙ୍କୁ ନିୟୋଜିତ କରାଯାଇଛି ।

