୧୯ତମ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମାନ୍ୟବର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ
ଭୁବନେଶ୍ୱର, ୨୧/୦୮: ଟାଟା ଷ୍ଟିଲ ପକ୍ଷରୁ ପଠାଣୀ ସାମନ୍ତ ପ୍ଲାନେଟାରିୟମ, ଭୁବନେଶ୍ୱର ସହଯୋଗିତାରେ ଆୟୋଜନ କରାଯାଉଥିବା ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ)ର ୧୯ତମ ସଂସ୍କରଣର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ଲୋକସେବା ଭବନଠାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଛନ୍ତି।
ସାରା ଓଡ଼ିଶାର ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଓ ଜ୍ୟୋତିର୍ବିଜ୍ଞାନ ପ୍ରତି ଥିବା ନିଜ ଆଗ୍ରହ ଓ ଅଭିରୂଚି ପ୍ରଦର୍ଶନ କରିବା ପାଇଁ ୟାଟ୍ସ କାର୍ଯକ୍ରମ ଏକ ସ୍ୱତନ୍ତ୍ର ମଂଚ ପ୍ରଦାନ କରି ଆସୁଛି। ଓଡ଼ିଶାର କିମ୍ବଦନ୍ତୀ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଅବଦାନକୁ ମଧ୍ୟ ଏହା ରୁଦ୍ଧିମନ୍ତ କରି ଆସୁଛି।
କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଚଳିତ ବର୍ଷର ବିଷୟବସ୍ତୁ ରହିଛି “ଆଜିର ନକ୍ଷତ୍ରଦର୍ଶୀ, କାଲିର ମହାକାଶଯାତ୍ରୀ”। ଏଥିପାଇଁ ସ୍କୁଲ ଓ ଜିଲ୍ଲାସ୍ତରରେ ପ୍ରତିଯୋଗିତା କରାଯିବ। ବିଜେତାମାନେ ଡିସେମ୍ବର ୧୩ ତାରିଖରେ ପଠାଣି ସାମନ୍ତ ପ୍ଲାନେଟାରିୟମରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ସାମିଲ ହେବେ। ପରେ ସାରା ରାଜ୍ୟର ୩୦ ଜଣ ବିଜେତା ବେଙ୍ଗାଲୁରୁସ୍ଥିତ ଇସ୍ରୋ ପରିଦର୍ଶନ କରି ବୈଜ୍ଞାନିକମାନଙ୍କ ଗବେଷଣା ସମ୍ପର୍କରେ ଜ୍ଞାନ ଲାଭ କରିବେ।
ଏହାର ଉଦଘାଟନୀ ସମାରୋହରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱରେ ଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିସନର ତଥା ଶାସନ ସଚିବ ଆଇଏଏସ ଶ୍ରୀ ଭୁପେନ୍ଦ୍ର ସିଂହ ପୁନିଆ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି ଏବଂ ପୂଜା ମିଶ୍ର, ଫାଇନାନ୍ସିଆଲ ଆଡଭାଇଜର ତଥା ଅତିରିକ୍ତ ସଚିବ ବିଦ୍ୟୁତପ୍ରଭା ରାଉତ, ଓଡ଼ିଶା ସରକାରଙ୍କ ଉପ ସଚିବ ଓ ପଠାଣି ସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶିକା ଶ୍ରୀମତୀ ଉର୍ମିପ୍ରଭା ମହାରଣା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଉପ ସଚିବ ଚିନ୍ମୟୀ ଚେତନା ଦାସ, ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ଉପ ନିର୍ଦ୍ଦେଶକ ଶଶିକାନ୍ତ ଦାଶ ଏବଂ ଟାଟା ଷ୍ଟିଲର ଚିଫ ରେସିଡେଂଟ ଏକଜିକ୍ୟୁଟିଭ (ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ) ଶ୍ରୀ ଦେବାଶିଷ ଜେନା ଉପସ୍ଥିତ ରହିଥିଲେ।
ୟାଟ୍ସ କାର୍ଯ୍ୟକ୍ରମରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ବଢ଼ାଇବାକୁ ଟାଟା ଷ୍ଟିଲ ପ୍ରତିବଦ୍ଧ ରହିଛି ଓ ଏଥିପାଇଁ ଉଭୟ ପ୍ରତ୍ଯକ୍ଷ ଓ ଭରଚୁଆଲ ମାଧ୍ୟମ ଆପଣାଯାଇଛି ବୋଲି ଟାଟା ଷ୍ଟିଲର ଚିଫ ରେସିଡେଂଟ ଏକଜିକ୍ୟୁଟିଭ ଶ୍ରୀ ଦେବାଶିଷ ଜେନା ଆଲୋକପାତ କରିଥିଲେ। ଯୁବ ପ୍ରତିଭାମାନଙ୍କୁ ଅନୁପ୍ରାଣିତ କରିବା ଏବଂ ମହାକାଶ ବିଜ୍ଞାନରେ ସେମାନଙ୍କ ଆଗ୍ରହକୁ ଆହୁରି ଗଭୀର କରିବା ଲାଗି କମ୍ପାନୀର ପ୍ରଚେଷ୍ଟାକୁ ସେ ଦୋହରାଇଥିଲେ।
ଛାତ୍ରଛାତ୍ରୀମାନେ ୟାଟସରେ ନିଜ ସ୍କୁଲ ଜରିଆରେ କିମ୍ବା ଅନଲାଇନରେ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଭସଗ୍ଧ.କ୍ଷଚ୍ଚ/ଣଇଞଝ୨୦୨୫ ୟାଟ୍ସ ପୋର୍ଟାଲରେ ପଞ୍ଜୀକରଣ କରି ଅଂଶଗ୍ରହଣ କରିପାରିବେ।
ଏଥିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ କୁଇଜ ଏବଂ ନବମ-ଦଶମ ଶ୍ରେଣୀର ପିଲାମାନଙ୍କ ପାଇଁ ବିବିଧ-ପସନ୍ଦ ପ୍ରଶ୍ନାବଳୀ (ଏମସିକ୍ୟୁ) ରହିବ। ଜିଲ୍ଲାସ୍ତରୀୟ ବିଜେତାମାନଙ୍କୁ ୨୦୨୫ ଡିସେମ୍ବର ୧୩ ତାରିଖରେ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟାରିୟମରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ ଫିନାଲେ ପାଇଁ ଆମନ୍ତ୍ରଣ କରାଯିବ। ପଠାଣି ସାମନ୍ତ ଭାବେ ପରିଚିତ ମହାମହୋପାଧ୍ୟାୟ ପଣ୍ଡିତ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ ଜୟନ୍ତୀରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ।
ଗତ ୧୮ ବର୍ଷ ମଧ୍ୟରେ ୟାଟ୍ସ କାର୍ଯ୍ୟକ୍ରମ ଓଡ଼ିଶାର ସ୍କୁଲ ପିଲାମାନଙ୍କ ମଧ୍ୟରେ ବ୍ରହ୍ମାଣ୍ଡର ରହସ୍ୟକୁ ନେଇ ଆଗ୍ରହକୁ ତ୍ୱରାନ୍ୱିତ କରିଛି। ୟାଟସର ୧୮ତମ ସଂସ୍କରଣର ବିଜେତାମାନେ ୨୦୨୫ ମେ’ ମାସରେ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ (ଆଇଏସଟିଆରଏସି) ଓ ୟୁଆର ରାଓ ଉପଗ୍ରହ କେନ୍ଦ୍ର (ୟୁଆରଏସସି) ପରିଦର୍ଶନ କରିଥିଲେ। ଶୁଭାରମ୍ଭ ପରଠାରୁ ୟାଟସ ସାରା ଓଡ଼ିଶାର ୪.୭୧ ଲକ୍ଷ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚିପାରିଛି ଏବଂ ୨୩୦ ଜଣ ବିଜେତା ଇସ୍ରୋର ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ପ୍ରଗତିକୁ ଦେଖିବାର ସ୍ୱତନ୍ତ୍ର ସୁଯୋଗ ହାସଲ କରିଛନ୍ତି।

