Friday, October 30, 2026
Latestରାଜ୍ୟ

ସମ୍ ଅଲ୍ଟିମେଟ୍‌ରେ ନବଜାତ ଶିଶୁର ପେଟରୁ ଅସ୍ତ୍ରୋପଚାର ଜରିଆରେ ବାହାର କରାଗଲା ବୃହତ ଟ୍ୟୁମର

ଏକ ନବଜାତ ଶିଶୁର ପେଟରୁ ଅସ୍ତ୍ରୋପଚାର ଜରିଆରେ ଏକ ବଡ଼ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ । ଏ ନେଇ ସମ୍ମମ୍ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି ।
ଶିଶୁ କନ୍ୟାଟିର ପେଟଟି ଫୁଲିଥିବାର ଦେଖି ତା’ର ପିତାମାତା ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେଇଥିଲେ । ଜନ୍ମ ସମୟରେ ଶିଶୁଟିର ଓଜନ ଅଢ଼େଇ କେଜି ଥିବା ବେଳେ ଜନ୍ମ ହେବାର ଦ୍ୱିତୀୟ ଦିନରୁ ହିଁ ସ୍ତନ୍ୟପାନ କରିବାରେ ସମସ୍ୟା ଉପୁଜିଥିଲା ବୋଲି କହିଛନ୍ତି ହସ୍ପିଟାଲ୍‌ର ଶିଶୁରୋଗ ଏବଂ ନିଓନାଟୋଲଜି ବିଭାଗର ସିନିୟର୍ କନ୍‌ସଲଟାଂଟ ଡାକ୍ତର ପ୍ରଦୀପ କୁମାର ଦେ ।
ପୁଙ୍ଖାନୁପୁଙ୍ଖ ପରୀକ୍ଷା ନିରୀକ୍ଷା ପରେ ଶିଶୁର ପେଟରେ ଏକ ବଡ଼ ଅପରିପକ୍ୱ ଟ୍ୟୁମର (ଇମ୍ୟାଚ୍ୟୁର ଟେରାଟୋମା) ଥିବାର ଜଣାପଡ଼ିଥିଲା । ତେଣୁ ଅସ୍ତ୍ରୋପଚାର ଜରିଆରେ ଟେରାଟୋମାଟିକୁ ବାହାର କରାଯିବା ନିଷ୍ପତି ନିଆଯାଇଥିଲା ବୋଲି ଡାକ୍ତର ଦେ କହିଛନ୍ତି ।
ଏହି ଟେରାଟୋମା ହେଉଛି କୋଷିକାଗୁଡ଼ିକୁ ନେଇ ଗଠିତ ଏକ ଟ୍ୟୁମର ଯାହାକି ଯେଉଁଠାରେ ସୃଷ୍ଟି ହୋଇଥିଲା ସାଧାରଣତଃ ସେଠାରେ ଦେଖା ଯାଇନଥାଏ ।
ପେଡିଆଟ୍ରିକ୍ ସର୍ଜନ ପ୍ରଫେସର (ଡାକ୍ତର) ଅନ୍ତର୍ଯ୍ୟାମୀ ପ୍ରଧାନ ଏହି ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିବା ବେଳେ ତାଙ୍କୁ ଅଙ୍କୋ ସର୍ଜନ ଡାକ୍ତର ସୁଦାମ ଷଢ଼ଙ୍ଗୀ ସହାୟତା କରିଥିଲେ । ସେହିପରି ଆନେସ୍‌ଥେସିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ଦୀପଙ୍କର ପଢ଼ିଆରୀଙ୍କ ସମେତ ଆନେସ୍‌ଥେସିଓଲଜି ବିଭାଗର ସିନିୟର୍ କନସଲଟାଂଟ ଡାକ୍ତର ସ୍ୱରୁପା ଦେବୀପ୍ରଦା, ଡାକ୍ତର ପ୍ରଶାନ୍ତ କୁମାର ବେହେରା ଓ ଡାକ୍ତର ସୋନମ ପଣ୍ଡା ଓ ଟିମ୍ ଏହି ଅସ୍ତ୍ରୋପଚାରରେ ସାମିଲ ଥିଲେ ।
ପ୍ରଫେସର ପ୍ରଧାନ କହିଛନ୍ତି ଯେ ଶିଶୁର ପେଟର ପ୍ରମୁଖ ଶିରାପ୍ରଶିରା ସହିତ ଏହି ଟ୍ୟୁମରଟି ଅତିମାତ୍ରାରେ ଜଡ଼ିତ ଥିବାରୁ ଏହି ସର୍ଜରଟି ଖୁବ୍ ଜଟିଳ ଥିଲା । ତେଣୁ ଖୁବ୍ ଯତ୍ନର ସହିତ ଏହି ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସେ କହିଛନ୍ତି ।
ଅସ୍ତ୍ରୋପଚାର ପରେ ଶିଶୁଟିକୁ ଭେଂଟିଲେଟରରେ ରଖାଯାଇଥିଲା ଏବଂ ତା’ର ଚିକିତ୍ସା ଡାକ୍ତର ଦେ ଓ ଜୁନିୟର କନ୍‌ସଲଟାଂଟ ଡାକ୍ତର ଅଜୟ କୁମାର ଗାହାଣ କରିଥିଲେ ।
ଡାକ୍ତର ଗାହାଣ କହିଛନ୍ତି ଶିଶୁଟିର ସ୍ୱାସ୍ଥ୍ୟରେ ବର୍ତମାନ ଅନେକ ଉନ୍ନତି ଘଟିଛି ଏବଂ ସ୍ତନ୍ୟପାନ କରିବାରେ ସକ୍ଷମ ହେଲାଣି । ଏହି ଅସ୍ତ୍ରେପଚାର ହସ୍ପିଟାଲ୍‌ର ଅଭିଜ୍ଞ ସର୍ଜନ୍‌, ଡାକ୍ତର, ନର୍ସିଂ ଷ୍ଟାଫ୍ ଏବଂ ଉତମ ନିଓନାଟାଲ୍ ଇନ୍‌ଟେନ୍‌ସିଭ କେୟାର ୟୁନିଟ୍ (ଏନ୍‌ଆଇସିୟୁ) ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × three =