Friday, October 30, 2026
Latestରାଜ୍ୟ

ସମ ହସ୍ପିଟାଲରେ ଖୁବ ଶୀଘ୍ର ଆରମ୍ଭ ହେବ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ଭୁବନେଶ୍ୱର()  କରୋନା ମହାମାରୀର ମୁକାବିଲା ନିମନ୍ତେ କୋଭିଡ-୧୯ ଭ୍ୟାକସିନ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ ଶୀଘ୍ର ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହେବ |

ଏହି ସ୍ୱଦେଶୀ ଟୀକାକୁ ଭାରତ ବାୟୋଟେକ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ମିଳିତ ଭାବେ ପ୍ରସ୍ତୁତ କରୁଥିବା ବେଳେ ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନିମନ୍ତେ ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଯେସନର ପକ୍ଷରୁ ସ୍ୱୀକୃତି ମିଳିଛି। ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟ ମାନବ ପରୀକ୍ଷଣ ପ୍ରକ୍ରିୟା ସୁରକ୍ଷିତ ଭାବେ ଶେଷ ହୋଇ ସାରିଛି। ଏହି ପ୍ରକ୍ରିୟା ରେ ଅନେକ ସଂଖ୍ୟାରେ ସ୍ବେଛାସେବୀଙ୍କ ଶରୀରରେ ନୂତନ ଟୀକାର ପରୀକ୍ଷଣ କରାଯିବ |

ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନିମନ୍ତେ ଦେଶର ୨୧ଟି ମେଡିକାଲ ଅନୁଷ୍ଠାନକୁ ଆଇସିଏମଆର ପକ୍ଷରୁ ଚୟନ କରାଯାଇଥିବା ବେଳେ ଓଡିଶାର ଏକମାତ୍ର ଅନୁଷ୍ଠାନ ଭାବେ ଆଇଏମଏସ ଓ ସମ ହସ୍ପିଟାଲକୁ ମନୋନୀତ କରାଯାଇଛି ।

କରୋନା ମହାମାରୀର ପ୍ରଭାବ ଦେଶରେ ବଢ଼ି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଏହି ଟୀକାର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଂଚି ଥିବା କହିଛନ୍ତି ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ତଥା ଏହି ପରୀକ୍ଷଣର ମୁଖ୍ୟ ପରୀକ୍ଷକ ପ୍ରଫେସର ଇ. ଭେଙ୍କଟ ରାଓ |

ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ୟୁନିଟର ମୁଖ୍ୟ ଥିବା ପ୍ରଫେସର ରାଓ କହିଛନ୍ତି ଯେ ଏହି ତୃତୀୟ ପର୍ଯ୍ୟାୟରେ ବୟସ ସୀମା, ଯୋଗ୍ୟତା ଏବଂ ସ୍କ୍ରିନିଂ ପ୍ରକ୍ରିୟା କୁ କୋହଳ କରାଯିବ ଏବଂ ସୁସ୍ଥ ସ୍ବେଛାସେବୀ ମାନେ ଏହି ପର୍ଯ୍ୟାୟ ନିମନ୍ତେ ଚୟନ କରାଯାଇ ପାରିବେ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବେଛାସେବୀ ମାନଙ୍କ ଶରୀରରେ ମଧ୍ୟ ଏହି ଟୀକା ପ୍ରୟୋଗ କରାଯିବାର ଯୋଜନା ରହିଛି ବୋଲି ପ୍ରଫେସର ରାଓ କହିଛନ୍ତି | ଟୀକା ପ୍ରୟୋଗ କରାଯାଇଥିବା ସ୍ବେଛାସେବୀ ମାନଙ୍କ ଠାରେ କୋଭାକସିନ ଟୀକାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରାଯିବ |ଏହି ଭ୍ୟାକସିନର ପରୀକ୍ଷଣ ନିମନ୍ତେ ଅନେକ ସ୍ବେଛାସେବୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଥିବା ସେ ଜଣାଇଛନ୍ତି। ଇଛୁକ ସ୍ବେଛାସେବୀ ମାନେwww. ptctu.soa.ac ୱେବସାଇଟରେ ରେଜିଷ୍ଟ୍ରସନ କରିପାରିବେ।

Share

Leave a Reply

Your email address will not be published. Required fields are marked *

two × two =