ଟାଟା ଷ୍ଟିଲ୍ ଓ ବ୍ରିଟେନ୍ ପକ୍ଷରୁ ଗ୍ରିନ୍ ହାଇଡ୍ରୋଜେନ୍ ଓ ଡିକାର୍ବନାଇଜେସନ ପାଇଁ ଅଭିନବ ପ୍ରକଳ୍ପକୁ ମିଳିତ ସମର୍ଥନ

ଭୁବନେଶ୍ୱର: ଶିଳ୍ପ କ୍ଷେତ୍ରର ନିରନ୍ତର ଭବିଷ୍ୟତ ଲାଗି ଗ୍ରିନ୍ ହାଇଡ୍ରୋଜେନ୍ ପ୍ରଯୁକ୍ତିର ମୁକାବିଲା ପାଇଁ ପ୍ରଯୁକ୍ତିଭିତିକ ସମାଧାନ ପ୍ରଦାନ କରିବା ନିମନ୍ତେ ଟାଟା ଷ୍ଟିଲ୍ ପକ୍ଷରୁ ‘ଟାଟା ଷ୍ଟିଲ୍‌-ସ୍ପ୍ରିଂଟ୍ ଟୁ ଜିରୋ’ ୨୦୨୩ ଚ୍ୟାଲେଞ୍ଜ ଘୋଷଣା କରାଯାଇଛି । ଏହି ଘୋଷଣା ହେଉଛି ବ୍ରିଟେନ୍‌-ଭାରତ ହାଇଡ୍ରୋଜେନ୍ ସହଯୋଗିତାର ଏକ ଅଂଶ । ବ୍ରିଟେନ୍‌ର ବିଜ୍ଞାନ ମନ୍ତ୍ରୀ ଜର୍ଜ ଫ୍ରିମ୍ୟାନ୍ ଓ ଟାଟା ଷ୍ଟିଲ୍‌ର ଉପସଭାପତି (ପ୍ରଯୁକ୍ତି ଓ ଆର୍‌ଆଣ୍ଡ୍‌ଡି) ଡକ୍ଟର ଦେବାଶିଷ ଭଟ୍ଟାଚାର୍ଯ୍ୟ ମିଳିତ ଭାବେ ଆଇଆଇଏସ୍‌ସି ବେଙ୍ଗାଲୁରୁରେ ଏହି ଘୋଷଣା କରିଛନ୍ତି ।
୨୦୨୨ରେ ଭାରତ ଓ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ବ୍ରିଟେନ୍‌-ଭାରତ ହାଇଡ୍ରୋଜେନ୍ ହବ୍ ଅଧୀନରେ ବ୍ରିଟେନ୍‌-ଭାରତ ହାଇଡ୍ରୋଜେନ୍ ସହଯୋଗିତା ଘୋଷଣା କରାଯାଇଛି । ଉଭୟ ଦେଶ ଏହି କ୍ଷେତ୍ରରେ ସାମ୍ନା କରୁଥିବା ପାଂଚଟି ବଡ଼ ଆହ୍ୱାନ ଯଥା ସଂରକ୍ଷଣ, ପରିବହନ, ସୁରକ୍ଷା, ଉତ୍ପାଦନ ଓ ବ୍ୟୟ ଆଦିର ମୁକାବିଲା କରିବା ଲାଗି ଘରୋଇ ଶିଳ୍ପ ପ୍ରାୟୋଜିତ ପରୀକ୍ଷାମୂଳକ ପ୍ରକଳ୍ପଗୁଡ଼ିକ ଏଥିରେ ସ୍ଥାନ ପାଇବ ।
ବ୍ରିଟେନ୍‌-ଭାରତ ହାଇଡ୍ରୋଜେନ୍ ସହଯୋଗିତା ସ୍ପ୍ରିଂଟ୍ ସିରିଜ୍‌ର ପ୍ରଥମ ପ୍ରାୟୋଜକ ହେଉଛି ଟାଟା ଷ୍ଟିଲ୍ ଯାହା ଲୋ କାର୍ବନ ହାଇଡ୍ରୋଜେନ୍‌ର ଦୁଇଟି ଅଭିନବ ପ୍ରକଳ୍ପ ପାଇଁ ୮୩ ଲକ୍ଷ ଟଙ୍କା ପ୍ରଦାନ କରିଛି ।
ଏହି ଅବସରରେ ବ୍ରିଟେନ୍‌ର ବିଜ୍ଞାନ, ନବସୃଜନ ଓ ପ୍ରଯୁକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଜର୍ଜ ଫ୍ରିମ୍ୟାନ୍ କହିଛନ୍ତି ଯେ, “ସାରା ଦୁନିଆ ପାଇଁ ଅର୍ଥନୀତିର ମେରୁଦଣ୍ଡ ଭାବେ ଇସ୍ପାତକୁ ବିଚାର କରାଯାଉଛି । ଇସ୍ପାତ ତିଆରିରେ ବ୍ୟାପକ ଶକ୍ତି ଓ କାର୍ବନ ବ୍ୟବହାର ହୋଇଥାଏ ଏବଂ ବିଶ୍ୱ ତାପନକୁ ହ୍ରାସ କରିବା ଲାଗି ଇସ୍ପାତ ଶିଳ୍ପକୁ ସ୍ୱଚ୍ଛ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତର ଇସ୍ପାତ ଶିଳ୍ପ ସହିତ ବ୍ରିଟେନ୍‌ର ଲୋ କାର୍ବନ ଉତ୍ପାଦନ ବିଶେଷତାର ସମିଶ୍ରଣ ଏବଂ ଟାଟା ଷ୍ଟିଲ୍ ଭଳି ଏକ ପ୍ରଗତିଶୀଳ ଇସ୍ପାତ କଂପାନି ସହିତ କାର୍ଯ୍ୟ କରି ଆମେ ଇସ୍ପାତ ଶିଳ୍ପ ଓ ଆମ ସମସ୍ତଙ୍କ ପାଇଁ ଏକ ପରିବେଶ ଦୀର୍ଘସ୍ଥାୟୀ ଭବିଷ୍ୟତ ପ୍ରଦାନ କରିବ ।’’
ଟାଟା ଷ୍ଟିଲ୍‌ର ଉପସଭାପତି (ପ୍ରଯୁକ୍ତି ଓ ଆର୍‌ଆଣ୍ଡ୍‌ଡି) ଡକ୍ଟର ଦେବାଶିଷ ଭଟ୍ଟାଚାର୍ଜୀ କହିଛନ୍ତି ଯେ, “ବର୍ତମାନ ଇସ୍ପାତ ଶିଳ୍ପର ପ୍ରାଥମିକତା ହେଉଛି ଡିକାର୍ବନାଇଜେସନ୍ ଏବଂ ତାହାକୁ ଏଭଳି ଭାବେ କରିବାକୁ ହେବ ଯାହା ଉଭୟ ପ୍ରଯୁକ୍ତି ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଦୀର୍ଘସ୍ଥାୟୀ ହେବ । ଇସ୍ପାତ କ୍ଷେତ୍ରରେ ବର୍ତମାନର କାର୍ବନ ଫୁଟ୍‌ପ୍ରିଂଟ୍ ଦୀର୍ଘସ୍ଥାୟୀ ନଥିବା ବେଳେ ଉପଲବ୍ଧ ସ୍ୱଚ୍ଛ ହାଇଡ୍ରୋଜେନ୍ କ୍ଷେତ୍ରରେ ପରିଚାଳନା ଖର୍ଚ ଓ ଶକ୍ତି କ୍ଷତି ଭଳି ଅନେକ ଆହ୍ୱାନ ରହିଛି । ଏହି ଆହ୍ୱାନଗୁଡ଼ିକର ସମାଧାନ ପାଇବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ଏବଂ ଏହି ଉଦ୍ୟମରେ ଶିକ୍ଷା ଓ ଶିଳ୍ପ ଜଗତର ଶ୍ରେଷ୍ଠ ପ୍ରତିଭା ଯେଭଳି ହାତ ମିଳାଇବେ ତାହା ନିଶ୍ଚିତ କରିବା ଲାଗି ‘ଟାଟା ଷ୍ଟିଲ୍‌-ସ୍ପ୍ରିଂଟ୍ ଟୁ ଜିରୋ ୨୦୨୩’ ଭଳି ପ୍ଲାଟଫର୍ମ ସୃଷ୍ଟି କରିଛୁ । ବ୍ରିଟେନ୍ ସରକାରଙ୍କ ସହ ମିଶି ସ୍ପ୍ରିଂଟ୍ ଅଭିଯାନର ଶୁଭାରମ୍ଭ କରିଥିବାରୁ ଆମେ ବହୁତ ଖୁସି ଏବଂ ଭାରତ ଓ ବ୍ରିଟେନ୍‌ର ନବସୃଜନ ନୀତି ନିର୍ଧାରକ, ଆରଆଣ୍ଡ୍‌ଡି କଂପାନି, ଷ୍ଟାର୍ଟଅପସ୍‌, ନିବେଶକ ଏବଂ ଗବେଷଣା ଦଳ ସହ କାର୍ଯ୍ୟ କରିବାକୁ ଆମେ ଚାହିଁରହିଛୁ ।’’

Share

Leave a Reply

Your email address will not be published. Required fields are marked *

twenty − 3 =