ମୌକା ଦେଖି ଗୋଳିଆ ପାଣିରୁ ବାଳିଆ ମାରୁଛନ୍ତି ବିରୋଧୀ

ଭୁବନେଶ୍ୱର : କରୋନା ମହାମାରୀରୁ ମୁକ୍ତି ପାଇଁ ଓଡିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରୁଥିବାବେଳେ ବିରୋଧିଦଳ ଗୁଡିକ କିନ୍ତୁ ୟେସ ବ୍ୟାଙ୍କ୍‍ ତାୱାରେ ରାଜନୀତିର ରୁଟି ସେକିବାରେ ବ୍ୟସ୍ତ । କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ୍‍, କେନ୍ଦ୍ର ଅର୍ଥମବୀଙ୍କ ପର୍ଯ୍ୟନ୍ତ ସମସ୍ତେ ୟେସ ବ୍ୟାଙ୍କ୍‍ରେ ଥିବା ଅର୍ଥ ସୁରକ୍ଷିତ ବୋଲି କହୁଥିବାବେଳେ ରାଜ୍ୟର ଦୁଇ ବିରୋଧିଦଳ କଂଗ୍ରେସ ଓ ବିଜେପି ବୁଡିଗଲା ବୁଡିଗଲା ବୋଲି ରାସ୍ତା ଘାଟରେ ଚିତ୍କାର କରୁଛନ୍ତି । ଏହା ଦେଖିଲା ପରେ ସତରେ କଣ ଏମାନେ ଜଗନ୍ନାଥଙ୍କ ପାଇଁ ଏଭଳି କାନ୍ଦୁଛନ୍ତି କି ବୋଲି ସାଧାରଣ ଜନତା ପ୍ରଶ୍ନ କଲେଣି । ଅର୍ଥ ଫେରିଲାପରେ ଏମାନେ ଲୋକହସା ହେବା ଏକ ପ୍ରକାର ଥୟବୋଲି ବି ମତ ଦେଉଛନ୍ତି । ୟେସ ବ୍ୟାଙ୍କ୍‍ରେ କେହି ରାତାରାତି ନେଇ ଟଙ୍କା ରଖିନାହିଁ । ଟେଣ୍ଡର ମାଧ୍ୟମରେ ଅର୍ଥ ରହିଛି । ଶ୍ରୀମନ୍ଦିର ପାଣ୍ଠିକୁ ସୁଧ ଆକାରରେ ଅଧିକ ଦୁଇ ପଇସା ଆସିବ ବୋଲି ସର୍ବ ସମିତିର ଅର୍ଥ ରହିଥିଲା । ତେବେ ବ୍ୟାଙ୍କର ଆର୍ଥିକ କାରବାରରେ ଅନିୟମିତତା ହେତୁ ଅର୍ଥ ଉଠାଣରେ କଟକଣା ରହିଛି ।
 
 
କିନ୍ତୁ ଏହି କଟକଣା ସାମୟିକ ବୋଲି ୟେସ୍‍ ବ୍ୟାଙ୍କ୍‍କୁ ନିୟବଣ କରୁଥିବା ରିଜର୍ଭ ବ୍ୟାଙ୍କ୍‍ ସ୍ପଷ୍ଟ କରିଛି । ଇତି ମଧ୍ୟରେ ଭାରତୀୟ ଷ୍ଟେଟବ୍ୟାଙ୍କ୍‍ ଏହାକୁ ହାତକୁ ନେବ ବୋଲି ସ୍ପଷ୍ଟ ହୋଇଗଲାଣି । କେନ୍ଦ୍ର ସରକାର ମଧ୍ୟ ଏହି ମର୍ମରେ ଗେଜେଟ ବିଜ୍ଞପ୍ତି ଜାରି କରିଛନ୍ତି । ହେଲେ ରାଜନୀତି ମଇଦାନରେ ମଉକା ଦେଖି ବାଳିଆ ଧରିବାରେ ମାହିର ଦୁଇ ଦଳର ନେତାମାନେ ଏବେ ପାଣି ଗୋଳିଆ କରିବାରେ ଲାଗିଛନ୍ତି । ବିଜେପି ବିଧାନସଭାରେ ବିସ୍ତୃତ ଆଲୋଚନା କରି ଅର୍ଥମବୀଙ୍କ ଉତ୍ତରକୁ ଅତ୍ୟନ୍ତ ଆଗ୍ରହର ସହ ଶୁଣିବାର ଦିନକପରେ ଗୃହରେ ପାଟିତୁଣ୍ଡ କରିବା ଏବେ ଦଳର ମନୋଭାବ ଉପରେ ପ୍ରଶ୍ନ ଲଗାଇଛି । ସରକାର କାହିଁକି ୟେସ୍‍ ବ୍ୟାଙ୍କ୍‍ରେ ଟଙ୍କା ରଖିଲେବୋଲି ପ୍ରଶ୍ନ କରିଛି । କଂଗ୍ରେସ ବି ବିଧାନସଭା ବାହାରେ କୁଶପୁତ୍ତଳିକା ଦାହ କାର୍ଯ୍ୟ ଚଳାଇଛି । ତେବେ ଏହି ଦୁଇ ଦଳ ୟେସ୍‍ ବ୍ୟାଙ୍କ୍‍ର ଯେତେ ପ୍ରଚାର କଲେଣି ରାଜ୍ୟରେ ବ୍ୟାଙ୍କ୍‍ ତାହାର ଶାହା ଖୋଲିବା ଦିନଠାରୁ ବୋଧହୁଏ ନିଜର ଏତେ ମାଗଣା ପ୍ରଚାର କରିପାରି ନଥିଲା । ଦୁଇ ଦଳର ଏଭଳି ରାଜନୀତି ଦେଖି ଏବେ ସାଧାରଣ ଲୋକଙ୍କ ପ୍ରଶ୍ନ ହେଉଛି ୟେସ ବ୍ୟାଙ୍କ୍‍ର ବହୁ ପୂର୍ବରୁ ରାଜଧାନୀରେ ଥିବା ଗୋଟିଏ ସମବାୟ ବ୍ୟାଙ୍କ୍‍ ଦେବାଳିଆ ହୋଇ ଏଭଳି ଅବସ୍ଥା ଉପୁଜିଥିଲା । ହେଲେ ସେତେବେଳେ କୌଣସି ଜଣେ ହେଲେ ରାଜନେତା ପାଟି ଫିଟାଇ ନଥିଲେ । ଚା’ ବିକାଳି, ଗୁପଚୁପ୍‍ ବେପାରୀଙ୍କ ଝାଳବୁହା ଧନକୁ ସେତେବେଳେ କିଛି ବ୍ୟାଙ୍କ୍‍ କର୍ମଚାରୀ ଲୁଟିନେଲେ ।
 
 
ହେଲେ ଏବେ କିନ୍ତୁ ରାଜନୀତି ପାଇଁ ଏମାନେ ଏଭଳି ବାଡେଇ ଛାଟି ହେଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି
ଯେ ଶ୍ରୀମନ୍ଦିର ପାଣ୍ଠିକୁ ଅଧିକ ସୁଧ ଆସିବ ବୋଲି ବୈଠକରେ ହୋଇଥିବା ନିଷ୍ପତ୍ତି ସମୟରେ ଯେଉଁମାନେ ଉପସ୍ଥିତ ଥିଲେ ଓ ନିଷ୍ପତ୍ତିରେ ମୁଣ୍ଡ ଟୁଙ୍ଗାରିଥିଲେ ସେମାନଙ୍କ ଭିତରୁ କେତେଜଣ କହୁଛନ୍ତି ଆମେ କିଛି ଜାଣିନୁ । ଏମାନେ ବି ମଉକା ଦେଖି ରୁଟି ସେକିବାରେ ବ୍ୟସ୍ତ । ଯେଉଁ ରାଜନେତାମାନେ ରାଜନୀତି ତାୱାରେ ଏଭଳି ଗରମା ଗରମ ରୁଟି ସେକିବାରେ ମାହିର ସେମାନଙ୍କ ମଧ୍ୟରୁ କେତେଜଣ ଘରୋଇ ବ୍ୟାଙ୍କ୍‍ରେ କେଉଁ ପରିମାଣ ଅର୍ଥ ନିଜ ନାଁରେ ଓ ନିଜ ସମ୍ପର୍କୀୟଙ୍କ ନାଁରେ ରଖିଛନ୍ତି ତାହାର ଖୋଳତାଡ କରିବାପାଇଁ କିଛି ଲୋକ ମତ ଦେଲେଣି । ତେବେ ଦେଖିବା ବାକି ରହିଲା ଶ୍ରୀମନ୍ଦିର ପାଣ୍ଠିକୁ ଅର୍ଥ ଫେରିବା ପର୍ଯ୍ୟନ୍ତ ଏମାନେ ୟେସ୍‍ ବ୍ୟାଙ୍କ ତାୱାରେ କେତେ ରୁଟି ସେକୁଛନ୍ତି ଓ କେଉଁ ପ୍ରକାର ଲୋକହସା ହେଉଛନ୍ତି ।
Share

Leave a Reply

Your email address will not be published. Required fields are marked *

10 + 17 =