ମିଶନ ଶକ୍ତି : ତୃଣମୂଳ ମହିଳା ଉଦ୍ୟୋଗୀଙ୍କ ପାଇଁ ସୀମାହୀନ ଆକାଶ

ଭୁବନେଶ୍ୱର () କୌଣସି ପରିବାର, ସମାଜ, ରାଜ୍ୟ କିମ୍ବା ଦେଶ ମହିଳା ସଶକ୍ତିକରଣ ବିନା ସମୃଦ୍ଧ ହୋଇନି । ଯେଉଁ ଦେଶରେ ମହିଳା ଯେତେ ସଶକ୍ତ ସେ ଦେଶ ସେତେ ବିକଶିତ । 2000 ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟନାୟକ ଓଡ଼ିଶାର ଶାସନ ଭାର ଗ୍ରହଣ କଲା ବେଳକୁ ରାଜ୍ୟର ସ୍ଥିତି ଅତି ଦୁର୍ବିଶଃ ଥିଲା । ଦାରିଦ୍ର୍ୟ, ଅନାହାର, ଦୁର୍ବଳ ଅର୍ଥନୀତି ରାଜ୍ୟକୁ ଗ୍ରାସ କରିଥିଲା । ଏଭଳି ସ୍ଥିତିରେ ରାଜ୍ୟକୁ ପୁଣି ଥରେ ବିକାଶର ଧାରାରେ ସାମିଲ କରିବାକୁ ନବୀନ ପଟନାୟକ ମିଶନ ଶକ୍ତିର ପରିକଳ୍ପନା କଲେ । ଶାସନକୁ ଆସିବାର ଗୋଟେ ବର୍ଷ ପରେ ଆରମ୍ଭ ହେଲା ମିଶନ ଶକ୍ତି । ଠିକ ସେହି ଢାଞ୍ଚାରେ, ଯେଉଁ ଢାଞ୍ଚାରେ ତାଙ୍କ ପିତା ସ୍ବର୍ଗତ ବିଜୁ ପଟନାୟକ 1991 ମସିହାରେ ମହିଳା ମଣ୍ଡଳ ବିକାଶ ସମବାୟ ନିଗମ ଆରମ୍ଭ କରିଥିଲେ ।

ମିଶନ ଶକ୍ତିର ମୂଳ ଉଦେଶ୍ୟ ଥିଲା ମହିଳାଙ୍କ ମଧ୍ୟରେ ଉଦ୍ୟୋଗୀକରଣ ସୃଷ୍ଟି । 2001 ମସିହାରେ ନବୀନ ପଟନାୟକ ଆରମ୍ଭ କରିଥିବା ଏହି ନିରବ ଅଭିଯାନ ଆଜି ଏକ ବିପ୍ଳବରେ ପରିଣତ ହୋଇଛି । 70 ଲକ୍ଷ ମହିଳା ସ୍ୱୟଂ ସହାୟିକା, 6 ଲକ୍ଷ ମହିଳା ଏସଏଚଜି, 5 ହଜାର କୋଟି ଟଙ୍କାର ବ୍ୟାଙ୍କ ଜମା ସହ ବାର୍ଷିକ 2 ହଜାର କୋଟି ଟଙ୍କାର ବ୍ୟାଙ୍କ କାରବାର । ମିଶନ ଶକ୍ତି ଏବେ ଲକ୍ଷାଧିକ ମହିଳାଙ୍କ ଦୈନଦୀନ ଜୀବନର ଏକ ଧାରାରେ ରୂପାନ୍ତରିତ ହୋଇଛି । ଏବେ ଓଡ଼ିଶାରେ ଏମିତି ଜନବସତି ନାହିଁ ଯେଉଁଠି ମିଶନ ଶକ୍ତି ଗ୍ରୁପ ନାହିଁ । ପ୍ରତି ଦୁଇଟି ପରିବାରରେ ଜଣେ ମିଶନ ଶକ୍ତି ସହ ସଂଶ୍ଳିଷ୍ଟ ।

ମିଶନ ଶକ୍ତି ମହିଳାଙ୍କ ପ୍ରତି ସାମାଜିକ ଦୃଷ୍ଟିଭାଙ୍ଗିରେ ପରିବର୍ତ୍ତନ ଆଣିବା ସହ ସେମାନଙ୍କ ଉଦ୍ୟୋଗୀକରଣକୁ ସ୍ୱୀକୃତି ଦେଇଛି । ଶିଶୁ ମୃତ୍ୟୁ ହାର, ମାତୃମୃତ୍ୟ ହାର ଓ ମହିଳାଙ୍କ ସାକ୍ଷରତା ହାର ଭଳି ସାମାଜିକ ବିକାଶ ମାନଦଣ୍ଡରେ ଉନ୍ନତି ଆଣିଛି । ଏହା ଗ୍ରାମୀଣ ମହିଳାଙ୍କୁ ନକରାତ୍ମକ ସାମାଜିକ ଚାପ ଓ ଲିଙ୍ଗଗତ ବୈଷମ୍ୟ ଦୂର କରିବାରେ ସହାୟକ ହେବ ସହ ସେମାନଙ୍କୁ ଗୋଟିଏ ଗୋଷ୍ଠୀରେ ଏକାଠି ବାନ୍ଧି ରଖିଛି ।

ଏକ ବୃହତ ଦୃଷ୍ଟିକୋଣରୁ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ଓ ବଜାର ଜନଯୋଗୀକରଣର ସୁବିଧା ଯୋଗାଇ ଦେଇଛନ୍ତି । ପ୍ରାରମ୍ଭିକ ସ୍ତରରେ ରାଜ୍ୟ ସରକାର ପ୍ରତି ରାଜସ୍ବ ଗ୍ରାମରେ ଗୋଟିଏ ଲେଖାଏଁ ହିସାବରେ 2 ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନର ଲକ୍ଷ୍ୟ ରଖିଥିଲେ । 2008 ବେଳକୁ ଏହି ଲକ୍ଷ୍ୟ ପୂରଣ ହୋଇଗଲା । ଆତ୍ମନିର୍ଭରଶୀଳତା ପାଇଁ ଉତ୍ସାହ ବହୁ ସଂଖ୍ୟାରେ ମହିଳାଙ୍କୁ ମିଶନ ଶକ୍ତିକୁ ଆକର୍ଷିତ କରିଥିଲା  ।

ଏବେ ରାଜ୍ୟରେ 6 ଲକ୍ଷରୁ ଅଧିକ ମହିଳା ଏସଏଚଜି ଅଛନ୍ତି । ସେମାନେ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟରେ ଲିପ୍ତ । ଏହିବକର୍ଯ୍ୟକ୍ରମ ରାଜ୍ୟରେ ବହୁ ସଫଳ ମହିଳା ଉଦ୍ୟୋଗୀ ସୃଷ୍ଟି କରିଛି । ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲା ବଳିଶଙ୍କରର ଜୟନ୍ତୀ ଏକ୍କା ସେ ମଧ୍ୟରୁ ଅନ୍ୟତମ । ଜଣେ ଆଦିବାସୀ ମହିଳା ଭାବେ ସେ ଦେଶ ବିଦେଶର ଶିଳ୍ପ ସମ୍ରାଟଙ୍କ ସମ୍ମୁଖରେ ଦୃଢତା ଓ ଆତ୍ମବିଶ୍ୱାସର ସହ ନିଜ ସଫଳତା କାହାଣୀ କହିଥିଲା । ପିଲାବେଳୁ ଶାରୀରିକ ଭିନ୍ନକ୍ଷମ ଜୟନ୍ତୀ ମହିଳା ସଶକ୍ତିକରଣର ଏକ ଉଦାହାରଣ । ସେ ଆଜି ଏକ ନୂଆ ଓଡିଶା ଗଠନକୁ ପ୍ରୋତ୍ସାହିତ କରିଛନ୍ତି । ସେ 2001 ମସିହାରେ କଲ୍ୟାଣି ନାମକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ଏହି ଗୋଷ୍ଠୀ ଏବେ ବେଶ ସଫଳ । ଏହା ନୂଆ ଓଡିଶା ଗଠନର ଏକ ସଂକେତ । ଏକ ନୂଆ ଓଡିଶା ଯେଉଁଠି ନାରୀ ସଶକ୍ତିକରଣକୁ ପ୍ରଥମିକତା ଦିଆଯାଇଛି ।

ମହିଳା ସଶକ୍ତିକରଣର ପ୍ରଥମ ଲକ୍ଷ୍ୟ ହାସଲ ପରେ ଏବେ ସେମାନଙ୍କୁ ଡିଜିଟାଲ ସଶକ୍ତକୁ ଗୁରୁତ୍ୱ ଦିଆଯାଉଛି । ମହିଳାମାନେ ଡିଜିଟାଲ ସଶକ୍ତ ହେଲେ ସେମାନଙ୍କ ରାଜନୈତିକ ଅର୍ଥନୈତିକ ବିକାଶ ଆହୁରି ସଶକ୍ତ ହେବ । ଏଥିସହିତ ସେମାନେ ଅର୍ଥନୀତି ଜ୍ଞାନର ଆହୁରି ନିକଟତର ହେବେ । ଆଜି ବିଶ୍ବସ୍ତରରେ ଡିଜିଟାଲ ଜ୍ଞାନ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଏହା ସେମାନଙ୍କ ଆୟ, ରୋଜଗାର ସଯୋଗକୁ ଆହୁରି ସହାୟକ ହେବ।

ଏବେ ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳାମାନେ କମ ଇଣ୍ଟରନେଟର ବ୍ୟବହାର କରୁଛନ୍ତି । ବିଶେଷକରି ଗ୍ରାମୀଣ ମହିଳାମାନେ ଏହାଦ୍ୱାରା ଅନଲାଇନ ସେବାରୁ ବଂଚିତ ହେଉଛନ୍ତି । ଏହି ଦୃଷ୍ଟିରେ ମୁଖ୍ୟାଂମନ୍ତ୍ରୀ ସବୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ମାର୍ଟଫୋନ ବିଦେବାକୁ ଘୋଷଣା କରିଛନ୍ତି । ଏହା ମହିଳାଙ୍କ ଡିଜିଟାଲ ସଶକ୍ତି ଦିଗରେ ଆଉଏକ ଯୁଗାନ୍ତକାରୀ ପଦକ୍ଷେପ । ଏଭିତରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ ପାଇଁ ସଂକଳ୍ପ ଆଣିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × three =