ମହିଳାମାନଙ୍କର ଭାଗୀଦାରିତା କୃଷି କ୍ଷେତ୍ରକୁ ଆଗକୁ ନେଇଛି

ଭୁବନେଶ୍ୱର () କୃଷି କ୍ଷେତ୍ରରେ ମହିଳାମାନଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରିତା ଓଡ଼ିଶାର କୃଷି କ୍ଷେତ୍ରକୁ ଆଗକୁ ନେଇପାରିଛି । କୃଷି କ୍ଷେତ୍ରରେ ମହିଳାମାନେ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିଛନ୍ତି । ଏଥି ସହିତ ଓଡ଼ିଶାର ବିକାଶ ପର୍ବରେ ମହିଳାମାନଙ୍କର ଯୋଗଦାନକୁ ସ୍ୱୀକୃତିପୂର୍ବକ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । କୃଷି କ୍ଷେତ୍ରରେ ମହିଳାମାନେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହୋଇ ଯେପରି ଆର୍ଥିକ ଦୃଷ୍ଟିକୋଣରୁ ଲାଭବାନ ହୋଇପାରିବେ ସେଥିପାଇଁ ନୂତନ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।

ଆଜି ଜନତା ମଇଦାନରେ କୃଷି ଓଡ଼ିଶାର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ କୃଷି ଓଡ଼ିଶାର ଗୋଟିଏ ଦିବସକୁ ମହିଳାମାନଙ୍କୁ ଉତ୍ସର୍ଗୀକୃତ କରାଯାଇଥିବା ମହିଳାମାନଙ୍କ ନିମନ୍ତେ ସମ୍ମାନ ଆଣିଦେଇଛି । ରାଜ୍ୟ ସରକାର ମହିଳାମାନଙ୍କୁ ଏପରି ଏକ ସ୍ତରକୁ ନେଇଯାଇଛନ୍ତି ଯେପରି ସର୍ବଭାରତୀୟ ସ୍ତରରେ ମହିଳାମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ ।

ମହିଳାମାନେ ପାରମ୍ପରିକ କାର୍ଯ୍ୟଧାରାଠାରୁ ଆଗକୁ ଯାଇ ବର୍ତ୍ତମାନ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନସଂଗ୍ରହଠାରୁ ଆରମ୍ଭ କରି ପଞ୍ଚାୟତ ପୋଖରୀରେ ମାଛଚାଷ ପର୍ଯ୍ୟନ୍ତ ନିୟୋଜିତ ହୋଇଛନ୍ତି । ଧାନ ସଂଗ୍ରହ ଭଳି ଏକ ଆହ୍ୱାନମୂଳକ କ୍ଷେତ୍ରରେ ମଧ୍ୟ ସେମାନେ ନିଜର ଦକ୍ଷତା ଓ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ଏବେ ପଞ୍ଚାୟତ ପୋଖରୀଗୁଡ଼ିକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଲିଜ୍‌ ଆକାରରେ ପ୍ରଦାନ କରାଯାଉଛି । ଗତବର୍ଷ ଗଞ୍ଜାମ ଜିଲ୍ଲାର ପ୍ରାଥମିକ ମହିଳା ମତ୍ସ୍ୟ ଉନ୍ନୟନ ସମିତି କେନ୍ଦ୍ର ସରକାରଙ୍କଠାରୁ ପୁରସ୍କୃତ ହୋଇଛନ୍ତି । ଆମ ରାଜ୍ୟର କୃଷି ଅନୁକୂଳ ବାତାବରଣ, ସରକାରଙ୍କ ସକାରାତ୍ମକ କୃଷିନୀତି, କୃଷି କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ମହିଳାମାନଙ୍କୁ ପ୍ରୋତ୍ସାହନ ରାଜ୍ୟର ମହିଳାମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ କୃଷି କ୍ଷେତ୍ରରେ ସାମିଲ୍‌ ହେବା ପାଇଁ ଉତ୍ସାହିତ କରିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ।

ଉତ୍ସବରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ଚାଷ ପରିବାରର ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ଦିଗରେ ମହିଳାମାନଙ୍କର ଅବଦାନ ନିଶ୍ଚିତ ରୂପେ ରହିଛି । ଜନଜାତି ବହୁଳ ଇଲାକା ଓ ପାବ୍ୟତ୍ୟ ଅଞ୍ଚଳଗୁଡ଼ିକରେ ମହିଳାମାନେ କଠିନ ପରିଶ୍ରମୀ ଏବଂ ଅର୍ଥନୈତିକ ଉନ୍ନତିରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସହିତ ଚାଷରେ ବିବିଧତା ଆଣି ଅଧିକରୁ ଅଧିକ ଅର୍ଥକରୀ ଫସଲ ନିମନ୍ତେ କୃଷକମାନେ କିପରି ଆଗ୍ରହୀ ହେବେ ସେଥି ନିମନ୍ତେ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଉନ୍ନତ ଜ୍ଞାନକୌଶଳ ଓ ଚାଷ ପଦ୍ଧତି ପ୍ରୟୋଗ ଫଳରେ କମ ଜମିରେ ଅଧିକ ଫସଲ ଆଜି କରାଯାଇପାରୁଛି । ସାଂପ୍ରତିକ ପରିସ୍ଥିତିରେ କୃଷି ଓ ଆନୁଷଙ୍ଗିକ କୃଷିରେ ଅଧିକରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇବାର ମାଧ୍ୟମ ହୋଇପାରିଛି ବୋଲି ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ।
Share

Leave a Reply

Your email address will not be published. Required fields are marked *

twelve + seven =