ଦୁର୍ନୀତିଗ୍ରସ୍ତ ନେତା ଅଫିସରଙ୍କ ଉପରେ ଭିଜିଲାନ୍ସ ଚୋଟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିକୁ କୌଣସି ସ୍ତରରେ ପ୍ରଶୟ ଦିଆଯିବ ନାହିଁ ବୋଲି କହିବା ପରେ ଓଡିଶା ଭିଜିଲାନ୍ସ ଏବେ ସକ୍ରିୟ । ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ନେତୃତ୍ୱରେ ଛୋଟ ହେଉ କିମ୍ବା ବଡ ଦୁର୍ନୀତିରେ ଜଡିତ ଯେକୌଣସି  ବ୍ୟକ୍ତିଙ୍କୁ ଗିରଫ କରି ହାଜତକୁ ପଠାଯାଉଛି । ଆଇଏଏସ୍‍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ପରେ ଏବେ ବନ୍ଧା ହୋଇଛନ୍ତି ପୂର୍ବତନ ବିଧାୟକ ଅନାମ ନାୟକ । ଶ୍ରୀ ଉପାଧ୍ୟାୟ ଲାଞ୍ଚନେବା ଅଭିଯୋଗରେ ବନ୍ଧା ହୋଇଥିବାବେଳେ ଶ୍ର ନାୟକ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍‍ ଯାଇଛନ୍ତି ।

ସବୁଠାରୁ ବଡ କଥା ହେଲା ଭିଜିଲାନ୍ସ କେବଳ ଛୋଟ ଅଫିସରଙ୍କୁ ବାନ୍ଧୁଛି ଓ ବଡଙ୍କ ଦେହରେ ହାତ ମାରିପାରୁ ନାହିଁ ବୋଲି ସାଧାରଣରେ ଯେଉଁ ଧାରଣା ରହିଥିଲା ତାହା ଏବେ ଦୂର ହେବାରେ ଲାଗିଛି । କାରଣ ଦୁର୍ନୀତିରେ ଲିପ୍ତ କୌଣସି ବ୍ୟକ୍ତିଙ୍କୁ ନଛାଡିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାପରେ ଭିଜିଲାନ୍ସ ଅଧିକ ସକ୍ରିୟ ହୋଇପଡିଛି । ପ୍ରତିଦିନ କେଉଁଠି ନା କେଉଁଠି ଦୁର୍ନୀତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହେଉଛି । ସିଏ ତହସିଲର କିରାଣୀ ହେଉ କିମ୍ବା ବିଭାଗର ଆଇଏଏସ୍‍ ଭିଜିଲାନ୍ସ ଖଣ୍ଡାଚୋଟରୁ କେହି ବର୍ତ୍ତୁନାହାନ୍ତି ।

ତେବେ ସଦ୍ୟ ଗିରଫ ହୋଇଛନ୍ତି ପୂର୍ବତନ ବିଧାୟକ ଅନାମ ନାୟକ । ଶ୍ରୀ ନାୟକ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିଲେ । କିଛିଦିନ ତଳେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ଓ ହୋଟେଲ ଉପରେ ରେଡ୍‍ ହୋଇଥିଲା । ଏହାକୁ ନେଇ ରାଜ୍ୟରେ ହଇଚଇ ହୋଇଥିବାବେଳେ ବିରୋଧିଦଳ ଗୁଡିକ ମଧ୍ୟ ସମାଲୋଚନା କରିବାକୁ ପଛାଇ ନଥିଲେ । ତେବେ ଚାପର ବଶବର୍ତ୍ତୀ ନହୋଇ ଭିଜିଲାନ୍ସ ଆଜି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେହିଭଳି ଆଇଏଏସ୍‍ ଅଫିସର ଉପାଧ୍ୟାୟଙ୍କ ଗିରଫଦାରୀକୁ ନେଇ ବିରୋଧିଦଳ ଠାରୁ ଆରମ୍ଭ କରି ତାଙ୍କ ପରିବାର ପର୍ଯ୍ୟନ୍ତ ସମସ୍ତେ ଚାପ ସୃଷ୍ଟି କରୁଥିଲେ ମଧ୍ୟ ଏହାର ପ୍ରଭାବ ଭିଜିଲାନ୍ସ ଉପରେ ପଡୁନାହିଁ । ବରଂ ଠିକଣା ଭାବେ ମାମଲା ପରିଚାଳନା ଯୋଗୁଁ ଉପାଧ୍ୟାୟଙ୍କୁ ତଳ କୋର୍ଟ ଜାମିନ ପ୍ରଦାନ କରିନାହାନ୍ତି ।

ରାଜ୍ୟର ଜଣେ ବରିଷ୍ଠ ଆଇଏଏସ୍‍ ଅଫିସର ଓ ଜଣେ ପୂର୍ବତନ ବିଧାୟକଙ୍କୁ ବାନ୍ଧି ଭିଜିଲାନ୍ସ ତାହାର ଶକ୍ତି ଦେଖାଇଥିବାବେଳେ ଲୋକେ ଏବେ ଦୁର୍ନୀତି ବିରୁଦ୍ଧରେ କହିବା କିମ୍ବା ଅଭିଯୋଗ ଲାଗି ସାହସ କୁଳାଇଲେଣି । ବିଶେଷକରି ୫-ଟି ଓ ମୋ ସରକାରଙ୍କୁ ନେଇ ଦୁର୍ନୀତି ହଟାଇବାପାଇଁ ଉତ୍ସାହିତ ଥିବା ଗାଁ ଗହଳର ଲୋକେ ବି ଭିଜିଲାନ୍ସର ଦ୍ୱାରସ୍ତ ହେବାକୁ ମନ ବଳାଉଥିବା ଆଭାସ ମିଳିଲାଣି । ବିଶେଷକରି ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ପାଣିଗ୍ରାହୀ ଯେଭଳି ଭାବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଓ ମାମଲାକୁ ଠିକଣା ଭାବେ ପରିଚାଳନା କରୁଛନ୍ତି ତାହା ଭିଜିଲାନ୍ସକୁ ସାଧାରଣ ଲୋକଙ୍କ ଆସ୍ଥାଭାଜନ କରିବାରେ ସହାୟକ ହୋଇଛି ।

Share

Leave a Reply

Your email address will not be published. Required fields are marked *

twenty + thirteen =