ସୁରେଶ ପ୍ରଭୁଙ୍କ ରାସ୍ତା ଆପଣେଇବେ କି ଧର୍ମେନ୍ଦ୍ର?

ତୈଳ ଦର ବୃଦ୍ଧି ନିୟନ୍ତ୍ରଣରେ ଫେଲ ମାରିଛି କେନ୍ଦ୍ର

ଭୁବନେଶ୍ବର () ଯଦି ରେଳ ଦୁର୍ଘଟଣା ପାଇଁ ପୂର୍ବତନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ତାଙ୍କ ପଦରୁ ଇସ୍ତଫା ଦେଲେ, ତେବେ କ୍ରମାଗତ ଭାବେ ତୈଳ ଦର ନିୟନ୍ତ୍ରଣରେ ବିଫଳ ହେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ନୈତିକତା ଆଧାରରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀପଦରୁ ଓହରିବେ ନାହିଁ । ଏ ପ୍ରଶ୍ନ ଆମେ କରୁନୁ, ବର୍ତ୍ତମାନ ଦେଶର ବିଭିନ୍ନ ବର୍ଗର ଲୋକେ କରୁଛନ୍ତି ।

ଆଜି ଓଡିଶାରେ ତେଲ ଦର 12 ପଇସା ବଢି ଲିଟର ପିଛା 77.06 ଟଙ୍କାରେ ପହଁଚିଛି । ସେହିପରି ଡିଜେଲ ଦର ମଧ୍ୟ 11 ପଇସା ବଢି 74ଟଙ୍କା 82 ପଇସାରେ ପହଁଚିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଆଜି 78ଟଙ୍କା 18 ପଇସା ଏବଂ ଡିଜେଲ ଦର 69ଟଙ୍କା 75 ପଇସାରେ ପହଁଚିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 13 ପଇସା ଓ ଡିଜେଲ ଲିଟର ପିଛା 14 ପଇସା ବୃଦ୍ଧି ପାଇଛି । ମୁମ୍ବାଇରେ ପେଟ୍ରୋଲ ଦର 85ଟଙ୍କା 60 ପଇସା ଏବଂ ଡିଜେଲ ଲିଟର ପିଛା 74.05 ଟଙ୍କା ରହିଛି । ଆନ୍ତର୍ଜାତିକ ବଜାରରେ ମୁଦ୍ରାର ମୂଲ୍ୟ ହ୍ରାସ ପରେ ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ରେକର୍ଡ ସୃଷ୍ଟି କରିଛି ।

ଆନ୍ତର୍ଜାତିକ ବଜାରର ସ୍ଥିତି ଏବଂ ଦେଶର ଅର୍ଥନୀତି ଆଗାମୀ ଦିନରେ ମୁଦ୍ରାର ମୂଲ୍ୟ ଆହୁରି ହ୍ରାସ ପଇବ ବୋଲି ସଂକେତ ଦେଉଛି । ତେଣୁ ଆଗାକୁ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବୃଦ୍ଧି ପାଇବ । ତେଣୁ ଏବେଠାରୁ ଏହାକୁ ନିୟନ୍ତ୍ରଣ କରାନଗଲେ ଭବିଷ୍ୟତରେ ଏହା ଦେଶର ଅର୍ଥନୀତି ଓ ଅର୍ଥନୈତିକ ବିକାଶକୁ ପ୍ରଭାବିତ କରିବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି ।

ତୈଳ ଦର ବୃଦ୍ଧିକୁ ନେଇ ଏବେ କଂଗ୍ରେସ କେନ୍ଦ୍ର ସରକାର ବିଶେଷ କରି ପେଟ୍ରୋଲିୟମ ମନ୍ତ୍ରଣାଳୟର ବିଫଳତାକୁ ନେଇ ପ୍ରଶ୍ନ ଉଠାଇଛି । ୟୁପିଏ ସରକାର ଅମଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ବିରୋଧରେ କ୍ୟାମ୍ପେନ କରି ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଛି । ଏବେ ସେହି ବିଜେପି ସରକାର ଦେଶର ଅର୍ଥନୀତିକୁ ଦଳମକଚି ସାଧାରଣ ଜନତାଙ୍କ ଉପରେ ଆର୍ଥକ ଚାପକୁ ଦଲିଦେଇଛି । କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ପ୍ରତି ବିଶ୍ବାସଘାତକତା କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏଥିସହିତ ଜଣେ ପୂର୍ବତନ ପ୍ରଶାସକ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ତୈଳ ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଦର ବୃଦ୍ଧି ପାଉଛି । ଆଗକୁ ଏହା ଅନ୍ୟାନ କ୍ଷେତ୍ରରେ ମଧ୍ୟ ଦରବୃଦ୍ଧିର ସୁଯୋଗ ସୃଷ୍ଟି କରିବ । ସେ ପ୍ରଶ୍ନ କରିଛନ୍ତି ଯେ, ଯଦି ରେଳ ଦୁର୍ଘଟଣା ପାଇଁ ପୂର୍ବତନ ରେଳମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ, ତେବେ ତୈଳ ଦର ବୃଦ୍ଧିକୁ ନିୟନ୍ତ୍ରିତ କରିବାରେ ବିଫଳ କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ନୈତିକତାର ପରିଚୟ ଦେଉନାହାଁନ୍ତି ।

Share

Leave a Reply

Your email address will not be published. Required fields are marked *

twelve + fifteen =