5ମାସରେ 182ଟଙ୍କା ବୃଦ୍ଧି, ଉତ୍ତରଦାୟୀ କିଏ?

ଭୁବନେଶ୍ବର () କେନ୍ଦ୍ର ସରକାରଙ୍କ ଦରବୃଦ୍ଧି ନିୟନ୍ତ୍ରଣ ପ୍ରତିଶୃତି ନିଛକ ଏକ ଘୋଷଣାନାମାରେ ସୀମିତ ହୋଇ ରହିଯାଇଛି । 2014 ମସିହାରେ ଦରବୃଦ୍ଧି ବିରୋଧରେ ପ୍ରଚାର କରି କେନ୍ଦ୍ରରେ କ୍ଷମତାକୁ ଆସିଥିବା ବିଜେପି ଉପରୁ ସାଧାରଣ ଜନତା ଓ ଖାଉଟିଙ୍କ ଆସ୍ଥା ଓ ଭରସା ତୁଟିବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲ ପରେ ଏବେ ଇନ୍ଧନ ଗ୍ୟାସ ବା ଏଲପିଜି ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଦୈନିକ ବଜେଟକୁ ଦୋହଲାଇ ଦେଇଛି । ଗତା ଚାରି ମାସ ହେଲା ନିୟମିତ ଭାବେ ଏଲପିଜି ଦର ବଢୁଛି । ଏଇ ଚାରି ମାସରେ ସିଲିଣ୍ଡର ପିଛା ଦରରେ 182 ଟଙ୍କାର ଅଭିବୃଦ୍ଧି ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଏଦିଗରେ ନାଚାର । ରାଜ୍ୟରେ ବିଜେଡି ସରକାରଙ୍କ ବିଫଳତାକୁ ନେଇ ଡିଣ୍ଡିମ ପିଟୁଥିବା କେନ୍ଦ୍ର ମନ୍ତ୍ରୀଙ୍କୁ ନିଜର ବିଫଳତା ବୋଧହୁଏ ଦୃଶ୍ୟମାନ ହେଉନି ।

2018 ଜୁନ ମାସରେ ଘରୋଇ ଉପଭୋକ୍ତାଙ୍କ ପାଇଁ ଏଲିପିଜି ସିଲିଣ୍ଡର ପିଛା ଦର ଥିଲା 702 ଟଙ୍କା 86 ପଇସା । ଏଥିରେ କେନ୍ଦ୍ରୀୟ ଜିଏସଟି ଏବଂ ରାଜ୍ୟ ଜିଏସଟିକୁ ମିଶାଇ ଉପଭୋକ୍ତଙ୍କୁ ସିଲିଣ୍ଡର ପିଛା 738ଟଙ୍କା ଦେବାକୁ ପଡୁଥିଲା । ଜୁଲାଇ ମାସରେ ସିଲିଣ୍ଡର ପିଛା ଦର 796ଟଙ୍କା ହେଲା, ଅର୍ଥାତ 58 ଟଙ୍କା ବୃଦ୍ଧି । ଅଗଷ୍ଟ ମାସରେ ସିଲିଣ୍ଡର ପିଛା ଦରରେ ପୁଣି 35 ଟଙ୍କା ବୃଦ୍ଧି ଘଟି 831 ଟଙ୍କା 49 ପଇସାରେ ପହଁଚିଲା । ଦୁଇ ମାସ ପରେ ଅର୍ଥାତ ଅକ୍ଟୋବର 10 ତାରିଖରେ ସିଲିଣ୍ଡର ଦର 920 ଟଙ୍କା ଛୁଇଁଛି  । ଦୁଇ ମାସରେ ସିଲିଣ୍ଡର ପିଛା ଦରରେ 89 ଟଙ୍କା ବୃଦ୍ଧି ହୋଇଛି । ଏହି ହାରରେ ଦେଖିଲେ ଗତ ଜୁନରୁ ଅକ୍ଟୋବର 10 ତାରିଖ ସୁଦ୍ଧା ଭୁବନେଶ୍ବରରେ ସିଲିଣ୍ଡର ପିଛା ଦରରେ 182 ଟଙ୍କାର ବୃଦ୍ଧି ହୋଇଛି । ପେଟ୍ରୋଲ ଓ ଡିଜେଲ ପରେ ଏଲପିଜି ଦର ବୃଦ୍ଧି ଅନ୍ୟାନ ଅତ୍ୟାବଶ୍ୟକ ସାମଗ୍ରୀର ଦରକୁ ପ୍ରଭାବିତ କରୁଛି ।

ଦର ନିୟନ୍ତ୍ରଣରେ ଫେଲ ମାରିଥିବା ପେଟ୍ରୋଲିୟ ମନ୍ତ୍ରଣାଳୟ ଓ ନିଜେ ପେଟ୍ରୋଲିୟମ ମନ୍ତ୍ରୀ ଏହାର ଉତ୍ତରଦାୟିତ୍ବ ନେବା ଉଚିତ ବୋଲି ବିଜେଡି ଦାବି କରିଛି । ଯଦି ରାଜ୍ୟରେ ଛୋଟମୋଟ ଘଟଣାରେ ରାଜ୍ୟ ସରକାରଙ୍କର ଏବଂ ବିଭାଗୀୟ ମନ୍ତ୍ରୀମାନଙ୍କ ଇସ୍ତଫା ଦାବି କରୁଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ନିଜ ବିଭାଗର ବିଫଳତା ପାଇଁ କାହାର ଇସ୍ତଫା ଦାବି କରିବେ ବୋଲି ବିଜେଡି ନେତାମାନେ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୀତି ଦରବୃଦ୍ଧିକୁ ସୁହାଉଥିବା ବେଳେ ଘରୋଇ ପେଟ୍ରୋଲିୟ କମ୍ପାନୀଗୁଡିକୁ ଅନୁକମ୍ପା ଦେଖାଇବାକୁ ଯାଇ ସରକାର ସାଧାରଣ ଖାଉଟିଙ୍କ ଉପରେ ଦରବୃଦ୍ଧିର ବୋଝ ଲଦୁଛନ୍ତି ବୋଲି ବିଜେଡି ଆକ୍ଷେପ କରିଛି ।

Share

Leave a Reply

Your email address will not be published. Required fields are marked *

eighteen − 12 =