ମାନବିକତାର ପରିଚୟ ଦେଲେ ସୁଶାନ୍ତ ସିଂହ

ବରଗଡ () ମନ୍ତ୍ରୀ ସୁଶାନ୍ତ ସିଂହ । ସବୁବେଳେ ସାଦାସିଦା । ନିଜ ଅଂଚଳରେ ସାଧାରଣ ଲୋକଙ୍କ ସହ ମିଳିମିଶି କାମ କରନ୍ତି । ସମସ୍ତଙ୍କ ସୁଖ ଦୁଃଖରେ ଛିଡା ହୁଅନ୍ତି । ଆଜି ସେ ଏମିତି ଏକ କାମ କରିଛନ୍ତି, ଯାହା ମାନବିକତାର ନୂଆ ଉଦାହାରଣ ସୃଷ୍ଟି କରିଛି । ନିଜ ଲୋକ ପଛଘୁଞ୍ଚା ଦେଇଥିବା ବେଳେ ସେ ଜଣେ ନିରାଶ୍ରୟ ବୃଦ୍ଧାଙ୍କ ଶେଷ ଯାତ୍ରାର ସାରଥୀ ସାଜିଲେ । ଏଭଳି ଘଟଣା ଏବେ ବରଗଡରେ ଦେଖିବାକୁ ମିଳିଛି । ଜଣେ ନିରାଶ୍ରୟ ବୃଦ୍ଧାଙ୍କ ଶବକୁ କାନ୍ଧେଇ ନେବା ସହ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ଏହି ଭିଡିଓ ଏବେ ସେସୋଲିଆଲ ମିଡିଆରେ ଭାଇରାଲ ହୋଇଛି ।

ମଙ୍ଗଳବାର ସୋହେଲାର ସାହୁ ଟିକିରାରେ ଜଣେ ନିରାଶ୍ରୟ ବୃଦ୍ଧା ମାଟି ଭୁଏଙ୍କର ମୃତ୍ୟୁ ହୋଇଥିଲା । ଦୀର୍ଘ ସମୟ ଧରି ବୃଦ୍ଧାଙ୍କ ମୃତଦେହ ପଡି ରହିଥିଲା । ସେହି ରାସ୍ତା ଦେଇ ଯାଆସ କରୁଥିବା ଲୋକେ ଦେଖି ନଦେଖିଲା ଭଳି ଚାଲିଯାଉଥିଲେ । ପାଖ ପଡୋଶୀ କିମ୍ବା ତାଙ୍କର ଆତ୍ମୀୟସ୍ବଜନ କେହି ମଧ୍ୟ ସତ୍କାର ପାଇଁ ଆସିନଥିଲେ । ଚାରିକାନ୍ଧ ଦେବା ତ ଦୂରର କଥା, ମୃତ ଦେହର ପାଖ ପଶିନଥିଲେ। ଏଭଳି ସମୟରେ ରାଜଧର୍ମ ପାଳନ କରିଥିଲେ ମନ୍ତ୍ରୀ ସୁଶାନ୍ତ ସିଂହ । ରାତିରେ ସାହୁଟିକିରା ଗ୍ରାମରେ ପହଞ୍ଚିଥିଲେ ।

ବୃଦ୍ଧାଙ୍କର କେହି ପୁଅ ନଥିବାରୁ ସୁଶାନ୍ତ ନିଜେ ତାଙ୍କ ପୁଅର ଦାୟିତ୍ବ ତୁଲାଇଥିଲେ । ନିଜ ସହଯୋଗୀ ଓ ସ୍ବେଚ୍ଛାସେବୀଙ୍କ ସହ ମିଶି ବୃଦ୍ଧାଙ୍କ ଶବକୁ କାନ୍ଧରେ ଶ୍ମଶାନ ଘାଟକୁ ବୋହି ନେଇଥିଲେ । ମନ୍ତ୍ରୀ ନିଜେ କୋକେଇ ନେଉଥିବାର ଦେଖି ଗାଁର ଅନ୍ୟ ଲୋକେ ସାମିଲ ହେଲେ । ଶ୍ମଶାନରେ ପହଞ୍ଚିବା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବୃଦ୍ଧାଙ୍କର ଅନ୍ତିମ ସଂସ୍କାର କରିଥିଲେ ସୁଶାନ୍ତ । ଆଉ ଏଭଳି କାର୍ଯ୍ୟ କରି ସୁଶାନ୍ତ ମାନବିକତାର ପରିଚୟ ଦେଇଥିବା ବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ବେଶ ପ୍ରଂଶସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + three =