ଅନର କିଲିଂ ପାଇଁ ଏସଓପି

ଭୁବନେଶ୍ବର () ଅନର କିଲିଂକୁ ରୋକିବା ପାଇଁ ଗୃହ ବିଭାଗ ପକ୍ଷରୁ ଜାରି ଓହିଛି ଏସଓପି ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର  । ଗତ ମାର୍ଚ୍ଚ 27 ତରିଖରେ ସୁପ୍ରିମ କୋର୍ଟଙ୍କ ଏକ ରାୟ ଆଧାରରେ ରାଜ୍ୟ ସରକାର ଏହି ଏସଓପି ଜାରି କରିଛନ୍ତି । ତଦନୁଯାୟୀ ଅନର କିଲିଂ ପ୍ରବଣ ଜିଲ୍ଲା, ଉପଖଣ୍ଡ ଏବଂ ଗାଁଗୁଡିକୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଖାପ୍ ପଞ୍ଚାୟତ ବସୁଥିବା ଗାଁଗୁଡିକୁ ମଧ୍ୟ ଚିହ୍ନଟ କରିବାକୁ କୁହାଯାଇଛି ।

ଏହିସବୁ ଅଂଚଳର ଥାନା ଅଧିକାରୀମାନେ ସେମାନଙ୍କ ଅଂଚଳରେ ହେଉଥିବା ଆନ୍ତଃ-ଜାତୀ ଓ ଆନ୍ତଃ-ସଂପ୍ରଦାୟକ ବିବାହ ଉପରେ ଅଧିକ ଜତ୍ନବାନ ହୋଇ ନଜର ରଖିବାକୁ ସଂପୃକ୍ତ ଜିଲ୍ଲାର ଏପସିମାନେ ସୁନିଶ୍ଚିତ କରିବେ । କୌଣସି ଗାଁ ବା ପଂଚାୟତରେ ଖାପ ପଂଚାୟତ ଅନୁଷ୍ଠିତ ହେଉଥିଲେ ତୁରନ୍ତ ଉପରିସ୍ଥ ଅଧିକାରୀ ଏବଂ ଏସପିଙ୍କୁ ଅବଗତ କରିବେ । ସେ ତୁରନ୍ତ ସଂପୃକ୍ତ ଅଂଚଳରେ ଅଧିକ ସଂଖ୍ୟାରେ ଫୋର୍ସ ମୁତ୍ତୟନ କରିବା ସହ ଖାପ ପଂଚାୟତର ନିଷ୍ପତ୍ତି ଉପରେ ନଜର ରଖିବେ । ଆଇନତଃ ଏଣିକି ସବୁ ଖାପ ପଂଚାୟତର ଭିଡିଓ ରେକର୍ଡିଂ କରାଯିବ ।

ସଂପୃକ୍ତ ଥାନା ଅଧିକାରୀ ତୁରନ୍ତ ଏଫଆଇର ରୁଜୁ କରିବା ସହ ଡିସିପି ଓ ଏସପିଙ୍କ ତତ୍ବାବଧାନରେ ଆଇନତଃ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ଯଦି ପୋଲିସର ହସ୍ତକ୍ଷେପ ପରେ ବି ଖାପ ପଂଚାୟତ ଅନୁଷ୍ଠିତ ହେଉଛି, ତେବେ ଡିଏସପି ବା ଏସପି ପାହ୍ୟାର ଜଣେ ଅଫିସର ଘଟଣାସ୍ଥଳରେ ଉପସ୍ଥିତ ରହିବେ । ଏହି ଅଫିସର ଜଣକ ନବ ବିବାହିତା ଦମ୍ପତ୍ତି ଏବଂ ତାଙ୍କ ପରିବାର ବିରୋଧରେ ପଂଚାୟତରେ କୌଣସି ପ୍ରକାର କ୍ଷତି ପହଁଚାଇବା ଭଳି ନିଷ୍ପତ୍ତି ଯେପରି ନିଆନଯିବ ତାହା ସୁନିଶ୍ଚିତ କରାଇବେ । ଏ ସଂପର୍କିତ ରିପୋର୍ଟ ଡିଏସପି କିମ୍ବା ଏସପି ତୁରନ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପ୍ରଦାନ କରି ଆବଶ୍ୟକ ସ୍ଥଳେ 144 କିମ୍ବା 151 ଜାରି କରିପାରିବେ । ଏଘଟଣାରେ ଅଫିସର ନିଜ ଦାୟିତ୍ବରେ ଖିଲାପ କଲେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ । ଅନର କିଲିଂ ସଂପର୍କିତ ମାମଲାର ଶୁଣାଣୀ ଫାଷ୍ଟ ଟ୍ରାକ କୋର୍ଟରେ କରାଯାଇ 6 ମାସ ମଧ୍ୟରେ ଶୁଣାଣୀ ଶେଷ ହେବ ।

ସୁପ୍ରିମ କୋର୍ଟ ଦେଇଥିବା ରାୟ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ସବୁ ରାଜ୍ୟ ସରକାରଙ୍କୁ ଗତ ମେ 31 ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଏଥିରେ ଆନ୍ତଃ-ଜାତି କିମ୍ବା ଧର୍ମରେ ବିବାହ କରିଥିବା ପୁଅ-ଝିଅଙ୍କ ଜୀବନ ପ୍ରତି ବିପଦ ଥିବାର ଖବର ମିଳିଲେ ପୋଲିସ ସେମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଦେବ । ଯଦି ଦମ୍ପତ୍ତିଙ୍କ ବିବାହକୁ ଗାଁ ଲୋକେ, କୌଣସି ସଂପ୍ରଦାୟ କିମ୍ବା ପରିବାର ବିରୋଧ କରେ ତେବେ,  ସେମାନଙ୍କୁ ସେମାନଙ୍କ ଗାଁରୁ ସୁରକ୍ଷିତ ଭାବେ ଜିଲ୍ଲା ମଧ୍ୟରେ କୌଣସି ଏକ ସୁରକ୍ଷିତ ଘରେ ଆଶ୍ରୟ ଦେବେ । ଏଭଳି ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ଜିଲ୍ଲାରେ ଅନର କିଲିଂ ସଂପର୍କିତ ସୁରକ୍ଷିତ ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଗୃହ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛନ୍ତି  ।

ଏଭଳି ବିବାହରେ ପୋଲିସ ପ୍ରଥମେ ଦମ୍ପତ୍ତି ଦ୍ବୟ ସାବାଳକ ହୋଇଥିବା ସୁନିଶ୍ଚିତ କରିବେ । ପରବର୍ତ୍ତି ସମୟରେ ସେମାନଙ୍କ ଜୀବନ ପ୍ରତି ରହିଥିବା ବିପଦକୁ ତର୍ଜମା କରି ସେମାନଙ୍କ ବିବାହକୁ ଆଇନତଃ ସିଦ୍ଧ କରିବେ । ଯଦି ଦମ୍ପତ୍ତି ପୋଲିସ ସୁରକ୍ଷାରେ ସୁରକ୍ଷିତ ଆଶ୍ରୟସ୍ଥଳରେ ରହିବାକୁ ଚାହିଁବେ ତେବେ ସେମାନଙ୍କୁ ଆଶ୍ରୟସ୍ଥଳୀରେ ଏକ ବର୍ଷ ପର୍ଯ୍ୟନ୍ତ ସ୍ବଳ୍ପ ମୂଲ୍ୟରେ ରହିବାକୁ ଅନୁମତି ଦେବେ ।

ଏଭଳି ଅଭିଯୋଗ ଗ୍ରହଣ ପାଇଁ ସବୁ ଜିଲ୍ଲାରେ ଏସପିଙ୍କ ତତ୍ବାବଧାନରେ ଏକ ସ୍ବତନ୍ତ୍ର ସେଲ ଗଠନ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ସେଲରେ ଜିଲ୍ଲା ସମାଜ ମାଙ୍ଗଳ ଅଧିକାରୀ ମଧ୍ୟ ରହିବେ । ଅଭିଯୋଗ ଗ୍ରହଣ ପାଇଁ ଏହି ସେଲରେ ଏକ 24 ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ମଧ୍ୟ ରହିବ ।

Share

Leave a Reply

Your email address will not be published. Required fields are marked *

thirteen − 3 =