ବ୍ରହ୍ମଗିରୀରେ ଭାଗ୍ୟ ପରଖିବେ ଧର୍ମେନ୍ଦ୍ର !

ନିଜ ଜିଲ୍ଲାର ମତଦାତାଙ୍କୁ ଭରସା ପାଉନି

ଭୁବନେଶ୍ବର, (ନିପ୍ର): ପୁରୀ ଲୋକସଭାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢିବାର ସ୍ଥିତି ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ପଡୋଶୀ ରାଜ୍ୟ ଝାଡଖଣ୍ଡରୁ ଆରଏସଏସର ପ୍ରଚାରକମାନେ ଆସି ପୁରୀରେ ନିଜର କ୍ୟାମ୍ପ ଅଫିସ ଆରମ୍ଭ କଲେଣି। ପ୍ରଧାନମନ୍ତ୍ରୀ ମୋଦି ପୁରୀରୁ ନିର୍ବାଚନ ଲଢିଲେ ବିଜେପି ସପକ୍ଷରେ ଯେଉଁ ହାୱା ସୃଷ୍ଟି ହେବ ସେଥିରେ ଫାଇଦା ଉଠାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତତ୍ପର ହୋଇ ଉଠିଛନ୍ତି। ଏଥିପାଇଁ ଶ୍ରୀ ପ୍ରଧାନ ପୁରୀ ଲୋକସଭା ଅଧିନରେ ଥିବା ବ୍ରହ୍ମଗିରୀରୁ ଆଗାମୀ ବିଧାନସଭା ନିର୍ବାଚନ ଲଢିବାକୁ ବିଚାର କରୁଥିବା ବିଜେପି କର୍ମୀ ମହଲରେ ଆଲୋଚନା ଆରମ୍ଭ ହୋଇଛି।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରହ୍ମଗିରୀରୁ ନିର୍ବାଚନ ଲଢିବା ପାଇଁ ଯେଉଁ ଚିନ୍ତା କରିଛନ୍ତି ତାହାର କାରଣ ହେଲା; ଅନୁଗୁଳ ଜିଲ୍ଲାରେ ତାଙ୍କର ସ୍ଥିତି ଏତେ ଭଲ ନାହିଁ। ତେଣୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାୱାରେ ଆଗାମୀ ନିର୍ବାଚନ ବୈତରଣୀ ପାର ହେବା ପାଇଁ ମନ ବଳାଇଛନ୍ତି। ପୁର୍ବରୁ ଏହି ଆସନରେ କଂଗ୍ରେସ ନେତା ଲଲାଟେନ୍ଦୁ (ଲୁଲୁ) ମହାପାତ୍ର ଲଢୁଥିଲେ। ଲୁଲୁଙ୍କ ପରଲୋକ ପରେ ତାଙ୍କ ପରିବାର ଏବେ ବିଜେପିରେ ସାମିଲ ହୋଇଛନ୍ତି। ଲୁଲୁଙ୍କ ଝିଅ ଉପାସନା ବର୍ତ୍ତମାନ ପାଠପଢା ସାରନଥିବାରୁ ଆଗାମୀ ନିର୍ବାଚନ ସେ ଲଡିବେ ନାହିଁ। ଲୁଲୁଙ୍କ ସାନ ଭାଇ ଲଳିଟେନ୍ଦୁ ମହାପାତ୍ର ନିର୍ବାଚନ ଲଡିବେ ବୋଲି ଚିନ୍ତା କରାଯାଉଥିଲା। କିନ୍ତୁ ସେ ବିଜେଡି ନେତା ସଂଜୟ ଦାସବର୍ମାଙ୍କ ସହିତ ଲଢି ତାଙ୍କୁ ପରାଜିତ କଲାଭଳି ମନେ ହେଉନାହିଁ। ତେଣୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଆସନରୁ ଲଢିବା ପାଇଁ ଚିନ୍ତା କରୁଛନ୍ତି। ଲୁଲୁଙ୍କ ଝିଅ ଉପାସନା ନିର୍ବାଚନ ଲଢିବା ପାଇଁ ଯେତେବେଳେ ଚାହିଁବେ ସେ ତାହା ଛାଡି ଦେବେ ବୋଲି ଲୁଲୁଙ୍କ ପରିବାରକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିବା ଦଳୀୟ ମହଲରେ ଆଲୋଚନା ହେଉଛି।

ଦ୍ୱୀତିୟ କାରଣ ହେଉଛି, ବ୍ରହ୍ମଗିରୀ ନିର୍ବାଚନ ମଣ୍ଡଳୀରେ ପାଇକ ଖଣ୍ଡାୟତ ବର୍ଗର ମତଦାତା ଅଧିକ। ଧର୍ମେନ୍ଦ୍ର ନିଜେ ଖଣ୍ଡାୟତ ବର୍ଗର ହୋଇଥିବାରୁ ସେ ସ୍ଥାନୀୟ ମତଦାତାଙ୍କ ମନ ସହଜରେ ଜିଣିପାରିବେ ବୋଲି ଆକଳନ କରିଛନ୍ତି। ଏହାଛଡା ଲୁଲୁଙ୍କ ସାନଭାଇ ଲଳିଟେନ୍ଦୁଙ୍କୁ ବିଜେପି ପକ୍ଷରୁ କୌଣସି ରାଜନୈତିକ ଥଇଥାନ କରିଦିଆଗଲେ ତାଙ୍କ ପରିବାର ଓ ସମର୍ଥକମାନଙ୍କ ସମର୍ଥନ ସହଜରେ ମିଳିପାରିବ। ବ୍ରହ୍ମଗିରୀରେ ଶ୍ରୀ ପ୍ରଧାନ ନୂଆ ହୋଇଥିବାରୁ ତାଙ୍କ ବିରୋଧରେ ପ୍ରତିପକ୍ଷ ପ୍ରତିଦ୍ବନ୍ଦ୍ବୀମାନେ ଅପପ୍ରଚାର କରିବାର ସୁଯୋଗ ପାଇପାରିବେ ନାହିଁ।  ମୋଦିଙ୍କ ନିର୍ବାଚନ ହାୱାରେ କେନ୍ଦ୍ରମନ୍ତ୍ରୀ ବ୍ରହ୍ମଗିରୀରୁ ସହଜରେ ନିର୍ବାଚନ ବୈତରଣୀ ପାର ହୋଇ ବିଧାନସଭାରେ ପହଞ୍ଚିପାରିବେ ବୋଲି ଆକଳନ କରାଯାଇଛି।

ବ୍ରହ୍ମଗିରୀରୁ ନିର୍ବାଚନ ଲଢିବା ପଛରେ ଯେଉଁ ମୁଖ୍ୟକାରଣ ରହିଛି ତାହା ହେଲା କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ନିଜ ଜିଲ୍ଲାର ମତଦାତାଙ୍କ ଉପରେ ଭରସା କରିପାରୁନାହାନ୍ତି। କାରଣ ଶ୍ରୀ ପ୍ରଧାନ ତାଙ୍କ ପାରମ୍ପରିକ ବିଧାନସଭା ଆସନ ପାଲଲହଡାରୁ ୨୦୦୦ରେ ବିଜୟୀ ହୋଇଥିବାବେଳେ ୨୦୦୦୪ରେ କଂଗ୍ରେସ ପ୍ରାର୍ଥୀ ନୃସିଂହ ସାହୁଙ୍କଠାରୁ ପରାସ୍ତ ହୋଇଥିବାବେଳେ ୨୦୦୯ରେ ବିଜେଡି ପ୍ରାର୍ଥୀ ରବି ନାରାୟଣ ପାଣିଙ୍କଠାରୁ ମଧ୍ୟ ପରାଜିତ ହୋଇସାରିଛନ୍ତି। ବର୍ତ୍ତମାନ ପାଲଲହଡାରେ ଶ୍ରୀ ପ୍ରଧାନଙ୍କ ପ୍ରବଳ ବିରୋଧୀ ମହେଶ ସାହୁ ବିଧାୟକ ଅଛନ୍ତି। ତାଳଚେର ଆସନରେ ମଧ୍ୟ ସେ ଲଢିବାକୁ ଇଛା କଲେ ତାଙ୍କ ସମର୍ଥକମାନେ ବିରୋଧୀ ହୋଇଯିବାର ଆଶଙ୍କା ରହିଛି। କାରଣ ତାଳଚେର ଆସନରୁ ତାଙ୍କ ଅନୁଗତ କାଳନ୍ଦୀ ସାହୁ ଗତ ଦୁଇଥର ନିର୍ବାଚନ ଲଢି ଆଗାମୀ ନିର୍ବାଚନ ପାଇଁ ସଂଗଠନରେ ଲାଗିଛନ୍ତି। ଯଦି ତାଙ୍କୁ ଟିକେଟ ଦିଆନଯାଇ ଶ୍ରୀ ପ୍ରଧାନ ଏଠାରୁ ଲଢିବାର ନିଷ୍ପତ୍ତି ନିଅନ୍ତି ତେବେ ଦଳ ମଧ୍ୟରେ ବିଦ୍ରୋହ ହେବାର ଆଶଙ୍କା ରହିଛି। ଏହା ହେଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ଜିତିବାର ସମ୍ଭାବନା ରହିବ ନାହିଁ ବୋଲି ତାଙ୍କ ସମର୍ଥକମାନେ ଆଲୋଚନା କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

two × 4 =