ପୁରୀରେ ଝାଡଖଣ୍ଡ ସଂଘ ପ୍ରଚାରକ

ଭୁବନେଶ୍ବର (ନିପ୍ର): ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ସଂଗଠନକୁ ସୁଦୃଢ କରି ମତଦାତାମାନଙ୍କୁ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ ପୁରୀ ଲୋକସଭା ନିର୍ବାଚନୀ ମଣ୍ଡଳୀ ପାଇଁ ପଡୋଶୀ ଝାଡଖଣ୍ଡରୁ ୭୦ଜଣ ସଂଘ ପ୍ରଚାରକ ପୁରୀରେ ପହଞ୍ଚି ପ୍ରାରମ୍ଭିକ କାମ ଆରମ୍ଭ କରିଥିବା ଜଣାପଡିଛି । ଏହି ପ୍ରଚାରକମାନେ କାମ ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବାର ସମ୍ଭାବନା ବଢିଛି । ବିଜେପି ପାଇଁ କାମ କରିବାକୁ ଆସିଥିବା ପ୍ରଚାରକମାନଙ୍କ କାମ କରିବାର ଶୈଳୀକୁ ଦେଖି ସ୍ଥାନୀୟ ବିଜେପି କର୍ମୀ ଉତ୍ସାହିତ ହୋଇପଡିଥିବାବେଳେ ଶାସକ ବିଜେଡି ନେତାଙ୍କ ମନରେ ଶଙ୍କା ଜାତ ହୋଇଥିବା ଜଣାପଡିଛି ।

ଅମିତ୍‍ ଶାହା ଗତ ଓଡିଶା ଗସ୍ତକାଳରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ରାଜ୍ୟ ଶାଖା ପକ୍ଷରୁ ସହଯୋଗ ମିଳିବ ନାହିଁ ବୋଲି କୁହାଯିବା ପରେ ବିଜେପି ନେତୃତ୍ବ ପଡୋଶୀ ରାଜ୍ୟ ଝାଡଖଣ୍ଡରୁ ଏହି ପ୍ରଚାରକମାନଙ୍କୁ ଓଡିଶା ଆଣଇଛନ୍ତି । ଏହି ପ୍ରଚାରକମାନେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଥିବା ୭ଟି ବିଧାନସଭା କ୍ଷେତ୍ରରେ ବିଭକ୍ତ ହୋଇ ସଂଗଠନ କାମ ତଦାରଖ କରିବେ ବୋଲି ସ୍ଥିର ହୋଇଛି । ପ୍ରଚାରକମାନଙ୍କର କ୍ୟାମ୍ପ ଅଫିସ ପୁରୀଠାରେ ରହିବ ବୋଲି ସ୍ଥିର ହୋଇଛି । ପୁରୀରୁ ସଂଗଠନ କାମ ତଦାରଖ କରାଯାଇ, ଯେଉଁଠି ଦଳର ସଂଗଠନ ଅଧିକ ଦୁର୍ବଳ ଥିବ ବା କୌଣସି ସମସ୍ୟା ଉପୁଜିବ ତାର ସମାଧାନ ଯୁଦ୍ଧକାଳୀନ ଭିତିରେ କରାଯିବ ବୋଲି ସ୍ଥିର ହୋଇଛି ।

ଏହି ପ୍ରଚାରକମାନେ ପୁରୀ ଲୋକସଭାରେ ଥିବା ୭ଟି ବିଧାନସଭା କ୍ଷେତ୍ରର ସ୍ଥାନୀୟ ସଂଘ କର୍ମକର୍ତ୍ତାଙ୍କୁ ଚିହ୍ନଟ କରି ସେମାନଙ୍କ ମାଧ୍ୟମରେ ସଂଗଠନ ସୁଦୃଢ କାମ କରାଯିବ ବୋଲି ସ୍ଥିର ହୋଇଛି । ଯେଉଁ ଅଞ୍ଚଳରେ ସଂଘ ବା ବିଜେପିର କର୍ମୀ ନଥିବେ ସେଠାରେ ଦଳର ଶୁଭ ଚିନ୍ତକମାନଙ୍କ ମାଧ୍ୟମରେ ସଂଗଠନ କାମ ଆରମ୍ଭ କରାଯିବ ବୋଲି ସ୍ଥିର ହୋଇଛି । ଏହି ପ୍ରଚାରକମାନେ ସେମାନଙ୍କ କାମର ବିବରଣୀ ପ୍ରତି ୧୫ ଦିନରେ ଥରେ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟକୁ ପଠାଇବେ ବୋଲି ସ୍ଥିର ହୋଇଛି ।

କେବଳ ସେତିକି ନୁହେଁ ବିଭିନ୍ନ ଅଞ୍ଚଳରେ ଥିବା ବିଜେପିର ଆଶାୟୀ ପ୍ରାର୍ଥମାନଙ୍କ ଜନ ସମର୍ଥନ ସମ୍ପର୍କରେ ଏହି ପ୍ରଚାରକମାନେ ଖବର ସଂଗ୍ରହ କରି ବିଜେପି ନେତୃତ୍ବକୁ ନିରନ୍ତର ଅବଗତ କରାଇବେ । ତେଣୁ ଆଗାମୀ ନିର୍ବାଚନରେ କିଏ ବିଜେପିର ଦଳୀୟ ଟିକଟ ପାଇବ ଏହି ପ୍ରଚାରକମାନଙ୍କ ରିପୋର୍ଟ ଉପରେ ନିର୍ଭର କରୁଛି । ଏହି ପ୍ରଚାରକମାନେ ଓଡିଶାରୁ ହୋଇନଥିବାରୁ ସ୍ଥାନୀୟନେତାଙ୍କ ସହିତ ଆଗରୁ ସେମାନଙ୍କର କୌଣସି ସମ୍ପର୍କ ନାହିଁ । ତେଣୁ ଦଳୀୟ ନେତାମାନଙ୍କର ଲୋକପ୍ରିୟତା ସମ୍ପର୍କରେ ଏହି ପ୍ରଚାରକମାନଙ୍କର ଗୁପ୍ତ ରିପୋର୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଫଳରେ ସ୍ଥାନୀୟ ବିଜେପି ନେତାମାନଙ୍କ ମନରେ ପ୍ରଚାରକଙ୍କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆଗାମୀ ଦିନରେ ଓଡିଶା ବାହାରୁ ଆହୁରୀ ବହୁ ସଂଖ୍ୟାରେ ସଂଘ ପ୍ରଚାରକ ଓଡିଶା ଆସି ସମଗ୍ର ରାଜ୍ୟରେ ସଂଗଠନ ଦାୟିତ୍ବ ସମ୍ଭାଳିବେ ବୋଲି ସଂଘ ସୂତ୍ରରୁ ଜଣାପଡିଛି ।

ସଂଘର ଏହି ପ୍ରଚାରକମାନଙ୍କ କାମକୁ ଅନୁଧ୍ୟାନ କରୁଥିବା ଶାସକ ବିଜେଡି ଦଳର ସ୍ଥାନୀୟ ନେତାମାନଙ୍କ ମନରେ ଅଜଣା ଭୟ ସୃଷ୍ଟି ହୋଇଛି । ଯଦି ଏହି ପ୍ରଚାରକମାନଙ୍କୁ ଏବେଠାରୁ ରୋକାନଯାଏ ତେବେ ଆଗାମୀ ନିର୍ବାଚନରେ ପୁରୀ ଜିଲ୍ଲାରେ ବିଜେଡି ଅନେକ ଆସନ ହରାଇପାରେ ବୋଲି ଜଣେ ବିଜେଡି ନେତା ନାମ ପ୍ରକାଶ ନ କରିବା ସର୍ତ୍ତରେ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

16 + 14 =