ଓଡିଶା ବନ୍ୟା ପାଇଁ ଛତିଶଗଡ ଦାୟୀ

ଭୁବନେଶ୍ବର,୨୯ା୮(ନି.ପ୍ର.): ପୂର୍ବରୁ ବିଜେଡି ଯେଉଁ ପୂର୍ବାନୁମାନ କରିଥିଲା ତାହା ପ୍ରମାଣିତ ହୋଇଛି । ଛତିଶଗଡ଼ର ଏକପାଖିଆ ନିଷ୍ପତି ଯୋଗୁଁ  ଓଡିଶାରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଭଳି ଅଭିଯୋଗ ଆଣିଛନ୍ତି ଶାସକ ବିଜୁ ଜନତା ଦଳର ମୁଖପାତ୍ର ଦେବୀପ୍ରସାଦ ମିଶ୍ର । ଉପରମୁଣ୍ଡରେ ଛତିଶଗଡର ମନମୂଖୀ ପାଣି ରୋକିବା ଓ ଛାଡିବା କାର୍ଯ୍ୟ ପାଇଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି କୌଣସି ସୂଚନା ନଦେଇ ତଳମୁଣ୍ଡକୁ ବର୍ଷା ଜଳ ଛାଡି ଦେଉଛନ୍ତି । ଯେତେବେଳେ ମହାନଦୀର ଉପମୁଣ୍ଡରେ ବେଆଇନ୍ ଭାବେ ବ୍ୟାରେଜ ନିର୍ମାଣ କରୁଥିଲେ ସେତେବେଳୁ ହିଁ ଏହାର ପ୍ରଭାବ ନେଇ ପୂର୍ବନୁମାନ କରିଥିଲୁ । ଯାହାକୁ ନେଇ ଏପର୍ଯ୍ୟନ୍ତ ବିରୋଧ କରୁଛି ବିଜେଡି ।

ସେପଟେ ବିଜେପି ଏହାର ପ୍ରତିଉତ୍ତରରେ କହିଛି ଯେ, ରାଜ୍ୟରେ ଜଳ ସମସ୍ୟା ସମାଧାନ ନେଇ କେନ୍ଦ୍ର ସରକାର ସବୁବେଳେ ପଦକ୍ଷେପ ନେଉଛନ୍ତି । ହେଲେ ଶାସକ ବିଜେଡି ପାଇଁ କେନ୍ଦ୍ର, ଇନ୍ଦ୍ର ଓ ଧର୍ମେନ୍ଦ୍ର ଦାୟୀ ଏକ ରାଜନୈତିକ ନାରା ପାଲଟିଗଲାଣି।

ମହାନଦୀ ବନ୍ୟାକୁ ନେଇ ବିଜେଡି-ବିଜେପି ମଧ୍ୟରେ ପରସ୍ପର ଉପରେ ଅଙ୍ଗୁଳି ନିର୍ଦ୍ଦେଶ ଚାଲୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ମହାନଦୀରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ, ଛତିଶଗଡରୁ ଅଧିକ ମାତ୍ରାରେ ବନ୍ୟା ଜଳ ଆସୁଥିବାରୁ ହୀରାକୁଦର ୨୫ଟି ଗେଟ୍ ଖୋଲାଯାଇଛି । ଏହାସହ ହୀରାକୁଦ ନିମ୍ନ ଅଞ୍ଚଳରେ ବିଭିନ୍ନ ନଦୀର ଜଳ ମିଶୁଥିବାରୁ ଆଜି ରାତି ଓ ଆସନ୍ତାକାଲି ସକାଳ ସୁଦ୍ଧା ମୁଣ୍ଡଳୀଠାରେ ୮.୫ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ । ଏହାଦ୍ୱାରା ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ଯାଜପୁର ଏହି ୮ଟି ଜିଳ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ରହିଛି ।

ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ବଳ ଓ ବିପଦଶଙ୍କୁଳ ନଦୀ ବନ୍ଧର ସୁରକ୍ଷା, ତଳି ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରଣ, ଖାଦ୍ୟ ଓ ପାନୀୟ ଜଳ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ମହଜୁଦ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ୩ଟି ଏନଡିଆରଏଫ୍ ଓ ୨ଟି ଓଡ୍ରାଫ୍ ଟିମ୍ ମଧ୍ୟ ତଳି ଅଞ୍ଚଳରେ ନିୟୋଜିତ ହୋଇଛନ୍ତି । ୧୯୮ଟି ବୋଟ୍ ଓ ୪୭୪ଟି ଆଶ୍ରୟ ଗୃହ ମଧ୍ୟ ପ୍ରସ୍ତୁତ ହୋଇରହିଛି ।

ସେହିପରି ଗତକାଲି ରାଜ୍ୟ ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନା କହିଥିଲେ ହୀରାକୁଦକୁ ବହୁ ପରିମାଣରେ ବର୍ଷାଜଳ ଇନଫ୍ଲୋ ହେଉଛି । ହୀରାକୁଦକୁ ପାଖାପାଖି ୧ଲକ୍ଷ ୭୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ବୋଲି ଜଳସମ୍ପଦ ସଚିବ ପ୍ରଦୀପ ଜେନା କହିଥିଲେ । ସିଡବ୍ଲୁସି ତଥ୍ୟ ଅନୁସାରେ ହୀରାକୁଦକୁ ଇନଫ୍ଲୋ ଜଳ ବୁଥିବାବେଳେ ଆଉଟ ଫ୍ଲୋ ୪ଲକ୍ଷରୁ ୫ ଲକ୍ଷ କ୍ୟୁସେକ୍ ଜଳ ରହିଛି । ଯଦି ବନ୍ୟା ପରିସ୍ଥିତି ଉପୁଜେ ତେବେ ଏଥିପାଇଁ ଛତିଶଗଡ଼ ସରକାର ଦାୟୀ ରହିବେ ବୋଲି ପରୋକ୍ଷରେ ଛତିଶଗଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ଜଳସଂପଦ ସଚିବ ।

Share

Leave a Reply

Your email address will not be published. Required fields are marked *

five + twenty =