ମାସକ ମଧ୍ୟରେ ୪୫ ଲକ୍ଷ ହିତାଧିକାରୀ ଉପକୃତ

ଭୁବନେଶ୍ବର () ଜନସାଧାରଣଙ୍କୁ ସାର୍ବଜନୀନ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ । ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ ସ୍ବାସ୍ଥ୍ୟର ସୁରକ୍ଷା ନିମନ୍ତେ ଏହା ଉଦ୍ଧିଷ୍ଟ । ଏହି ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଲୋକକଳା ମାଧ୍ୟମରେ ସଚେତନ କରିବା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ପ୍ରଚାର ରଥର ଶୁଭାରମ୍ଭ କରିଛନ୍ତି । ରାଜ୍ୟର କୋଣ-ଅନୁକୋଣରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ଲୋକଙ୍କ ପାଖରେ ପହଂଚାଇବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଏହି ରଥ  ଗଞ୍ଜାମ, ଖୋର୍ଦ୍ଧା , ସମ୍ବଲପୁର , ସୁନ୍ଦରଗଡ , କଳାହାଣ୍ଡି , ମୟୁରଭଞ୍ଜ , କେନ୍ଦୁଝର , କୋରାପୁଟ , କଟକ ଓ ବଲାଙ୍ଗିରି ଭଳି ୧୦ଟି ଜିଲ୍ଲାରେ ନିୟୋଜିତ କରାଯାଉଛି । ପରବର୍ତି ପର୍ଯ୍ୟାୟରେ ଅନ୍ୟ ସବୁ ଜିଲ୍ଲାକୁ ଯିବ ।

ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଏହି ରଥ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧୀୟ ସମସ୍ତ ପ୍ରକାର ତଥ୍ୟ ସୂଚନା ଦେବା ସହିତ ଲୋକକଳା ଭଳି ଏକ ବଳିଷ୍ଠ  ପ୍ରଚାର ମାଧ୍ୟମରେ ଜିଲ୍ଲା ଲୋକକଳା ସଂଘ, ବ୍ଲକ୍ ଲୋକକଳା ସଂଘ ଓ ସହରାଂଚଳ ଲୋକକଳା ସଂଘ ସଦସ୍ୟମାନେ ବୋଧଗମ୍ୟ ଭାଷା ଓ ଅଭିନୟ ମାଧ୍ୟମରେ ଏହି ଯୋଜନା ସଂପର୍କରେ ପ୍ରଚାର ପ୍ରସାର କରି ସଚେତନ କରାଇବେ। ଏହା ସ୍ଥାନୀୟ ସମୃଦ୍ଧ ଲୋକକଳାର ପାରଦର୍ଶିତା ବୃଦ୍ଧିରେ ମଧ୍ୟ ସହାୟକ ହୋଇପାରିବ । ଗତ ଅଗଷ୍ଟ ୧୫ ତାରିଖରୁ ଏହି ଯୋଜନା ଆରମ୍ଭ ହୋଇଛି । ଏଥିରେ ସାର୍ବଜନୀନ ସ୍ବାସ୍ଥ୍ୟସେବା ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ସ୍ବାସ୍ଥ୍ୟ ସେବା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି ।

ଓଡିଶାର ଜନସାଧାରଣଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଆୟ ଏବଂ ବାସସ୍ଥାନ ନିର୍ବିଶେଷରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ବିନା ମୂଲ୍ୟରେ ସ୍ବାସ୍ଥ୍ୟସେବା ପ୍ରଦାନ କରାଯିବ । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓଡିଶାର ୭୦ ଲକ୍ଷ ପରିବାରଙ୍କ ନିମନ୍ତେ ପରିବାର ପିଛା ୫ ରଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁରକ୍ଷା ପ୍ରଦାନ କରାଯିବ । ବିଜୁ କୃଷକ କଲ୍ୟାଣ ଯୋଜନା , ରଷ୍ଟ୍ରୀୟ ସ୍ବାସ୍ଥ୍ୟ ବିମା ଯୋଜନା ଏବଂ  ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ପାଇଁ ଯୋଗ୍ୟ ବିବେଚିତ ସମସ୍ତ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଗତ ଅଗଷ୍ଟ ମାସ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରଥମ ମାସ ସୁଦ୍ଧା ୪୫ ଲକ୍ଷ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇ ଏକନୂତନ ଯୁଗର ଅୟାମାରମ୍ଭ ହୋଇଛି   ବୋଲି ସେ କହିଛନ୍ତି  ।

Share

Leave a Reply

Your email address will not be published. Required fields are marked *

three × 3 =