ଆଶା କର୍ମୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ

ମିଳିବ ଆଲମିରା, ଛତା, ଚପଲ ଓ ଟର୍ଚ୍ଚ

ଭୁବନେଶ୍ବର () ବିଗତ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ଶିଶୁ ଓ ମାତୃ ମୃତ୍ୟୁ ହାର କ୍ଷେତ୍ରରେ ଉତ୍ସାହଜନକ ହ୍ରାସ ସହିତ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଗୁଡ଼ିକରେ ମଧ୍ୟ ଅନେକ ଉନ୍ନତି ଆସିଛି । ଏହି ପରିପ୍ରେକ୍ଷିରେ ଗାଁ ଓ ସହରବସ୍ତି ଅଞ୍ଚଳରେ କାର୍ଯ୍ୟରତ ଆଶାମାନଙ୍କର କର୍ତ୍ତବ୍ୟନିଷ୍ଠା ଓ ନିଃସ୍ବାର୍ଥପର ସେବା ପାଇଁ ସେମାନଙ୍କୁ ଶୁଭେଚ୍ଛା ସହିତ ତାଙ୍କର ଉଦ୍ୟମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଗୁଡ଼ିଏ ଲୋକାଭିମୁଖୀ ପଦକ୍ଷେପ ନିଆଯାଉଛି, ଯାହାର ସଫଳ ରୁପାୟନ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପ୍ରତ୍ୟକ୍ଷ ତତ୍ୱାବଧାନର ଦାୟିତ୍ବ ଦିଆଯାଇଛି । ଏହି ଅବସରରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟରତ ୪୭ ହଜାରରୁ ଉର୍ଦ୍ଧ୍ବ ଆଶାମାନଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ କରିବା ସହିତ ସେମାନଙ୍କୁ ଅଧିକ ଉତ୍ସାହିତ କରିବା ଓ ନିଜ ଦାୟିତ୍ବକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ କାର୍ଯ୍ୟରତ ଆଶାମାନଙ୍କୁ ଟ.୧୦,୦୦୦/-ର ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି । ଉକ୍ତ ସହାୟତା ରାଶିରୁ ଆଶାମାନେ ନିମ୍ନ ସାମଗ୍ରୀମାନ କ୍ରୟ କରି ସେମାନଙ୍କ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରିପାରିବେ ବୋଲି ଏନଆରଏଚଏମ ନିର୍ଦ୍ଦେଶକ ଶାଳିନି ପଣ୍ଡିତ କହିଛନ୍ତି ।

ଗ୍ରାମ ଓ ସହରାଞ୍ଚଳରେ କାର୍ଯ୍ୟରତ ଆଶାମାନଙ୍କ ଯାତାୟତକୁ ସୁଗମ କରିବା ଲକ୍ଷ୍ୟରେ ସମସ୍ତ ଆଶାଙ୍କ ପାଇଁ ସାଇକେଲ୍ର ବ୍ୟବସ୍ଥା । ଆଶା ପାଖରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାରର ଔଷଧ ଓ ସାନିଟାରୀ ନାପ୍କିନ ଆଦିର ନିରାପଦ ସଂରକ୍ଷଣ ତଥା ନିତ୍ୟ ବ୍ୟବହାର କରୁଥିବା ତଥ୍ୟ, ସୂଚନା ଓ ବିବରଣୀ ପୁସ୍ତିକାଗୁଡ଼ିକୁ ସାଇତି ରଖିବା ପାଇଁ ଷ୍ଟିଲ୍ ଆଲମିରା କ୍ରୟ କରିବା ପାଇଁ ସହାୟତା ଦିଆଯିବ । ଲୋକମାନଙ୍କ ପାଇଁ କର୍ତ୍ତବ୍ୟ ସଂପାଦନ କରିବା ସମୟରେ ଆଶାମାନେ ଖରା ଓ ବର୍ଷାର ସମ୍ମୁଖୀନ ହୋଇଥାନ୍ତି, ତେଣୁ ଖରା ଓ ବର୍ଷାରୁ ସୁରକ୍ଷା ଦେବା ପାଇଁ ସମସ୍ତ ଆଶାମାନଙ୍କୁ ଛତା କ୍ରୟ କରିବା ପାଇଁ ସହାୟତା । କାର୍ଯ୍ୟ ସମ୍ପାଦନ କରିବା ସମୟରେ ବେଳେ ବେଳେ ଆଶାମାନଙ୍କୁ ରାତିରେ ମଧ୍ୟ ଘରକୁ ଘର ଯିବାକୁ ପଡ଼ିଥାଏ । ରାତ୍ରି ସମୟରେ ତାଙ୍କର ଯାତାୟତକୁ ସୁଗମ କରିବା ପାଇଁ ସମସ୍ତ ଆଶାମାନଙ୍କୁ ଟର୍ଚ୍ଚ ଲାଇଟ୍ କ୍ରୟ କରିବା ପାଇଁ ସହାୟତା ମିଳିବ । ଆଶାମାନଙ୍କର ପରିଚ୍ଛନ୍ନତାକୁ ଦୃଷ୍ଟିରେ ରଖି ସମସ୍ତ ଆଶାମାନଙ୍କୁ ଚପଲ କ୍ରୟ କରିବା ପାଇଁ ସହାୟତା ଦିଆଯିବ ।

ଏହାଛଡା “ଆଶା ଅବ୍ୟାହତି ଯୋଜନା” ଅନ୍ତର୍ଗତ ଏକକାଳୀନ ଆର୍ଥିକ ସହାୟତା ରାଶିକୁ ୧୦,୦୦୦ରୁ ୨୦,୦୦୦କୁ ବୃଦ୍ଧି କରାଗଲା । ଏଣିକି ଯେଉଁ ଆଶା ଅତି କ୍ରମରେ ୧୦ ବର୍ଷ କାର୍ଯ୍ୟ କରି ସ୍ବେଚ୍ଛାକୃତ ଭାବରେ ଅବ୍ୟାହତି ନେବେ ବା ୬୨ ବର୍ଷ ବୟସରେ ଆଶା କାର୍ଯ୍ୟରୁ ଅବ୍ୟାହତି ପାଇବା ପରେ ଏହି ଆର୍ଥିକ ସହାୟତା ସେମାନଙ୍କୁ ପ୍ରଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

4 × 1 =