ସ୍ବାଧୀନତା ସଂଗ୍ରାମର ଶହୀଦଙ୍କ ଲାଗି ହେବ ସ୍ମୃତିସ୍ତମ୍ଭ

ରାଜ୍ୟର ସବୁ ଶହୀଦ ପୀଠରୁ ମାଟି ଅଣାଯିବ

ଅଗଷ୍ଟ ୯ରେ ମୁଖ୍ୟମନ୍ତ୍ରୀ ମାଟି ସ୍ଥାପନା କରିବେ

୨୯ରେ ପ୍ରଥମ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ

ଭୁବନେଶ୍ବର (): ସ୍ବାଧୀନତା ସଂଗ୍ରାମର ଅମର ଶହୀଦମାନଙ୍କ ସ୍ମୃତି ରକ୍ଷା ଲାଗି ରାଜଧାନୀ ଭୁବନେଶ୍ବରରେ ଶହୀଦ ସ୍ମୃତିସ୍ତମ୍ଭ ନିର୍ମାଣ କରାଯିବ । ୟୁନିଟ-୯ସ୍ଥିତ ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ଏହି ସ୍ମୃତିସ୍ତମ୍ଭ ପ୍ରତିଷ୍ଠା ହେବ । ଏଥିରେ ରାଜ୍ୟର ବିଭିନ୍ନ ଶହୀଦ ପୀଠରୁ ପବିତ୍ର ମାଟି ଅଣାଯାଇ ସ୍ଥାପନା କରାଯିବ । ଅଗଷ୍ଟ ୯ କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ମାଟି ରଖାଯିବ ।

ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟ ଏବଂ ପ୍ରଦେଶ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଶନିବାର ସ୍ବାଧୀନତା ସଂଗ୍ରାମୀ ସଦନଠାରେ ଏନେଇ ଏକ ପ୍ରସ୍ତୁତି ବୈଠକ କରାଯାଇ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ସ୍ବାଧୀନତା ସଂଗ୍ରାମର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କ ଠାରୁ ଆରମ୍ଭ କରି ଶେଷ ଶହୀଦ ଲକ୍ଷ୍ମଣ ନାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜନ୍ମପୀଠରୁ ଏହି ପବିତ୍ର ମାଟି ସଂଗ୍ରହ ହେବ ।

ଶହୀଦଙ୍କ ଜନ୍ମପୀଠ ବୀରହରେକୃଷ୍ଣପୁର ଶାସନ, ଦାରୁଠେଙ୍ଗ, ଘେଁସ, ବାଦଭୂଇଁ-ରଣପୁର, ତେନ୍ତୁଳିଗୁମା, ସିଂହଭୂମ, ଖୋର୍ଦ୍ଧା, ଖିଣ୍ଡା, ଘୁମୁସର, ମ.ରାମପୁର, କେନ୍ଦ୍ରାପଡ଼ା, ରଣପୁର, ନୀଳକଣ୍ଠପୁର, ଭୁବନ, ତୁମସିଂହା, ପର୍ଜଙ୍ଗ, କାମାକ୍ଷାନଗର, ରାଜଗାଙ୍ଗପୁର, ବଣେଇ, ଲୁଣିଆ, ତୁଡିଗାଡିଆ, ଇରମ, କଳାମାଟିଆ (ବରୀ), ନିମାପଡା, ପାପଡାହାଣ୍ଡି, ବାହାଡାଝୋଲା, ବଡଭରାଣ୍ଡି ଓ ମାଥିଲି ଆଦି ସ୍ଥାନରୁ ମାଟି ଅଣାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଆସନ୍ତା ୨୯ ତାରିଖରେ ଏଥିପାଇଁ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ କରାଯିବ । ଜୁଲାଇ ୨୫ରୁ ୩୧ ତାରିଖ ସପ୍ତାହ ବ୍ୟାପୀ ଶହୀଦ ପୀଠରୁ ପବିତ୍ର ମାଟି ସଂଗ୍ରହ ଆରମ୍ଭ ହେବ । ସ୍ବତନ୍ତ୍ର ସମାରୋହରେ ଶୋଭାଯାତ୍ରା କରି ଏହି ମାଟିଗୁଡିକୁ ସ୍ବାଧୀନତା ସଂଗ୍ରାମୀ ସଦନକୁ ଅଣାଯାଇ ରଖାଯିବ । ଶନିବାର ପ୍ରଦେଶ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ କରାଯାଇଥିଲା ।

ବୈଠକରେ ସ୍ବାଧୀନତା ସଂଗ୍ରାମୀ  ଯୁବ ସାମ୍ମୁଖ୍ୟର ସର୍ବଭାରତୀୟ ସଭାପତି ସାଂସଦ ଭର୍ତ୍ତୃହରି ମହତାବ କାର୍ଯ୍ୟକ୍ରମ ସଂପର୍କରେ ବିଶଦ୍ ସୂଚନା ଦେଇଥିଲେ । ରାଜ୍ୟ ସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ବିଧାୟକ ପ୍ରଭାତ ତ୍ରିପାଠୀ, ଅତନୁ ସବ୍ୟସାଚୀ ନାୟକ, ରବି ନାରାୟଣ ମହାପାତ୍ର ଓ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଆଲୋଚନା କରିଥିଲେ ।

ଯୁବ ସାମ୍ମୁଖ୍ୟ ସଦସ୍ୟ ଉପେନ୍ଦ୍ର ପାଢ଼ୀଙ୍କ ସଂଯୋଜନାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା  ବେଳେ ଅନ୍ୟତମ ସଦସ୍ୟ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଦୁଃଶାସନ ସ୍ବାଇଁ,  ବିଜେଡ଼ି ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ସାମ୍ମୁଖ୍ୟ ସଭ୍ୟ ଅଭୟ ବଡଜେନା, ଶ୍ୟାମା ପ୍ରସାଦ ପଟ୍ଟନାୟକ, ରଘୁନାଥ ଲେଙ୍କା, ଅଜୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

6 − three =