ପ୍ରକୃତରେ ଆମେ ମୁଖ୍ୟ ସ୍ରୋତରେ ସାମିଲ ହୋଇଛୁ …

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସହ ହକି ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () “ଆଜି ଆମେ ପ୍ରକୃତରେ ହୃଦୟଂଗମ କରୁଛୁ ଯେ, ଆମେ ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛୁ” । ଏହା ଥିଲା ଆତ୍ମସମର୍ପଣ ପରେ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା କିଛି ମାଓବାଦୀ ସ୍ବତଃପ୍ରବୃତ ମନ୍ତବ୍ୟ  । କାରଣ ସେମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପକୁ ଉପଭୋଗ କରିଥିଲେ ।

ନିକଟରେ ଆତ୍ମସମର୍ପଣ କରିଥିବା ଦୁର୍ଦ୍ଦାନ୍ତ ମାଓବାଦୀ ହକି ବିଶ୍ବକପ ମ୍ୟାଚ ଦେଖିବାକୁ ଆଗ୍ରହ ପ୍ରକାଶ କରି ମାଲକାନଗିରି ଏସପିଙ୍କୁ ଜଣାଇଥିଲେ । ମାଲକାନିଗିରି ଏସପି ଏ ସଂପର୍କରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ମ୍ୟାଚ ଦେଖାଇବାର ବ୍ୟବସ୍ଥା କରିଥିଲେ ।

କଳିଙ୍ଗ ଷ୍ଟାଡିୟମ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସହ ଖେଳ ଦେଖିବାର ସୁଯୋଗ ପାଇଥିବା ଜାଣିବା ପରେ ସେମାନେ ବେଶ ଉତ୍ସାହିତ ହୋଇପଡିଥିଲେ । କାରଣ ସେମାନେ କଳିଙ୍ଗ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିବା ପର୍ଯ୍ୟନ୍ତ ଜାଣିନଥିଲେ ଯେ, ସେମାନେ ରାଜ୍ୟ ଶାସନର ମୁଖ୍ୟଙ୍କ ସହ ହକି ମ୍ୟାଚ ଦେଖିବାର ଏ ସୁଯୋଗ କେବେ ପାଇପାରିବେ । ଖେଳ ଦେଖିବା ସହ ସେମାନେ ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କୁ ଏହି ସୁଯୋଗ ମିଳିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଖୁସି ପ୍ରକଟ କରିଥିଲେ । ଏହା ସେମାନଙ୍କ ପାଇଁ ଏକ ଆଜୀବନ ସ୍ମୃତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ପ୍ରାୟ 30ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ମୁଖ୍ୟମନ୍ତ୍ରୀଙ୍କ ସହ ହକି ମ୍ୟାଚ ଦେଖିବାର ସୁଯୋଗ ପାଇଥିଲେ । ସେମାନଙ୍କ ମଧ୍ୟରେ 16ଜଣ ମହିଳା ମାଓବାଦୀ ଥିଲେ । ଏହି ମାଓବାଦଙ୍କ ମଧ୍ୟରୁ 20ଜଣ ମାଲକାନଗିରି ଓ 10 ଜଣ କୋରାପୁଟରୁ ଜିଲ୍ଲାରୁ ଆସିଛନ୍ତି । ସେମାନେ ପୂର୍ବରୁ ବିଭିନ୍ନ ମାଓ ସଂଗଠନର ଭିନ୍ନ ଭିନ୍ନ ସ୍ତରରେ ଦାୟିତ୍ବରେ ଥିଲେ । ଆଜି ସେମାନେ ନନ୍ଦନକାନନ ବୁଲି ଦେଖିଥିବା ବେଳେ ଆସନ୍ତାକାଲି ଭୁବନେଶ୍ବର ସିଟି ଫେଷ୍ଟିଭାଲ, ଲିଙ୍ଗରାଜ ମନ୍ଦିର ଓ ପୁରୀ ଜଗନ୍ନାଥ ମନ୍ଦିର ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

ଭାବ ବିନିମୟ ସମୟରେ ମାଓବାଦୀମାନେ କହିଛନ୍ତି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଶାନ୍ତି ପାଇଁ ଅପିଲରେ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟ ସରକାରଙ୍କ ଆତ୍ମସର୍ପଣ ଓ ଥଇଥାନ ନୀତି ଅତି ପ୍ରଗତିଶିଳ ଏବଂ ଲାଭଦାୟକ ବୋଲି ସେମାନେ କହିଛନ୍ତି । ରାଜ୍ୟ ସରକାରଙ୍କ ଗରିବଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଏକାଧିକ ଯୋଜନା, ଗ୍ରାମାଞ୍ଚଳ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ରାସ୍ତା ଓ ଭିତ୍ତିଭୂମୀ ନିର୍ମାଣ, ଗୁରୁପ୍ରିୟା ସେତୁ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସଂଯୋଗ ଭଲି ଏକାଧିକ ବିକାଶ ମୂଳକ ଯୋଜନା ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆକୃଷ୍ଟ କରିଥିବା ସେମାନେ ମାନିଛନ୍ତି ।

ଆତ୍ମସମର୍ପଣ ପରେ ସେମାନଙ୍କୁ ରାଜ୍ୟ ସରକାର ଉପଯୁକ୍ତ ଭାବେ ଥଇଥାନ କରିବା ସହ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ସେମାନଙ୍କୁ ମିଳିଥିବା ଧନ୍ଦାମୂଳକ ତାଲିମ ସେମାନଙ୍କ ଜୀବନ ଧାରଣର ମାନରେ ପରିବର୍ତ୍ତନ ଆଣିଥିବା ସେମାନେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − 6 =