ଗୋପବନ୍ଧୁଙ୍କ ସ୍ଥାନରେ ରାଧାନାଥ … ଅଜ୍ଞାନତା ନା ଅବମାନନା

ଭୁବନେଶ୍ବର () ଓଡିଆ ସାହିତ୍ୟ ଓ ବରପୂତ୍ରମାନଙ୍କୁ ଅବମାନନା । ଏହି ଅବମାନନା କରିଛି ବାଣିଜ୍ୟ ଓ ପରିବହନ ବିଭାଗ। … ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜୀଏଁ ନର, କର୍ମ ଏକା ତାର ଜୀବନର ମାନଦଣ୍ଡ … ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଏହି କାଳଜୟୀ କବିତାକୁ ସ୍କୁଲକୁ କଲେଜ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଛାତ୍ରଛାତ୍ରୀ ପଢିଛନ୍ତି । କିନ୍ତୁ ଓଡିଶାର ଏହି ବରପୂତ୍ରମାନଙ୍କ ଏଭଳି କବିତା ପ୍ରତି ସାଧାରଣତମ ଜ୍ଞାନ ନଥିବା ବା ଖାମଖିଆଲି ମନୋଭାବ ଦେଖାଇଛି ବାଣିଜ୍ୟ ବିଭାଗ । ଚଳିତ ବର୍ଷର ସରକାରୀ ଡାଇରୀରେ ଏହି କବିତାଟି କବିବର ରାଧନାଥ ରାୟଙ୍କ କବିତା ବୋଲି ଉଲ୍ଲେଖ କରାଯାଇଛି ।

ପ୍ରତିବର୍ଷ ବାଣିଜ୍ୟ ବିଭାଗ ପକ୍ଷରୁ ସରକାରୀ ଡାଏରୀ ପ୍ରକାଶ କରାଯାଇଥାଏ । ସୂଚନା ଓ ଲୋକ ସଂପର୍କ ବିଭାଗ ଓ ଅନ୍ୟାନ ବିଭାଗ ଜରିଆରେ ଏହାର ବଣ୍ଟନ ଏବଂ ବିକ୍ରି କରାଯାଇଥାଏ । ଚଳିତ ବର୍ଷ ବାଣିଜ୍ୟ ବିଭାଗ ନୂଆ ବର୍ଷ ଡାଏରୀ ପ୍ରକାଶ କରିବା ସମୟରେ ଏଥିରେ ଓଡିଆ ଭାଷା ସାହିତ୍ୟ ବରପୂତ୍ରମାନଙ୍କ କାଳଜୟୀ ଗୀତକୁ ସ୍ଥାନ ଦେବାକୁ ଉଦ୍ୟମ କରିଛି । ହେଲେ ଏଥିରେ ରହିଯାଇଛି ଗୁରୁଚଣ୍ଡାଳ ଦୋଷ । ଏହି ଡାଇରୀ ପ୍ରକାଶନ ପୂର୍ବରୁ ବିଭିନ୍ନ ସ୍ତର ଦେଇ ଯାଇଥାଏ । କିନ୍ତୁ କାହାରି ନଜର ପଡିନାହିଁ ବା ଜାଣି ଅଜଣା ହୋଇଛନ୍ତି ତାହା ବୁଝାପଡୁନି ।

ଡାଏରୀରେ ସବୁ ମାସ ଆରମ୍ଭରୁ ରାଜ୍ୟର ଜଣେ ଜଣେ ବରପୂତ୍ରଙ୍କ କବିତାକୁ ସ୍ଥାନୀତ କରାଯାଇଛି । ଫେବୃଆରୀ ମାସ ଆରମ୍ଭରୁ ସ୍ଥାନୀୟ ହୋଇଛି ଗୋପବନ୍ଧୁ ଦାସଙ୍କ ଏହି କବିତା । କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ହେଉ କି ଅଜ୍ଞାନତା, ଏହି କବିତାଟି କବିବର ରାଧାନାଥ ରାୟ ଲେଖିଥିବା ଦର୍ଶାଯାଇଛି । କବିବରଙ୍କ ଫଟୋ ମଧ୍ୟ ଏହି କବିତାରେ ସ୍ଥାନୀୟ ହୋଇଛି ।

ଗୋଟେପଟେ ରାଜ୍ୟ ସରକାର ଓଡିଆ ଭାଷା ସାହିତ୍ୟର ବିକାଶ ପାଇଁ ଗୋଟିଏପରେ ଗୋଟିଏ ପଦକ୍ଷେପ ନେବା ସହ ଓଡିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରୁଛନ୍ତି, ସେପଟେ ଓଡିଆ ସାହିତ୍ୟର ମୂଳ ଆଧାର ଥିବା ବ୍ୟକ୍ତିମାନଙ୍କ ଓଡିଆ ସାହିତ୍ୟ ପ୍ରତି ଥିବା ଅବଦାନକୁ ହୁଏତ ଭୁଲିଯାଇଛନ୍ତି କିମ୍ବା ଅଣଦେଖା କରୁଛନ୍ତି । ବରପୂତ୍ରମାନଙ୍କ କବିତା ପ୍ରକାଶ କରିବା ପୂର୍ବରୁ ଓଡିଶା ସଂସ୍କୃତି ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟର ଓଡିଆ ଚେୟାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପ ସହ ସଂପୃକ୍ତ ଥିବା ବହୁ ବିଶିଷ୍ଟ ସାହିତ୍ୟିକ ଅଛନ୍ତି, ଯେଉଁମାନଙ୍କ ପରାମର୍ଶ ନିଆଯାଇପାରିଥାନ୍ତା । କାହାରି ପରାମର୍ଶ ନନେଇ ଏଭଳି ବରପୂତ୍ରମାନଙ୍କ କବିତାକୁ ଅବମାନନା କରାଯିବା ଗ୍ରହଣୀୟ ନୁହେଁ ବୋଲି କିଛି ସାହିତ୍ୟିକ ମତ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × five =