ରାଜନୀତିର ନୂଆ ନାମ ଧାନ

ଭୁବନେଶ୍ବର (ନିପ୍ର): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପରେ ଏବେ ଧାନର ଉତ୍ପାଦନ ଖର୍ଚ୍ଚକୁ ନେଇ ସୃଷ୍ଟି ହୋଇଛି ହିସାବ ନିକାସ । କେନ୍ଦ୍ର ସରକାର ଏମଏସପି ୨୦୦ ଟଙ୍କା ବୃଦ୍ଧି କରି ବାହାବା ନେଉଥିବା ବେଳେ ଗତ ଖରିଫ ଋତୁ ତୁଳନାରେ ଚଳିତ ଖରିଫ ଋତୁରେ ଧାନର ଉତ୍ପାଦନ ଖର୍ଚ୍ଚ ଆକଳନ ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ସଂସଦରେ ସ୍ୱାମୀନାଥନ କମିଶନ ରିପୋର୍ଟକୁ ଲାଗୁ କରିବାକୁ ଘୋଷଣା କରିଥିଲେ ବି ଚଳିତ ଖରିଫରେ ଧାନର ଉତ୍ପାଦନ ଖର୍ଚ୍ଚ ଆକାଳନ ସମୟରେ ସ୍ବାମୀନାଥନ କମିଟିଙ୍କ ଫର୍ମୁଲାକୁ ଆପଣେଇ ନାହାଁନ୍ତି । ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ଉତ୍ପାଦନ ଖର୍ଚ୍ଚ ଆକଳନ ଫର୍ମୁଲାକୁ ବିରୋଧ କରିଛନ୍ତି ।

କେନ୍ଦ୍ର ଦର ଧାର୍ଯ୍ୟ କମିଶନଙ୍କ ସୁପାରିଶ ଅନୁଯାୟୀ ଧାନର ଉତ୍ପାଦନ ଖର୍ଚ୍ଚ ୧୧୬୬ଟଙ୍କା ବୋଲି ଆକଳନ କରାଯାଇଛି । ତେବେ ଏହି ହିସାବ ଉପରେ ପ୍ରଶ୍ନ ଉଠାଇଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ । ସେ କହିଛନ୍ତି, ଭିନ୍ନ ଭିନ୍ନ ରାଜ୍ୟରେ ଉତ୍ପାଦନ ଖର୍ଚ୍ଚ ଅଲଗା । ପଂଜାବର ଚାଷୀ ଧାନ ଚାଷରେ ବହୁଳ ଭାବେ ମେସିନ ବ୍ୟବହାର କରୁଛନ୍ତି । କିନ୍ତୁ ଓଡିଶାର ଚାଷୀ କେବଳ ଶ୍ରମ ଦେଉଛି । ଏହିଦୃଷ୍ଟିରୁ ଓଡିଶାର ଉତ୍ପାଦନ ଖର୍ଚ୍ଚ ପଂଜାବ ଠାରୁ ଅଧିକ । ରାଜ୍ୟର ଏହି ଖର୍ଚ୍ଚକୁ ଆକାଳନ କରାଯାଇ ୨୩୪୪ ଟଙ୍କା ଉତ୍ପାଦନ ଖର୍ଚ୍ଚ ସ୍ଥିର କରାଯାଇଛି । ଏଥିରେ ୨୫ ପ୍ରତିଶତ ବୃଦ୍ଧି କରି ଏମଏସପି ୨୯୩୦ଟଙ୍କା କରିବାକୁ ଓଡିଶା ଦାବି କରିଛି ।

ରାଜ୍ୟ କୃଷି ବିଭାଗର ଆପତ୍ତିର ଆଧାର ହେଉଛି, ସ୍ବାମୀନାଥନ କମିଟିଙ୍କ ସୁପାରିଶ ଆଧାରରେ ଉତ୍ପାଦନ ଖର୍ଚ୍ଚର ହିସାବ ହୋଇନି । ସ୍ବାମୀନାଥନ କମିଟି ଚାଷର ବାସ୍ତବ ଖର୍ଚ୍ଚ ବା ଏ-୨, ପରିବାରର ଶ୍ରମ ବା ଏଫଏଲ ଏବଂ ଜମି ଦେୟ ଓ ସୁଧର ହିସାବକୁ ନେଇ ସହାୟକ ମୂଲ୍ୟ ଧାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ କେନ୍ଦ୍ର ସରକାର କେବଳ ଏ-୨ ଓ ଏଫଏଲକୁ ନେଇ ଉତ୍ପାଦନ ଖର୍ଚ୍ଚ ଆକଳନ କରିଛନ୍ତି ।

୨୦୧୭ରେ ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କ ଏକ ଚିଠିର ଉତ୍ତରରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ କ୍ବିଣ୍ଟାଲ ପିଛା ଉତ୍ପାଦନ ଖର୍ଚ୍ଚ ୨୦୧୬-୧୭ ପାଇଁ ୧୩୨୮ ଟଙ୍କା ବୋଲି କହିଥିଲେ । ୨୦୧୭-୧୮ ବର୍ଷ ଖରିଫ ଋତୁରେ କେନ୍ଦ୍ର ସରକାର ନିଜ କୃଷି ନୀତିରେ ଉତ୍ପାଦନ ଖର୍ଚ୍ଚ ୧୪୮୭ଟଙ୍କା ଧାର୍ଯ୍ୟ କରିଥିଲେ । ସେହି ହିସାବରେ ଏମଏସପି ୨୨୩୦ ଟଙ୍କା ହେବା କଥା । କିନ୍ତୁ ଉତ୍ପାଦନ ଖର୍ଚ୍ଚ ହିସାବରେ ଜମିର ଦେୟ ଓ ଋଣ ବାବଦରେ ଚାଷୀ ଦେଉଥିବା ସୁଧକୁ ହିସାବକୁ ନନେଇ କେନ୍ଦ୍ର ସରକାର ଅତି ଚତୁରତାର ସହ ୨୦୧୮-୧୯ରେ ଉତ୍ପାଦନ ଖର୍ଚ୍ଚକୁ ୧୧୬୬ଟଙ୍କାକୁ କମାଇଦେଲେ ।

କେନ୍ଦ୍ର ସରକାର ଧାନ ଏମଏସପିରେ ସର୍ବାଧିକ ଅଭିବୃଦ୍ଧି ଦାବି କରୁଥିବା ବେଳେ କଂଗ୍ରେସ କହିଛି ୟୁପିଏ ସରକାର ଅମଳରେ ଧାନ ଏମଏସପିରେ ୩୨ ପ୍ରତିଶତ  ଅଭିବୃଦ୍ଧି କରିଥିଲେ । ଏନଡିଏ ସରକାର ମାତ୍ର ୪ ପ୍ରତିଶତ ବୃଦ୍ଧି କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ସେପଟେ ବିଜେପି କହିଛି, ଅଧିକ ଉତ୍ପାଦନ ଖର୍ଚ୍ଚ କରୁଥିବା ଚାଷୀଙ୍କୁ ରାଜ୍ୟ ସରକାର ବୋନସ ଦେବା ଉଚିତ ।

Share

Leave a Reply

Your email address will not be published. Required fields are marked *

five × 4 =