Latestରାଜ୍ୟ

ପୁଣି ଥରେ ଶ୍ରୀଜୀଉଙ୍କ ଅଳଙ୍କାର ଗଣତି ପାଇଁ ଦାବି କଲେ ବିଜୟ

ଭୁବନେଶ୍ବର () ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ପରେ ବି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ବିବାଦ ତୁଟୁନି। ସାଧାରଣରେ ରତ୍ନଭଣ୍ଡାର ଚାବି ହଜିବା ନେଇ ସୃଷ୍ଟି ହେଉଥିବା ସଂଶୟ ଓ ସନ୍ଦେହ ଦୂର କରିବାକୁ ରତ୍ନଭଣ୍ଡାର ପୁଣି ଥରେ ଖୋଲାଯିବାକୁ ଦାବି କରିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ଶ୍ରୀଜୀଉଙ୍କ ଅଳଙ୍କାରର ପୁନଃହିସାବ ହେଲେ ଲୋକଙ୍କ ମନରୁ ସନ୍ଦେହ ଦୂର ହେବ । ସ୍ବତନ୍ତ୍ର କମିଟି ଗଠନ କରାଯାଇ ସୁରକ୍ଷା ବ୍ୟବସ୍ଥା ଭିତରେ ରତ୍ନଭଣ୍ଡାର ଖୋଲାଯାଇ ସମ୍ପତି ପୁଣି ଆକଳନ କରାଯାଉ । ୧୯୮୫ ମସିହାରେ ଶେଷ ଥର ଲାଗି ଅଳଙ୍କାରର ଆକଳନ କରାଯାଇ ଚାବି ପକାଯାଇଥିଲା । ତେଣୁ ପୁଣି ଥରେ ତଦନ୍ତ କରି 33 ବର୍ଷ ତଳେ ହୋଇଥିବା ତାଲିକା ସହ ମେଳ କରାଯିବା ଉଚିତ ବୋଲି ସେ କହିଛନ୍ତି  ।

ନ୍ୟାୟିକ ତଦନ୍ତ ଘୋଷଣା ହୋଇଛି, ତେଣୁ ଏହାର ତଦନ୍ତ କରାଯାଇ ରିପୋର୍ଟକୁ ସାର୍ବଜନୀନ କରାଯାଉ । ତଦନ୍ତ କମିଶନଙ୍କ ତତ୍ବାବଧାନରେ ମଧ୍ୟ ଭିତର ରତ୍ନଭଣ୍ଡାର ଖୋଲିବାକୁ କମିଟି ଗଠିତ ହେବା ଉଚିତ  । 1985 ମସିହା ପରଠାରୁ ଯେଉଁମାନେ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ବରେ ଥିଲେ ସେମାନେ ଚାବିର ସତ୍ୟାସତ୍ୟ ନେଇ ଅନୁଧ୍ୟାନ କରିବା ଆବଶ୍ୟକତା ଥିଲା  ।

1985 ପୂର୍ବରୁ 1978 ଓ 1982 ମଧ୍ୟ ରତ୍ନଭଣ୍ଡାର ଖୋଲିଥିଲା  । 1978ରେ ତତ୍କାଳୀନ ରାଜ୍ୟାପାଳ ଡକ୍ଟର ବି.ଡି. ଶର୍ମାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିଲା  । ସେହି କମିଟିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ, ବିଶ୍ବନାଥ ଦାସ, ନିତ୍ୟାନନ୍ଦ କାନୁନଗୋ ଓ ଜଷ୍ଟିସ ହରିହର ମହାପାତ୍ରଙ୍କ ଭଳି ବ୍ୟକ୍ତିମାନେ ସଦସ୍ୟ ରହିଥିଲେ  । ତେଣୁ ଏଥର କମିଟି ଗଠନ ସମୟରେ ମଧ୍ୟ ରାଜ୍ୟ ସରକାର ଏଭଳି ସଦସ୍ୟ ଗ୍ରହଣ କରନ୍ତୁ ଯାହାଙ୍କ ନୈତିକତା ନେଇ କେହି ପ୍ରଶ୍ନ ଉଠାଇପାରିବେନି

ସେପଟେ ରତ୍ନଭଣ୍ଡାରର ଚାବି ହଜିଯିବା ପ୍ରସଙ୍ଗରେ ସ୍ପଷ୍ଟିକରଣ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଗତ ରାତିରେ ଏ ସଂପର୍କରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି  । ଏଥିରେ କୁହାଯାଇଛି ଯେ, ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି । ତେବେ ୩ଟି ଯାକ ଚାବିରୁ ଗୋଟିଏ ହଜିଯିବା କଥା ସତ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ବୀକାର କରିଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ରତ୍ନଭଣ୍ଡାର ୨ ଭାଗରେ ବିଭକ୍ତ । ବାହାର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାର । ବାହାର ଭଣ୍ଡାରଘର ଖୋଲାନଗଲେ ରତ୍ନଭଣ୍ଡାର ଖୋଲିବା ଅସମ୍ଭବ । ଶେଷଥର ପାଇଁ ଭିତର ରତ୍ନଭଣ୍ଡାର ୧୯୮୫ ମସିହାରେ ଖୋଲାଯାଇଥିଲା ଓ କାର୍ଯ୍ୟ ଶେଷ ପରେ ସେଠାରେ ସେଠାରେ ପଡିଥିବା ୩ଟି ତାଲା ମଧ୍ୟରୁ ଗୋଟିଏ ତାଲାରେ ଜଉମୁଦ ଦିଆଯାଇଥିଲା, ଯାହା ବର୍ତମାନ ଯାଏଁ ଅକ୍ଷୂର୍ଣ୍ଣ ଅବସ୍ଥାରେ ଅଛି । ଏହା ପ୍ରମାଣ କରିଛି ଭିତର ରତ୍ନଭଣ୍ଡାରରେ କୌଣସି ଅବ୍ୟବସ୍ଥା ହୋଇନାହିଁ ।

ଏଭିତରେ ଆମ ହାତରେ ଲାଗିଛି 1978 ଓ 1985 ରତ୍ନଭଣ୍ଡାର ଖୋଲାଯିବା ସଂପର୍କିତ ରିପୋର୍ଟ  । 1978ରେ ହୋଇଥିବା କମିଟି ଭିତର ରତ୍ନଭଣ୍ଡାର ଜାଂଚ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ  । ତଦନୁଯାଇ, ଭିତର ରତ୍ନଭଣ୍ଡାରରେ ଶ୍ରୀଜୀଉଙ୍କ ମୁଣ୍ଡ, କାନ, ନାକ, ବେକ, କଚଟି, ଆଙ୍ଗୁଠି, ଅଣ୍ଟା ଓ ଗୋଡ ପାଇଁ 8175 ଭରି 79ଟି ସୁନା ଅଳଙ୍କାର ରହିଛି  । 4671 ଭରି ରୂପା ପୂଜା ସାମଗ୍ରୀ ଓ ବାସନକୁସନ ରହିଛି  । ଶ୍ରୀଜୀଉଙ୍କ ଦୈନନ୍ଦିନ ବ୍ୟବହାରରେ ଲାଗୁଥିବା 299 ଭରି ସୁନା ଓ 2603 ଭରି ରୂପା ଅଳଙ୍କାର ଓ ସାମଗ୍ରୀ ରହିଛି  । ଦୁର୍ମୂଲ୍ୟ ପଥର ଖଚିତ 12,838 ଭରି ଓଜନର 454ଟି ସୁନା ଅଳଙ୍କାର ଓ 22,153 ଭରି ଓଜନର 293ଟି ରୂପା ଅଳଙ୍କାର ରହିଛି  ।

1985 ରିପୋର୍ଟରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଣତି ପରେ ପୁଣି ଥରେ ଜଉମୁଦ ଦେଇ ତାଲା ବନ୍ଦ କରାଯାଇଛି  । ଏ ସଂପର୍କରେ ଗଠିତ କମିଟି ରିପୋର୍ଟ ଦାଖଲ ସମୟରେ ସମସ୍ତ ସ୍ବାକ୍ଷର କରିଛନ୍ତି  । କିନ୍ତୁ ଜଉମୁଦ ପରେ ଚାବି କାହାକୁ ହସ୍ତାନ୍ତର କରାଯାଇଛି କିମ୍ବା କେଉଁଠି ରଖାଯାଇଛି ସେ ସଂପର୍କରେ କିଛି କୁହାଯାଇନି  ।

Share

Leave a Reply

Your email address will not be published. Required fields are marked *

fourteen + 16 =