ଅଧିକ ୬୫,୦୦୦ ଗ୍ରାମକୁ ସମ୍ପ୍ରସାରିତ ହେବ ଗ୍ରାମ ସ୍ବରାଜ ଅଭିଯାନ

ରାଜ୍ୟପାଳମାନଙ୍କ ୪୯ତମ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଭୁବନେଶ୍ବର, 04/06 (ନିପ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ରାଜ୍ୟପାଳମାନଙ୍କର ୪୯ତମ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଜୀବନର ବିଭିନ୍ନ ସ୍ତରରେ ରାଜ୍ୟପାଳମାନେ କିପରି ସେମାନଙ୍କ ଅଭିଜ୍ଞତାର ବ୍ୟବହାର କରିପାରିବେ, ଯେପରିକି ଜନସାଧାରଣ ବିଭିନ୍ନ କେନ୍ଦ୍ରୀୟ ଉନ୍ନୟନ ଯୋଜନା ଏବଂ ପଦକ୍ଷେପର ସର୍ବାଧିକ ଲାଭ ଉଠାଇ ପାରିବେ ସେ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ସେ କହିଲେ ଯେ  ଆମ ଦେଶର ସଂଘୀୟ ବ୍ୟବସ୍ଥା ଓ ସମ୍ବିଧାନ ଗତ ଢ଼ାଂଚା କ୍ଷେତ୍ରରେ ରାଜ୍ୟପାଳ ପଦବୀର ଏକ ପ୍ରମୁଖ ଭୂମିକା ରହିଛି ।

ସେ କହିଲେ ଯେ ଅଧିକ ତଫସିଲଭୁକ୍ତ ଉପଜାତି ବହୁଳ ରାଜ୍ୟର ରାଜ୍ୟପାଳମାନେ ଶିକ୍ଷା, କ୍ରୀଡ଼ା ଏବଂ ଆର୍ଥିକ ଅନ୍ତର୍ଭୁକ୍ତି ଆଦି ସରକାରୀ ପଦକ୍ଷେପ ଦ୍ବାରା ତଫସିଲଭୁକ୍ତ ଉପଜାତିମାନେ  କିପରି ଅଧିକ ଲାଭ ଉଠାଇ ପାରିବେ ତାହା ନିଶ୍ଚିତ କରିପାରିବେ । ସେ କହିଲେ ଯେ ଆଦିବାସୀ ସମ୍ପ୍ରଦାୟ ସ୍ବାଧୀନତା ସଂଗ୍ରାମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ ଏହାକୁ ସ୍ବୀକୃତି ପ୍ରଦାନ କରାଯିବା ଆବଶ୍ୟକ ଏବଂ ଡିଜିଟାଲ ସଂଗ୍ରହାଳୟ ଭଳି ବ୍ୟବସ୍ଥା ମାଧ୍ୟମରେ ଭବିଷ୍ୟତରେ ଏହାର ରେକର୍ଡ ରଖାଯିବା  ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ରାଜ୍ୟପାଳମାନେ ହେଉଛନ୍ତି ବିଶ୍ବବିଦ୍ୟାଳୟର କୂଳପତି । ସେ କହିଲେ ଯେ ଯୁବବର୍ଗ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଉଥିବା ଜୁନ ୨୧କୁ ଏକ ସୁଯୋଗ ଭାବେ ବ୍ୟବହାର କରାଯାଇପାରେ । ସେହିପରି ସେ ଗୁରୁତ୍ବ ପ୍ରଦାନ କରି କହିଲେ ଯେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବକୁ ବିଶ୍ବବିଦ୍ୟାଳୟମ।।ନେ ପ୍ରମୁଖତାର ସହ ଧ୍ୟାନ ଦେଇ ପାଳନ କରିପାରିବେ ।

ପ୍ରଧାନମନ୍ତ୍ରୀ ଜାତୀୟ ପୋଷଣ ମିଶନ, ଗ୍ରାମ୍ୟ ବିଦ୍ୟୁତୀକରଣ ଏବଂ ଅଭିଳାଷୀ ଜିଲ୍ଲାଗୁଡ଼ିକର ବିକାଶ ପରିମାପକ ଆଦି ଉନ୍ନୟନର କେତେକ ଗୁରୁତ୍ବପୂର୍ଣ୍ଣ ବିଷୟ ସମ୍ବନ୍ଧରେ ପ୍ରକାଶ କରିଥିଲେ । ବିଦ୍ୟୁତୀକରଣର ସଫଳତାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବା ପାଇଁ ରାଜ୍ୟପାଳମାନେ ଏଇ ନିକଟରେ ବିଦ୍ୟୁତୀକରଣ ହୋଇଥିବା କେତେକ ଗ୍ରାମ ଗସ୍ତ କରିପାରିବେ ବୋଲି ସେ ପ୍ରସ୍ତାବ ଦେଇଥିଲେ ।

ସେ କହିଲେ ଯେ ଏପ୍ରିଲ ୧୪ରୁ ସଦ୍ୟ ଆରମ୍ଭ ହୋଇଥିବା ଗ୍ରାମ ସ୍ବରାଜ ଅଭିଯାନ ସମୟରେ ୧୬୦୦୦ରୁ ଉର୍ଦ୍ଧ୍ବ ଗ୍ରାମରେ ସରକାରଙ୍କ ୭ଟି ଯୋଜନା କାର୍ଯ୍ୟକାରୀ ହୋଇଥିଲା । ସେ କହିଲେ ଯେ ଏହି ଗ୍ରାମଗୁଡ଼ିକ ଜନ ଭାଗିଦାରୀ ମାଧ୍ୟମରେ ୭ଟି ସମସ୍ୟାରୁ ମୁକ୍ତ ହୋଇଛନ୍ତି । ସେ କହିଲେ କି ଗ୍ରାମ ସ୍ବରାଜ ଅଭିଯାନକୁ ଏବେ ଅଧିକ ୬୫,୦୦୦ ଗ୍ରାମକୁ ସମ୍ପ୍ରସାରିତ କରାଯାଉଛି ଏବଂ ଏହାକୁ ଅଗଷ୍ଟ ୧୬ ସୁଦ୍ଧା ସମ୍ପୁର୍ଣ୍ଣ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ଯେ ଆଗାମୀ ବର୍ଷ  ଅନୁଷ୍ଠିତ ହେବାକୁ ଥିବା ୫୦ତମ ରାଜ୍ୟପାଳ ସମ୍ମିଳନୀ ପାଇଁ ଏବେଠାରୁ ତୁରନ୍ତ ଯୋଜନା ପ୍ରସ୍ତୁତ କରାଯାଉ । ଚଳିତ ବାର୍ଷିକ ସମ୍ମିଳନୀକୁ ଅଧିକ ଫଳପ୍ରଦ କରିବା ପାଇଁ ଏହି ପ୍ରୟାସରେ ଧ୍ୟାନ ଦିଆଯାଉ ।

Share

Leave a Reply

Your email address will not be published. Required fields are marked *

three × 2 =