‘ଫୋର୍-ପି’ ମୋଡରେ ହୋଇଛି ଆନ୍ଦୋଳନ : ବିଜେପି

ଭୁବନେଶ୍ବର, 04/06 (ନିପ୍ର): ପେଟ୍ରୋଲଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପ୍ରତିବାଦରେ କଂଗ୍ରେସର କଟକ, ଭୁବନେଶ୍ବରରେ ଚକ୍କାଜାମ ଆନ୍ଦୋଳନକୁ ଶାସକ ବିଜେଡି ଦଳ ସହାୟତାରେ କଂଗ୍ରେସ ରାଜରାସ୍ତାରେ ଆତଙ୍କରାଜ ଚଲାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି ।

‘ଫୋର୍-ପି’ ମୋଡରେ ଅର୍ଥାତ୍ ନବୀନ ପଟ୍ଟନାୟକ, ନିରଜଂନ ପଟ୍ଟନାୟକ, ସୌମ୍ୟରଂଜନ ପଟ୍ଟନାୟକ ଏବଂ ପୋଲିସର ମିଳିତ ସହଯୋଗରେ ଏହି ଆନ୍ଦୋଳନ କରାଯାଇଛି । ସେହିପରି ନବୀନ ପଟ୍ଟନାୟକ ଏବଂ ନିରଜଂନ ପଟ୍ଟନାୟକଙ୍କ ମଧ୍ୟରେ ସୌମ୍ୟରଂଜନ ପଟ୍ଟନାୟକ ସେତୁ ଭାବେ କାର୍ଯ୍ୟ କରୁଛନ୍ତି । କଂଗ୍ରେସ ଶାସକ ବିଜେଡିର ଆଶାବାଡି ସାଜିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ କିଛି ଦିନ ଧରି ପେଟ୍ରୋଲ  ଓ ଡିଜେଲ ଦର କ୍ରମାଗତ ଭାବେ କମିବା  ଆରମ୍ଭ କରିଛି । କଂଗ୍ରେସ ଗରୀବ ଲୋକଙ୍କ ସ୍ୱାର୍ଥରେ ନୁହେଁ ବରଂ କେବଳ ନିଜର ରାଜନୈତିକ ସ୍ବାର୍ଥ ପାଇଁ ରାଜରାସ୍ତାରେ ଗୁଣ୍ଡାରାଜ କରିବାକୁ ଓହ୍ଲାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

କଂଗ୍ରେସର ଚକ୍କାଜାମ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଶାସକ ଦଳର ପ୍ରବକ୍ତା ମାନେ କଂଗ୍ରେସର ଏହି ଚକ୍କାଜାମ ଆନ୍ଦୋଳନ ପ୍ରତି ସମର୍ଥନ ଜ୍ଞାପନ କରିଥିଲେ । ଏଥିରୁ ସ୍ପଷ୍ଟ ଯେ ରାଜ୍ୟରେ ଶାସକ ବିଜେଡି ଓ କଂଗ୍ରେସ ଦଳ ନିଜ ମଧ୍ୟରେ ବୁଝାମଣା ରଖି ସାଧାରଣ ଜନତାଙ୍କୁ  ଅକଥନୀୟ ଅସୁବିଧା ଓ  ଅତ୍ୟାଚାରର ସମ୍ମୁଖୀନ ହେବାକୁ ବାଧ୍ୟ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ଭାରତୀୟ ବଜାରରେ ମୂଲ୍ୟ ବଢିଥିବା କାରଣରୁ ଖାଉଟି ମାନଙ୍କ ପାଇଁ କେନ୍ଦ୍ର ସରକାର ଚିନ୍ତିତ ।  ଖାଉଟି ମାନଙ୍କୁ ଉପରେ ବୋଝ କମ କରିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି ।

କେନ୍ଦ୍ରୀୟ ଟିକସର ସିଧା ସିଧା ୪୨ ଭାଗ ରାଜ୍ୟର ଅଂଶ ଭାବେ ଓଡିଶା ସରକାରକୁ ଆସୁଥିବା ବେଳେ ଟିକସର ଆଉ ୯୦ ଭାଗ କେନ୍ଦ୍ରୀୟ ପ୍ରଣୀତ ଯୋଜନାର କେନ୍ଦ୍ରୀୟ ଅଂଶ ଭାବେ ରାଜ୍ୟ ପାଖକୁ ଆସୁଛି । ରାଜ୍ୟ ସରକାର ଏହା ଉପରେ ୨୬ ପ୍ରତିଶତ ଭ୍ୟାଟ ଲଗାଇଛନ୍ତି । ଆଜି ଦିନରେ ଏକ ଲିଟର ପେଟ୍ରୋଲରେ ରାଜ୍ୟ ସରକାର ୨୨.୧୫ ଟଙ୍କା ପାଉଥିବା ବେଳେ କେନ୍ଦ୍ର ସରକାର ୫.୦୫ ଟଙ୍କା ଓ  ଡିଜେଲ ଦରରେ ରାଜ୍ୟ ସରକାର ୨୪.୪୦ ଟଙ୍କା ପାଉଥିବା ବେଳେ କେନ୍ଦ୍ର ସରକାର ୨.୫୦ ଟଙ୍କା ପାଉଛନ୍ତି ।  ଏପରି ପରିସ୍ଥିତିରେ ସାଧାରଣ ଲୋକଙ୍କୁ ବିଭ୍ରାନ୍ତି କରି କଂଗ୍ରେସ  ଓ ବିଜେଡିର  ମିଥ୍ୟା ତଥ୍ୟ ପ୍ରଚାରକୁ ଶ୍ରୀ ମହାନ୍ତି କଟୁ ସମାଲୋଚନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen + 5 =