ସବୁ ଆର୍ଥିକ ଦୁର୍ବଳ ପରିବାରକୁ ବିଦ୍ୟୁତ ଯୋଗାଣ ପାଇଁ ସୌଭାଗ୍ୟ ପ୍ରକଳ୍ପ

ଭୁବନେଶ୍ବର, 05/06 (ନିପ୍ର) ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଏବଂ ସହରରେ ବାସକରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାର ମାନଙ୍କୁ ସୌଭାଗ୍ୟଦଦ ଯୋଜନାରେ ବିଦ୍ୟୁତ ସଂଯୋଗୀକରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି । ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ପ୍ରକଳ୍ପ ଗୁଡିକ ଅନୁମୋଦନ କରାଯାଇଛି । ପ୍ରକଳ୍ପ ଅନୁମୋଦନ କରି ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟକୁ ପରିପୃକ୍ତି ଢ଼ଙ୍ଗିରେ ପୂର୍ଣ୍ଣାଙ୍ଗ କରିବା ପାଇଁ ମୁଖ୍ୟ ଶାସନ ସଚିବ  ନିର୍ଦ୍ଦେଶ ଦେଇଥିଲେ ।

ସଂଯୋଗୀକୃତ ପରିବାର ଯେପରି ସଠିକ୍ ଭାବରେ ବିଜୁଳି ପାଆନ୍ତି ସେଥିପ୍ରତି ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ବିଭାଗ ଶାସନ ସଚିବ ହେମନ୍ତ ଶର୍ମା ସୌଭାଗ୍ୟ ଯୋଜନାର ଲକ୍ଷ୍ୟ, କାର୍ଯ୍ୟାନ୍ବୟନ ପଦ୍ଧତି ଏବଂ ଅର୍ଥ ବରାଦ ଆଦି ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ରାଜ୍ୟସ୍ତରୀୟ ଷ୍ଟାଣ୍ଡିଂ କମିଟିର ଅନୁମୋଦନ ଲାଭକଲେ ଏହି ପ୍ରକଳ୍ପ ଗୁଡିକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ ଏବଂ କେନ୍ଦ୍ରୀୟ ଅନୁମୋଦନ ମିଳିବା ପରେ ଏହାର କାର୍ଯ୍ୟାନ୍ବୟନ ଆରମ୍ଭ ହେବ ବୋଲି ଶକ୍ତି ସଚିବ ଶ୍ରୀ ଶର୍ମା ଜଣାଇଥିଲେ ।

ପ୍ରାପ୍ତ ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୭୧ ଲକ୍ଷରୁ ଉର୍ଦ୍ଧ୍ବ ପରିବାରଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଇଛି । ଅବଶିଷ୍ଟ ପ୍ରାୟ ୧୭.୨୬ ଲକ୍ଷ ଗ୍ରାମ ଓ ସହରାଞ୍ଚଳରେ ବାସ କରୁଥିବା ପରିବାରମାନଙ୍କୁ ବିଦ୍ୟୁତ ସଂଯୋଗୀକରଣ ପାଇଁ ପ୍ରାୟ ୩୩୨୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହି ଯୋଜନା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ପାଣ୍ଠି ଯୋଗାଇବେ ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

20 − 1 =