ବିଶ୍ବ ଦରବାରରେ ପରିଚିତ ହେବ ଓଡିଶା

ଭୁବନେଶ୍ବର () : ଓଡିଶା କଳା, ସାହିତ୍ୟ, ସଂସ୍କୃତି, ପୁଂଜି ନିବେଶର ସୁଯୋଗ, ଶିଳ୍ପ ଅନୁକୂଳ ବାତାବରଣ, ବନ୍ଦର ଓ ରେଳ ଯୋଗାଯୋଗ ସୁବିଧା ଆଦିକୁ ମଧ୍ୟ ବିଶ୍ବ ଦରବାରରେ ପରିଚିତ କରିବାକୁ ମେକ ଇନ ଓଡିଶା କନକ୍ଲେଭର ଦ୍ବିତୀୟ ସଂସ୍କରଣରେ ଗୁରୁତ୍ବ ଦିଆଯାଉଛି । ଶିଳ୍ପ ପାଇଁ ପୁଂଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟର ଐତିହ୍ୟ, ସଂସ୍କତି ଓ ବିଶେଷତ୍ବ ସଂପର୍କରେ ଦେଶ ବିଦେଶର ଶିଳ୍ପପତୀଙ୍କୁ ଅବଗତ କରାଯିବ । କାରଣ, ଏହି କନକ୍ଲେଭର ଆୟୋଜନ ପାଇଁ ବିଦେଶରେ ଓଡିଶା ସଂପର୍କରେ ଆଲୋଚନା ସମୟରେ ବିଦେଶୀ ରାଷ୍ଟ୍ର ପୁଂଜିପତିମାନେ ଏ ସଂପର୍କରେ ବିଶେଷ ଅବଗତ ନୁହେଁ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ଅନନ୍ତ ଦାସ । ଏହି କନକ୍ଲେଭରେ ଜାପାନ ପାର୍ଟନର ଦେଶ ଭାବେ ଅଂଶଗ୍ରହଣ କରିବ ।

ଏଥିସହିତ ଏଣିକି ଆଉ କୌଣସି ଶିଳ୍ପାନୁଷ୍ଠାନ ସହ ଏମଓୟୁ ସ୍ବାକ୍ଷର ହେବନି । ଏଣିକି ଓଡିଶାରେ ପୁଂଜି ନିବେଶ ପାଇଁ ଆଗ୍ରହୀ ଶିଳ୍ପାନୁଷ୍ଠାନ ରାଜ୍ୟ ସରକାରଙ୍କ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ଅନଲାଇନରେ ଆବେଦନ କରିବେ । ଏହି ଆବେଦନ ଉପରେ 28 ଦିନ ବା ଏକ ମାସ ମଧ୍ୟରେ ସେମାନଙ୍କ ଆବଦେନର ନିଷ୍ପତ୍ତି ହେବ ।

ମେକ ଇନ ଓଡିଶା କନକ୍ଲେଭ ସଂପର୍କରେ ଆୟୋଜିତ କର୍ଟନ ରେଜର ସାମ୍ବାଦିକ ସମ୍ମିଳନୀରେ ଜନତା ମୈଦାନଠାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସଂପର୍କରେ ବିସ୍ତ୍ରୁତ ବିବରଣୀ ପ୍ରଦାନ କରାଯାଇଥିଲା । ଓଡିଶାର କଳା, ସାହିତ୍ୟ, ଭୌଗୋଳିକ ସ୍ଥିତି ଆଦି ସଂପର୍କରେ ବିଶ୍ବ ଦରବାରକୁ ପରିଚିତ କରିବା ପାଇଁ କନକ୍ଲେଭର ବିଭିନ୍ନ ସେମିନାର ହଲ, ବୈଠକଖାନା, ପ୍ରବେଶ ଦ୍ବାରକୁ ରାଜ୍ୟର ସୁପରିଚିତ ଐତିହ୍ୟସ୍ଥଳୀ, ନଦୀ ଏବଂ ଅଭୟାରଣ୍ୟ ନାଁରେ ନାମିତ କରାଯାଇଛି ।

ଯେମିତିକି କନକ୍ଲେଭର ତିନୋଟି ପ୍ରବେଶ ପଥକୁ ବାରବାଟି, ଏକାମ୍ର ଓ କଳିଙ୍ଗ ନାଁରେ ନାମିତ କରାଯାଇଛି । 4ଟି ସେମିନାର ହଲକୁ ମହାନଦୀ, ବୈରତଣୀ, ବ୍ରାହ୍ମଣୀ ଓ ଋଷିକୂଲ୍ୟା ନାଁରେ ନାମିତ କରାଯାଇଛି । ତିନୋଟି ସେହିପରି ଏକ୍ସପୋ ହ୍ୟାଙ୍ଗରକୁ ଶିମିଳିପାଳ, ଭିତରକନିକା ଓ ଚିଲିକା ନାଁରେ ନାମିତ କରାଯାଇଛି । ଓଡିଶାର ହସ୍ତକଳାର ପ୍ରଦର୍ଶନ ପାଇଁ ସୁନାମଧନ୍ୟ ଫେସନ ଡିଜାଇନର ବିଭୁ ମହାପାତ୍ର ଏହି ଅବସରରେ ଓଡିଶାର ହସ୍ତକଳାକୁ ନେଇ ଏକ ଫେସନ ସୋର ମଧ୍ୟ ଆୟୋଜନ କରିବେ । ରିଲାଏନ୍ସ ଗ୍ରୁପର ମୁକେଶ ଅମ୍ବାନୀ, ଆଦିତ୍ୟ ବିର୍ଲା ଗ୍ରୁପର କୁମାର ମଙ୍ଗଳମ ବିର୍ଲା, ଜେଏସପିଏଲର ଅନିଲ ଅଗ୍ରୱାଲ, ଟାଟା ଗ୍ରୁପର ଏନ. ଚନ୍ଦ୍ରଶେଖରନଙ୍କ ପରି ବିଜନେସ ଟାଇକୁନଙ୍କ ସମେତ ଜାପାନ, ଫ୍ରାନ୍ସ, ଋଷିଆ, ଜର୍ମାନୀ, ସାଉଦୀ ଆରବ ଓ ଯୁଏଇରୁ ପ୍ରାୟ 800 ଶିଳ୍ପାନୁଷ୍ଠାନର ପ୍ରତିନିଧି ଯୋଗ ଦେବେ । 12 ତାରିଖ ବିଜନେସ ଲିଡରସିପ ସମିଟରେ ମୁଖ୍ୟ ବକ୍ତା ଭାବେ ଯୋଗଦେବେ ମୁକେଶ ଅମ୍ବାନୀ ।

ଏହି କନକ୍ଲେଭରେ ଶିଳ୍ପ ଓ ଆନୁସଙ୍ଗିକ କ୍ଷେତ୍ରରେ ଦକ୍ଷତା ରଖୁଥିବା 150ଜଣ ବିଶେଷଜ୍ଞ ମଧ୍ୟ ଯୋଗ ଦେବେ । ସେମାନେ 15ଟି ବିଷୟବସ୍ତ୍ରୁ ଉପରେ ଆଲୋଚନା କରିବେ । ଜାପାନ ଏକ ପାର୍ଟନର ରାଷ୍ଟ୍ର ହୋଇଥିବାରୁ ଜାପାନ ପାଇଁ ସ୍ବତନ୍ତ୍ର ଆଲୋଚନାଚକ୍ରର ଆୟୋଜନ କରାଯାଇଛି । 2016ରେ ଆୟୋଜିତ ହୋଇଥିବା ମେକ ଇନ ଓଡିଶା କନକ୍ଲେଭର ପ୍ରଥମ ସଂସ୍କରଣରେ 124ଟି ରାଷ୍ଟ୍ର ପୁଂଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେ ମଧ୍ୟରୁ 64ଟି କମ୍ପାନୀର ଭୂମୀପୂଜା କାର୍ଯ୍ୟ ସରିଛି । 3ଟି କମ୍ପାନୀ ଉତ୍ପାଦନ ଆରମ୍ଭ କରିସାରିଛନ୍ତି । 65 ପ୍ରତିଶତ କମ୍ପାନୀ ବିଭିନ୍ନ ପର୍ଯ୍ୟାୟରେ କାମ ଜାରି ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty + 7 =