ରାଜ୍ୟରେ ଆଉ ୧୮୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀ ଭୁବନେଶ୍ୱରରୁ ମିଳୁଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ତେବେ ଲୋକମାନେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମତ ଦେଉଛନ୍ତି । ଆଜି ୧୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦୯ ଓ ସ୍ଥାନୀୟ ଅଞ୍ଚଳରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରେ ୯, ଭଦ୍ରକ ୨, ବୌଦ୍ଧ ୨, କଟକ ୧୪, ଦେବଗଡ ୨, ଢେଙ୍କାନାଳ ୧, ଗଞ୍ଜାମ ୧, ଜଗତସିଂହପୁର ୩ ଓ ଯାଜପୁରରେ ୭ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ୩, କେନ୍ଦ୍ରାପଡା ୪, ଖୋର୍ଦ୍ଧା ୭୬, ମୟୁରଭଞ୍ଜ ୧୨, ନୟାଗଡ ୧, ପୁରୀ ୭, ସମ୍ବଲପୁର ୧୮, ସୋନପୁର ୪, ସୁନ୍ଦରଗଡ ୧ ଓ ଷ୍ଟେଟପୁଲରୁ ୧୮ ଜଣଙ୍କୁ ଚିହ୍ନଟ କରାଯାଇଛି । ଏଥିସହ ୩୫ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୬୫୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୫୦୫ ରହିଥିବା ବେଳେ ୨ ହଜାର ୭୧୯ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୩୭୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

nine + nineteen =