ପଛରେ ପଡିଲା ସ୍ମାର୍ଟ ସହର ଭୁବନେଶ୍ବର

ଭୁବନେଶ୍ବର (): ସହରାଂଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସ୍ବଚ୍ଛ ସର୍ବେକ୍ଷଣ-୨୦୧୮ର ଦ୍ବିତୀୟ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ ହୋଇଛି । ରାଜ୍ୟ କ୍ୟାଟେଗୋରୀରେ ଓଡ଼ିଶା ୨୨ତମ ସ୍ଥାନରେ ରହିଛି । ସ୍ବଚ୍ଛ ସର୍ବେକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଏବେ ବିଏମସି କର୍ତ୍ତୃପକ୍ଷ ଛାଟିପିଟି ହେଉଛନ୍ତି। ହାତପାହନ୍ତାରେ ସବୁ ସୁବିଧା ଯୋଗାଇବାର ସୁଯୋଗ ଥିଲେ ହେଁ ବିଏମସି କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଆଜି ଭୁବନେଶ୍ବର ଯେତିକି ସ୍ବଚ୍ଛ ଅଛି ସେହି ଅନୁଯାୟୀ ସ୍ଥାନ ପାଇଲାନି ବୋଲି ଚର୍ଚ୍ଚା ହେଉଛି । କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନହେବା, କମ୍ପୋଷ୍ଟ ପ୍ଲାଣ୍ଟ ନହେବା, ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ନହେବା, ଆବର୍ଜନା ପୃଥକୀକରଣ ନହେବା, ପଲିଥିନ୍ ମୁକ୍ତ ସହର ନହେବା, ରାଜଧାନୀର କୌଣସି ଗୋଟିଏ ବି ଅଞ୍ଚଳ ପ୍ରକୃତରେ ମଳମୁକ୍ତ ଅଞ୍ଚଳ ନହେବା, ଆବଶ୍ୟକୀୟ ପବ୍ଲିକ ଟଏଲେଟ୍ ନ ରହିବା, ଆବଶ୍ୟକୀୟ ଡଷ୍ଟବିନ୍ ନ ରହିବା, ସବୁ ଅଳିଆ ବୋଝେଇ ଗାଡ଼ି ଜିପିଏସ୍ ଟ୍ରାକିଂ ହୋଇ ନପାରିବା ଇତ୍ୟାଦି । ଏହି ସବୁ ବ୍ୟବସ୍ଥା ବିଏମସି ଯୋଗାଇବା ପାଇଁ ଆବଶ୍ୟକ ସମୟ ଓ ସୁଯୋଗ ଥିଲେ ହେଁ କେତେକ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହାକୁ କାର୍ଯ୍ୟକାରୀ କରିବାରେ ବିଏମସି ବିଫଳ ହୋଇଛି  । ଯାହା ବିଏମସି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ସେହିପରି ସହର ତାଲିକାରେ ଭୁବନେଶ୍ବର ୨୪୫ତମ ସ୍ଥାନରେ ରହିଛି । ରାଜ୍ୟ କ୍ୟାଟେଗୋରୀରେ ଝାଡ଼ଖଣ୍ଡ ପ୍ରଥମ ସ୍ଥାନରେ ଥିବା ବେଳେ ସହର ତାଲିକାରେ ମଧ୍ୟପ୍ରଦେଶର ଇନ୍ଦୋର ପ୍ରଥମ ସ୍ଥାନରେ ରହିଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଏହି ସ୍ବଛ ସର୍ବେକ୍ଷଣରେ ସାମିଲ ହୋଇଥିଲା ବେଳେ ୪ ହଜାର ୨୦୩ଟି ସହର ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ।

ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ପଛରେ ଭୁବନେଶ୍ବର ପଡ଼ିଥିଲେ ହେଁ ବିଏମସି କର୍ତ୍ତୃପକ୍ଷ ମୁଣ୍ଡରୁ ଦୋଷ ଖସାଇବା ପାଇଁ କହିଛନ୍ତି ଗତ ଥର ୫୦୦ଟି ସହରକୁ ନେଇ ପ୍ରତିଯୋଗିତା ହୋଇଥିବାବେଳେ ଆମେ ୯୪ତମ ସ୍ଥାନରେ ଥିଲୁ। ଚଳିତ ବର୍ଷ ୪୨୦୩ଟି ସହରକୁ ନେଇ ପ୍ରତିଯୋଗିତା ହୋଇଛି । ଗତ ଥର ୧୦ଲକ୍ଷରୁ ଅଧିକ କ୍ୟାଟେଗୋରି ସହରରେ ଆମେ ୯୪ତମ ସ୍ଥାନ ପାଇଥିଲୁ । କିନ୍ତୁ ଚଳିତବର୍ଷ ୧ଲକ୍ଷରୁ ଅଧିକ ସହରକୁ ନେଇ ତାଲିକା ହେବାରୁ ଆମ ସ୍ଥାନ ଖସିଗଲା । ଭୁଆସୁଣୀରେ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନହେବା ଆମ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଗତ ଥର ଯେଉଁ ସହରଗୁଡ଼ିକ ଶ୍ରେଷ୍ଠ ୧୦ ସହର ତାଲିକାରେ ସ୍ଥାନ ପାଇଥିଲେ ସେମାନେ ଏଥର ବି ପାଖାପାଖି ସ୍ଥାନ ପାଇଛନ୍ତି  । ଏପରିକି ଇନ୍ଦୋର ପୂର୍ବଥର ପରି ପ୍ରଥମ ସ୍ଥାନ ବଜାୟ ରଖିଛି  ।

ସ୍ବଚ୍ଛତା ମାମଲାରେ ମଧ୍ୟପ୍ରଦେଶର ଇନ୍ଦୋର ୧ ନମ୍ବର ସହର ହୋଇଥିବା ବେଳେ ଭୋପାଳ ୨ ନମ୍ବର ସହର । ଗତ ଥର ସର୍ଭେରେ ଭୁବନେଶ୍ବର ୯୪ରେ ଥିବା ବେଳେ ଏଥର ୨୪୫କୁ ଯାଇଛି । ତାଲିକାରେ ବାଲେଶ୍ବରକୁ ୩୦୧ ସ୍ଥାନ, ରାଉରକେଲାକୁ ୨୦୭, ବ୍ରହ୍ମପୁରକୁ ୩୦୮, ବାରିପଦାକୁ ୩୫୭, ଭଦ୍ରକକୁ ୩୮୩, ପୁରୀକୁ ୩୯୧, କଟକକୁ ୪୦୨, ସମ୍ବଲପୁରକୁ ୩୨୧, ହିନ୍ଦୋଳକୁ ୪୪୯ ଏବଂ ·ନ୍ଦବାଲିକୁ ୪୭୯ତମ ସ୍ଥାନ ମିଳିଛି  । ପୂର୍ବରୁ ରାଉରକେଲା ୧୬୮ତମ ସ୍ଥାନରେ ଥିଲା  । ସେହିପରି ବ୍ରହ୍ମପୁର ୧୮୭, ବାଲେଶ୍ବର ୧୯୦, ପୁରୀ ୧୯୪, କଟକ ୨୦୪, ବାରିପଦା ୨୬୧, ସମ୍ବଲପୁର ୩୨୨ ଓ ଭଦ୍ରକ ୩୪୯ତମ ସ୍ଥାନରେ ଥିଲା  ।

Share

Leave a Reply

Your email address will not be published. Required fields are marked *

two × 1 =