ଆୟୁଷ୍ମାନ ପାଇଁ ଓକିଲାତି କରୁଥିବା ମନ୍ତ୍ରୀ କ୍ଷମା ମାଗନ୍ତୁ : ପ୍ରତାପ ଦେବ

ଭୁବନେଶ୍ବର (): ଆୟୁଷ୍ମାନ ଯୋଜନା ଲାଗି ଓକିଲାତି କରିବା ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜାନକୁ ସମାଲୋଚନା କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ଏହି ଯୋଜନାରୁ ଓହରିକୁ ନିଷ୍ପତ୍ତି ନେଇଥିବା ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ)ର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ।

ସେ କରିଛନ୍ତି ଯେ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଭଳି ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ଯୋଜନାଗୁଡିକୁ ଯେପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ ଦେଉଛନ୍ତି, ସେଥିଲାଗି ସେ ଲଜ୍ଜାରେ ମୁହଁ ଲୁଚାଇବା ଆବଶ୍ୟକ । ଆଇଏମ୍‍ଏ ପକ୍ଷରୁ ଜୁନ୍‍ ୨୪ ତାରିଖ ଦିନ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଆୟୁଷ୍ମାନ ଯୋଜନା ପ୍ୟାକେଜ୍‍ର ନିର୍ଦ୍ଧାରିତ ମୂଲ୍ୟକୁ ଅଗ୍ରାହ୍ୟ କରାଯାଇଛି । ମେଡିକାଲ୍‍ ସଂଘ ଅନୁଭବ କରିଛି ଯେ ନିର୍ଦ୍ଧାରିତ ପ୍ୟାକେଜ୍‍ ମୂଲ୍ୟ ଦ୍ବାରା ହସ୍ପିଟାଲ୍‍ରେ ରୋଗୀମାନେ ଅଧିକ ବିପଦର ସମ୍ମୁଖୀନ ହୋଇପାରନ୍ତି । ଯେପରି ଭାବେ ମୂଲ୍ୟ ନିର୍ଦ୍ଧାରିତ ହୋଇଛି, ତାହା ଏତେ କମ୍‍ ଯେ ଚିକିତ୍ସାର ମାନ ପ୍ରଭାବିତ ହେବା ସହିତ ଏହା ଦୁର୍ନୀତିକୁ ପ୍ରୋତ୍ସାହିତ କରିବ । ରୋଗୀର ସ୍ବାସ୍ଥ୍ୟ ସୁରକ୍ଷା ଉପରେ ଏହାର ନକରାତ୍ମକ ପ୍ରଭାବ ପଡିବା ସ୍ବାଭାବିକ । ସେଥିଯୋଗୁ ଏହି ଯୋଜନାକୁ ଆଇଏମ୍‍ଏ ସମର୍ଥନ କରୁନାହିଁ ଏବଂ ପ୍ୟାକେଜ୍‍ ମୂଲ୍ୟ ବାବଦ ଅର୍ଥ ବ୍ୟୟ ବରାଦ ଓ ବୀମା ମଡେଲ୍‍ ଉପରେ ଆପତ୍ତି ଉଠାଇଛି । ପ୍ୟାକେଜ୍‍ ମୂଲ୍ୟ କ୍ଷେତ୍ରରେ ବୈଜ୍ଞାନିକ ଭିତ୍ତିରେ ମୂଲ୍ୟ ନିର୍ଦ୍ଧାରଣ କରାଯିବାର ଆବଶ୍ୟକତା ରହିଛି । ବୀମା ମଡେଲ୍‍ କାର୍ଯ୍ୟକାରୀ କରିବା ପାଇଁ ପ୍ରଣୀତ ବ୍ୟବସ୍ଥାକୁ ମଧ୍ୟ ଆଇଏମ୍‍ଏ ବିରୋଧ କରୁଛି ଓ କେବଳ ଟ୍ରଷ୍ଟ ମଡେଲ୍‍ ପାଇଁ ଦାବି କରୁଛି ।

ଆଇଏମ୍‍ଏ ମଧ୍ୟ ଅନୁଭବ କରୁଛି ଯେ ୧୫ ପ୍ରତିଶତ ଲାଭ ରଖାଯାଇଥିବାରୁ କୋଟି କୋଟି ଟଙ୍କା ଅଯଥାରେ ମଧ୍ୟସ୍ଥିମାନଙ୍କ ପାଖକୁ ଚାଲିଯିବ ଓ ବର୍ତ୍ତମାନର ସ୍ବାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥା ଭୁଶୁଡ଼ି ପଡିବ । ଆଇଏମ୍‍ଏ ଉଠାଇଥିବା ସ୍ବରରେ ଆୟୁଷ୍ମାନ ଯୋଜନା ନେଇ ଓଡ଼ିଶାର ସ୍ବର ପ୍ରତିଧ୍ବନିତ ହୋଇଛି । ଆମେ ପୂର୍ବରୁ କହିସାରିଛୁ ଯେ ଏହି ଯୋଜନା ରୋଗୀଙ୍କୁ ନିରାଶ କରିବ ଏବଂ ଓଡ଼ିଶାର ୪୫ଲକ୍ଷ ଲୋକ ଏଥିରୁ ବାଦ ପଡିବେ । ଅନ୍ୟପକ୍ଷରେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବୀମା ଭିତ୍ତିକ ମଡେଲ୍‍ ହୋଇନଥିବାରୁ ଏହା ବିଶ୍ବସନୀୟ ହୋଇପାରିବ ବୋଲି ଆମେ ପୂର୍ବରୁ ଯାହା କହିଥିଲୁ, ସମାନ କଥା ଆଇଏମ୍‍ଏ ପକ୍ଷରୁ ଏବେ ଉଠାଯାଇଛି । କେନ୍ଦ୍ର ସରକାର ଯେଉଁ ତଥ୍ୟ ଦେଇଛନ୍ତି, ତାହା ଫଳପ୍ରଦ ହେବନି । ଏଥିରେ ଆହୁରି ପ୍ରମାଣିତ ହୋଇଛି ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଓଡ଼ିଶା ସରକାରଙ୍କ ଦୃଷ୍ଟିଭଙ୍ଗୀ ଠିକ୍‍ । ଏହି ଯୋଜନାରେ ସର୍ବାଧିକ ଲୋକ ଉପକୃତ ହେବେ । ସେହିପରି ଆୟୁଷ୍ମାନ ଯୋଜନା ନେଇ ଓଡ଼ିଶା ଉଠାଇଥିବା ଆପତ୍ତିର ସ୍ବର ମଧ୍ୟ ଆଇଏମ୍‍ଏ ପ୍ରତିକ୍ରିୟାରେ ପ୍ରତିଧ୍ବନିତ ହୋଇଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କୁ ବିଭ୍ରାନ୍ତ କରିବା ସହ ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ କ୍ଷୁଦ୍ର ରାଜନୈତିକ ଲାଭ ଓ ନ୍ୟସ୍ତସ୍ବାର୍ଥ ପାଇଁ ବିପଦକୁ ଠେଲି ଦେଇଥିଲେ । ସେହିପରି ଆୟୁଷ୍ମାନ ଯୋଜନା ଲାଗି ଓକିଲାତି କରି ସେ ମଧ୍ୟ ୪୫ଲକ୍ଷ ଲୋକଙ୍କୁ ଅନ୍ଧାର ମୁହଁକୁ ଠେଲି ଦେଇଥିଲେ, ଯାହାଦ୍ବାରା ରୋଗୀ ଚିକିତ୍ସାର ମାନ ପ୍ରଭାବିତ ହୋଇଥାନ୍ତା ଓ ରୋଗୀ ସୁରକ୍ଷା ଉପରେ ଏହା ପ୍ରତିକୂଳ ଓ କ୍ଷତିକାରକ ପ୍ରଭାବ ପକାଇଥାନ୍ତା ।

Share

Leave a Reply

Your email address will not be published. Required fields are marked *

20 − 10 =